ଭୁବନେଶ୍ୱର: ଯୁବ ଆଇ-ଲିଗ୍ ଫୁଟ୍ବଲ୍ (୧୫ ବର୍ଷରୁ କମ୍) ପଦାର୍ପଣରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ଚମତ୍କାର ଆରମ୍ଭ କରିଛି। ପୁନେରେ ଆରମ୍ଭ ହୋଇଥିବା ଅବଶିଷ୍ଟ ଭାରତ ଜୋନ୍ର ଗ୍ରୁପ୍ ‘ସି’ରେ ନିଜର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ଦଳ ୯-୦ରେ ଫତେ ହାଇଦ୍ରାବାଦ ଏଏଫ୍ସିକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ସମୀର କେରକେଟା (୧୩ ଓ ୫୨ ମିନିଟ୍), ଦୁର୍ଗା ମାର୍ଣ୍ଡି (୬୬ ଓ ୯୩ ମିନିଟ୍), ବୃନ୍ଦାବନ ମୁଣ୍ଡା (୪୮ ଓ ୭୭ ମିନିଟ୍) ପ୍ରତ୍ୟେକ ୨ ଲେଖାଏଁ ଗୋଲ୍ ଦେଇଥିବାବେଳେ ସାଗର ମାଝୀ (୧୮ ମିନିଟ୍), ରଘୁ ମାରାଣ୍ଡି (୩୬ ମିନିଟ୍), ଗୋପାଳ ହେମ୍ବ୍ରମ୍ (୮୫ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ପରବର୍ତୀ ମ୍ୟାଚ୍ରେ ଓଡ଼ିଶା ବୁଧବାର ଅନନ୍ତପୁର ସ୍ପୋର୍ଟସ ଏକାଡେମି ସହିତ ଖେଳିବ। ସୋମବାର ଅନ୍ୟଏକ ମ୍ୟାଚ୍ରେ ଡିକେଏସ୍ ଶିବିାଜିଆନ୍ସ ୩-୦ରେ ଶକ୍ତିଶାଳୀ ଟିଏଫ୍ଏକୁ ପରାସ୍ତ କରିଥିଲା। ଓଡ଼ିଶା ଦଳ ୨୨ରେ ଶିବାଜିଆନସ ଏବଂ ୨୪ରେ ଟିଏଫଏ ସହିତ ଖେଳିବ।
ଓଡ଼ିଶା ଦଳର ପ୍ରସ୍ତୁତି ନଭେମ୍ବର ପହିଲାରୁ ପ୍ରାୟ ଦେଢ଼ ମାସ ଧରି କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିଲା। ଓଡ଼ିଶା ଦଳ ‘ଏ’ ଲାଇସେନ୍ସପ୍ରାପ୍ତ ପ୍ରଶିକ୍ଷକ ତଥା ବୈଷୟିକ ନିର୍ଦେଶକ ଏବଂ ଯୁବ ବିକାଶ ମୁଖ୍ୟ ଶୁଭେନ୍ଦୁ ପଣ୍ଡାଙ୍କ ତତ୍ୱାବଧାନରେ ଏହି ପ୍ରସ୍ତୁତି କରି ଏବେ ଚମତ୍କାର ପଦାର୍ପଣ କରିଛି। ଶିବାଜିଆନ୍ସ ବିପକ୍ଷ ମ୍ୟାଚ୍ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି ଶ୍ରୀ ପଣ୍ଡା। ପ୍ରଶିକ୍ଷକ ପରାସର ବାଗ ଏବଂ ଫିଜିଓ ମୁକ୍ତି ପ୍ରସାଦ ଦାଶଙ୍କ ପରିଶ୍ରମ ପାଇଁ ଦଳ ପ୍ରଥମ ସଫଳତା ପାଇଛି ବୋଲି ସେ କହିଥିଲେ। ପରବର୍ତୀ ମ୍ୟାଚ୍ ପାଇଁ ଏହା ଖେଳାଳିଙ୍କ ମନୋବଳ ବଢ଼ାଇବ ବୋଲି ସେ ପ୍ରକାଶ କରିଥିଲେ।
ଓଡ଼ିଶା ଦଳ: ଗୋଲରକ୍ଷକ: ଅମି୍ରତ ଲାକ୍ରା, ସୁବ୍ରତ ପ୍ରଧାନ, ଉମେଶ ସିଂହ। ରକ୍ଷଣ ଭାଗ: ଗୋପାଳ ହେମ୍ବ୍ରମ୍, ସଂଜିତ କହଁର, ସାଗର ମାଝୀ, ବବ୍ଲୁ କହଁର,, ଲାଲୁ ହେମ୍ବ୍ରମ୍, ଜ୍ୟୋତିର୍ମୟ ଗଡ଼ତିଆ। ମଧ୍ୟଭାଗ: ରଘୁ ମାରାଣ୍ଡି, ଲକ୍ଷ୍ମଣ ମାର୍ଣ୍ଡି, ବୀରସିଂହ ହେମ୍ବ୍ରମ୍, ଜଗଦୀଶ ଓରାମ, ନବୀନ ମାଝୀ, ଦୁର୍ଗା ମାରାଣ୍ଡି। ଅଗ୍ରଭାଗ: ପୁରୁଷୋତ୍ତମ କେରକେଟା, ବୃନ୍ଦାବନ ମୁଣ୍ଡା, ଫଗୁ ମାଝୀ, ସମୀର କେରକେଟା, ରଂଜନ ମାଝୀ। ପ୍ରଶିକ୍ଷକ: ପରାସର ବାଗ, ପ୍ରବଂଧକ: ଯଶପାଲ୍ ଉର୍ମା, ଫିଜିଓ: ଡାକ୍ତର ମୁକ୍ତି ପ୍ରସାଦ ଦାଶ।