ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଦ୍ୱାଦଶ ସର୍ବଭାରତୀୟ ଏଲ୍ଆଇସି କ୍ରୀଡ଼ା ମହୋତ୍ସବ ରବିବାର ଉଦ୍ଯାପିତ ହୋଇଯାଇଛି। ପଶ୍ଚିମ ଜୋନ୍ ଦଳଗତ ବିଜେତା ହୋଇ ଚେୟାର୍ମ୍ୟାନ୍ ଟ୍ରଫି ହାତେଇ ନେଇଥିବାବେଳେ ୩ ସ୍ପି୍ରିଣ୍ଟର୍ ମୋନିକା ଆଥାରେ, କାଳିଦାସ ହିରାଭେ ଏବଂ ଏ ଯୋଗେଶ ବ୍ୟକ୍ତିଗତ ଶ୍ରେଷ୍ଠତ୍ୱ ପାଇଁ ପୁରସ୍କୃତ ହୋଇଛନ୍ତି। ଲଗାତାର ୩ଟି ଇଭେଣ୍ଟରେ ପ୍ରଥମ ସ୍ଥାନ ଦଖଲ କରି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଗତ ଲଣ୍ଡନ୍ ବିଶ୍ୱ ଦୌଡ଼କୁଦରେ ଭାଗ ନେଇଥିବା ମୋନିକା ଆଥାରେ ୪୦୦, ୮୦୦ ଏବଂ ୧୫୦୦ ମିଟର୍ ଜିତିଥିବାବେଳେ କାଳିଦାସ ଶୁକ୍ରବାର, ୧୫୦୦, ୫୦୦୦ ମିଟର୍ ଏବଂ ଶନିବାର ୧୦,୦୦୦ ମିଟର୍ ଦୌଡ଼ରେ ପ୍ରଥମ ସ୍ଥାନ ଦଖଲ କରିଥିଲେ। ଯୋଗେଶ ୪୦୦ ମିଟର୍ ଏବଂ ୧୧୦ ମିଟର ବାଧାଦୌଡ଼ରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ରବିବାର ୧୦୦ ମିଟର ପୁରୁଷରେ ଏକେ ଗୁଜ୍ଜର (୧୦.୮ ସେକେଣ୍ଡ୍) ଏବଂ ମହିଳାରେ ନିଥୁ ମାଥ୍ୟୁ (୧୨.୪ ସେକେଣ୍ଡ୍) ପ୍ରଥମ ସ୍ଥାନ ଦଖଲ କରି ଶ୍ରେଷ୍ଠ ଧାବକ ଓ ଧାବିକା ପୁରସ୍କାର ପାଇଥିଲେ। ୪ ଗୁଣା ୧୦୦ ମିଟର୍ ରିଲେରେ ପଶ୍ଚିମ, ଉତ୍ତର, ଦକ୍ଷିଣ ମଧ୍ୟ ଜୋନ୍ ପ୍ରଥମ ୩ ସ୍ଥାନରେ ରହିଥିଲେ।
ବ୍ୟାଡ୍ମିଣ୍ଟନ୍ର ପୁରୁଷ ବର୍ଗ ଫାଇନାଲ୍ରେ ଉତ୍ତରଜୋନର ସିଦ୍ଧାର୍ଥ୨୦-୧୫, ୨୦-୧୫ରେ ପ୍ରେମସିଂହଙ୍କୁ ଏବଂ ମହିଳାରେ ପଶ୍ଚିମ ଜୋନ୍ର ବରଦା ଦୀକ୍ଷିତ ୨୧-୧୬, ୨୧-୧୬ରେ ଉତ୍ତର ଜୋନ୍ର ଶ୍ରଦ୍ଧା ଶ୍ରୀବାସ୍ତବଙ୍କୁ ହରାଇ ବିଜେତା ଆଖ୍ୟା ଅର୍ଜନ କରିଥିଲେ। ସେହିଭଳି ଭଲିବଲ୍ ଫାଇନାଲ୍ରେ ରବିବାର ଦକ୍ଷିଣକେନ୍ଦ୍ରୀୟ ଜୋନ୍ ୩-୦ରେ ଦକ୍ଷିଣ ଜୋନ୍କୁ ପରାସ୍ତ କରି ବିଜେତା ହୋଇଥିଲା। ଟେବୁଲ୍ ଟେନିସ୍ରେ ପଶ୍ଚିମ ଜୋନ୍ର ରବି ଯୋଶୀଙ୍କୁ ୪-୧ରେ ପରାସ୍ତ କରି ପୂର୍ବ ଜୋନ୍ର ସୌଗତ ସରକାର ବିଜେତା ହୋଇଥିଲେ। ଦଳଗତ ଟ୍ରଫି ମଧ୍ୟ ପୂର୍ବଜୋନ୍କୁ ମିଳିଥିଲା।
