ଇଷ୍ଟ୍‌ବେଙ୍ଗଲ୍‌ ୨-୧ରେ ବିଜୟୀ

ଆଇଲିଗ୍

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଖେଳା ଯାଇଥିବା ଆଇ-ଲିଗ୍ ଫୁଟ୍‌ବଲ୍ ପ୍ରତିଯୋଗିତାର ୬୦ତମ ମ୍ୟାଚ୍‌ରେ ଏସିଆ ମହାଦେଶର ଅନ୍ୟତମ ପୂରାତନ ଦଳ ଇଷ୍ଟ୍‌ବେଙ୍ଗଲ ଯୁବ ଦଳ ଇଣ୍ଡିଆନ୍ ଆରୋଜକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ଇଷ୍ଟ୍‌ବେଙ୍ଗଲକୁ ପୂରା ମ୍ୟାଚ୍‌ରେ ଇଣ୍ଡିଆନ୍ ଆରୋଜ୍ କଡ଼ା ଟକ୍କର ଦେଇଥିଲା। ତେବେ କନଭରଜନ୍ ହାରରେ ଆଗୁଆ ରହି ଇଷ୍ଟ୍‌ବେଙ୍ଗଲ ଚିତ୍ତାକର୍ଷକ ବିଜୟ ହାସଲ କରିଥିଲା। ଇଷ୍ଟ୍‌ବେଙ୍ଗଲ ତରଫରୁ ଲାଲଦନମାୱିଆ (୨୬ ମିନିଟ୍, ପେନାଲ୍ଟି) ଓ ଜବି ଜଷ୍ଟିନ (୬୪ ମିନିଟ୍) ଗୋଲ୍ ଦେଇଥିଲେ। ଇଣ୍ଡିଆନ୍ ଆରୋଜ୍ ପକ୍ଷରୁ ଏକମାତ୍ର ଗୋଲ୍ ୯୦ ମିନିଟ୍‌ରେ ନିନ୍‌ଥୋଇ ଦେଇଥିଲେ। ଜବି ଜଷ୍ଟିନ ତାଙ୍କ ଆକ୍ରମଣାତ୍ମକ ଖେଳ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଧରେ ଉଭୟ ଦଳ ଗୋଲ୍ କରିବାର ସମାନ ସୁଯୋଗ ଅର୍ଜନ କରିଥିଲେ। ଇଣ୍ଡିଆନ୍ ଆରୋଜ୍‌ର ଶକ୍ତିଶାଳୀ ରକ୍ଷଣଭାଗ ଏବଂ ଇଷ୍ଟ୍‌ବେଙ୍ଗଲର ଅଭିଜ୍ଞ ଅଗ୍ରଭାଗ କେହି କାହାରିକୁ କିନ୍ତୁ ସହଜ ସୁଯୋଗ ପ୍ରଦାନ କରି ନଥିଲେ। ତେବେ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରେ ବଲ୍‌କୁ ନିୟନ୍ତ୍ରଣକୁ ନେବାକୁ ଲାଗି ରହିଥିବା ଛକାପଞ୍ଝା‌ ଷ୍ଟାଡିୟମରେ ଉପସ୍ଥିତ ଥିବା ହାତଗଣତି ଦର୍ଶକଙ୍କ ମନ ଜିତି ନେଇଥିଲା। ଆରୋଜ୍ କିନ୍ତୁ ଗୋଲ୍‌ ଦେବାର ପ୍ରଥମ ପ୍ରୟାସ କରିଥିଲା। ହେଲେ ଇଷ୍ଟ୍‌ବେଙ୍ଗଲ ପ୍ରଥମେ ସ୍କୋର କରିବାକୁ ସମର୍ଥ ହୋଇଥିଲା। ଜାମି ସାଣ୍ଟୋସଙ୍କଠାରୁ ବାମପଟୁ ପାଇଥିବା ପାସ୍‌କୁ ଗୋଲ୍‌ରେ ରୂପାନ୍ତର କରି ଲାଲଦନମାୱିଆ ଇଷ୍ଟ‌୍‌ବେଙ୍ଗଲକୁ ଆଗୁଆ କରି ଦେଇଥିଲେ। ପ୍ରଥମାର୍ଧରେ ଇଣ୍ଡିଆନ୍ ଆରୋଜ୍ ଏହି ଗୋଲ୍‌ଟିକୁ ଶୁଝି ପାରି ନଥିଲା। ଫଳରେ ପ୍ରଥମ ୪୫ ମିନିଟ୍ ଖେଳ ପରେ ଇଷ୍ଟ୍‌ବେଙ୍ଗଲ ୧-୦ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଧରେ ଉଭୟ ଦଳ ପରସ୍ପରକୁ ଘନ ଘନ ଆକ୍ରମଣ କରିଥିଲେ। ଏପରିକି ‌ବିପଜ୍ଜନକ ଖେଳ ପାଇଁ ରେଫରିଙ୍କୁ ଦୁଇଟି ଲାଲ୍ କାର୍ଡ ଦେଖାଇବାକୁ ପଡ଼ିଥିଲା। ମାତ୍ରାଧିକ ଉତ୍ସାହିତ ହୋଇ ଆରୋଜ୍ ଖେଳାଳିମାନେ ତ୍ରୁଟି ପରେ ତ୍ରୁଟି କରି ଚାଲିଥିଲେ। ସେମାନେ ନିଜ ବକ୍ସରେ କରିଥିବା ଭୁଲର ଫଳ ୬୪ ମିନିଟ୍‌ରେ ପାଇଥିଲେ। ଜବି ଜଷ୍ଟିନଙ୍କ ଏକ ହାଲ୍‌କା ସଟ୍‌କୁ ଧରିବାରେ ଆରୋଜ୍ ଗୋଲ୍ ରକ୍ଷକ ପ୍ରଭୁଖାନ ଗିଲ୍ ବିଫଳ ହୋଇଥିଲେ। ସେହିଠାରେ ହିଁ ଇଷ୍ଟ୍‌ବେଙ୍ଗଲ ୨-୦ରେ ଆଗୁଆ ହୋଇଯାଇଥିଲା। ପରବର୍ତୀ ୨୬ ମିନିଟରେ ଆରୋଜ୍ ବହୁ ପ୍ରୟାସ କରି ମଧ୍ୟ ସଫଳ ହୋଇ ନଥିଲା। ୯୦ ମିନିଟରେ ନିନଥୋଇ ପେନାଲ୍ଟିରୁ ଗୋଲ୍ ଅର୍ଜନ କରି ଦଳର ଖାତା ଖୋଲିଥିଲେ। ହେଲେ ଇଷ୍ଟ୍‌ବେଙ୍ଗଲ ୨-୧ରେ ବିଜୟୀ ହୋଇ ପୂରା ୩ ପଏଣ୍ଟ ଅର୍ଜନ କରିବା ସହ ପ୍ରତିଯୋଗିତାରେ ଷଷ୍ଠ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଇଣ୍ଡିଆନ୍ ଆରୋଜ୍ ସପ୍ତମ ପରାଜୟ ବରଣ କରିଥିଲା। ମଙ୍ଗଳବାର ମ୍ୟାଚ୍‌ରେ ଇଷ୍ଟ୍‌ବେଙ୍ଗଲକୁ ଦର୍ଶକଙ୍କ ଜବରଦସ୍ତ ସମର୍ଥନ ମିଳିଥିଲା।

ସମ୍ବନ୍ଧିତ ଖବର