ଚେସ୍ରେ ପଶ୍ଚିମ ଜୋନ୍ର ଡବ୍ଲ୍ୟୁଜିଏମ୍ ସ୍ୱାତୀ ଘାଟେ (୮.୫) ଏବଂ ସ୍ଥାନୀୟ ଖେଳାଳି ତଥା ପୂର୍ବମଧ୍ୟ ଜୋନ୍ର ଡବ୍ଲୁୁଜିଏମ୍ କିରଣ ମନୀଷା ମହାନ୍ତି (୮) ଯଥାକ୍ରମେ ବିଜେତା ଓ ଉପ ବିଜେତା ରହିଥିଲେ। ଏଥି ସହିତ କିରଣ ମନୀଷା ଆୟୋଜକ ଭୁବନେଶ୍ୱର ମଣ୍ଡର ସମ୍ମାନ ରଖିଥିଲେ। ପୁରୁଷ ବିଭାଗରେ ଆଇଏମ୍ ଯୋଡ଼ି କେ ଦୀନେଶ ଶର୍ମା (ଉତ୍ତରକେନ୍ଦ୍ରୀୟ) ଏବଂ ଅନୂପ ଦେଶମୁଖ (ପଶ୍ଚିମ) ସମାନ ୭.୫ ପଏଣ୍ଟ ସହ ସହ ଯଥାକ୍ରମେ ବିଜେତା ଓ ଉପ ବିଜେତା ହୋଇଥିଲେ। ଗ୍ରାଣ୍ଡମାଷ୍ଟର୍ ଶ୍ରୀରାମ ଝା (ଉତ୍ତର) ୬.୫ ପଏଣ୍ଟ୍ ସହିତ ତୃତୀୟ ସ୍ଥାନରେ ରହିଥିଲେ।
କ୍ୟାରମ୍ରେ ଦକ୍ଷିଣ ଜୋନ୍ର ଡି ଦିଲ୍ଲୀବାବୁ, ପଶ୍ଚିମ ଜୋନର ପ୍ରକାଶ ଗାଏକ୍ୱାଡ୍, ଉତ୍ତରର ଜାହିର୍ ଅହମ୍ମଦ, ମହିଳାରେ ଦକ୍ଷିର କେନ୍ଦ୍ରୀୟର ଏସ୍ ଅପୂର୍ବା, ପୂର୍ବ ମଧ୍ୟର ଦୀପିକା ସିହ୍ନା ଏବଂ ପଶ୍ଚିମର ମେଧା ମାଠକରୀ ଶ୍ରେଷ୍ଠ ୩ ସ୍ଥାନରେ ରହିଥିଲେ। ଦଳଗତ ପୁରୁଷରେ ପଶ୍ଚିମ, ଉତ୍ତର କେନ୍ଦ୍ରୀୟ, ପୂର୍ବ ଏବଂ ମହିଳାରେ ପଶ୍ଚିମ, ଦକ୍ଷିଣ କେନ୍ଦ୍ରୀୟ, ପୂର୍ବମଧ୍ୟ କ୍ଷେତ୍ର ଶୀର୍ଷ ୩ ଦଳ ସ୍ଥାନ ଦଖଲ କରିଥିଲେ।
ଉଦ୍ଯାପନୀ ଉତ୍ସବରେ ଏଲ୍ଆଇସିର କାର୍ଯ୍ୟନିର୍ବାହୀ ନିର୍ଦେଶକ ହେମନ୍ତ ଭାର୍ଗବ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପଶ୍ଚିମ କ୍ଷେତ୍ରକୁ ଚେୟାର୍ମ୍ୟାନ୍ସ ଟ୍ରଫି ପ୍ରଦାନ କରିଥିଲେ। ସ୍ୱାତୀ ଘାଣେ, ଟି ନିର୍ମଳା, ରୀନେଶ କୁମାର, ସୌଗତ ସରକାର, ମୋନିକା ଆଥାରେ, ଜୋଲିନ୍ ଲୋବୋ, ଏସ୍ ଲଳିତା, ଏସ୍ ଅପୂର୍ବାଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ଏଲ୍ଆଇସି ସ୍ପୋର୍ଟସ ପ୍ରମୋସନ୍ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦେଶକ କିରଣ ସହଦେବ, ସମ୍ପାଦକ ଭବାନୀ ଶଙ୍କର ରଥ, ଭୁବନେଶ୍ୱର ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବଂଧକ ଲକ୍ଷ୍ମୀପ୍ରସାଦ ଦାସ, ପ୍ରତିଯୋଗିତାର ପରିଚାଳନା ସମିତି ଆବାହକ ତଥା ଭୁବନେଶ୍ୱର ମଣ୍ଡଳ ବିପଣନ ପ୍ରବଂଧକ ଅନନ୍ତ ଭୂଷଣ ରଥ, କାର୍ମିକ ଓ ଔଦ୍ୟୋଗିକ ସମ୍ପର୍କ ବିଭାଗ ପ୍ରବଂଧକ ନୃସିଂହ ଚରଣ ବେହେରା, ବିକ୍ରୟ ବିଭାଗ ପ୍ରବଂଧକ ପ୍ରମୋଦ କୁମାର ସାହୁ, ଭୁବନେଶ୍ୱର ମଣ୍ଡଳ କ୍ରୀଡ଼ା କ୍ଲବ୍ ସମ୍ପାଦକ ରମାକାନ୍ତ ଦାଶ, ସଦସ୍ୟ ରୂପନାରାୟଣ ସାହୁ, ସୁଧାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।