ପୂର୍ବାଞ୍ଚଳ ମହିଳା ଟେ୍ଵଣ୍ଟି-୨୦: ଓଡ଼ିଶାର ପ୍ରଥମ ବିଜୟ 

ଭୁବନେଶ୍ୱର: ଗୌହାଟୀରେ ଚାଲିଥିବା ୨୩ ବର୍ଷରୁ କମ୍‌ ପୂର୍ବାଞ୍ଚଳ ମହିଳା ଟେ୍ଵଣ୍ଟି-୨୦ ପ୍ରତିଯୋଗିତାରେ କ୍ରମାଗତ ଦୁଇଟି ପରାଜୟ ପରେ ଶେଷରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲଠୁ ୮ ଓ୍ଵିକେଟ୍‌ରେ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଆସମଠୁ ୪ ଓ୍ଵିକେଟ୍‌ରେ ହାରି ଯାଇଥିବା ଓଡ଼ିଶା ମଙ୍ଗଳବାର ତୃତୀୟ ମ୍ୟାଚ୍‌କୁ ୫ ଓ୍ଵିକେଟ୍‌ରେ ଜିତି ନେଇଛି। ଓଡ଼ିଶା ଏହି ମ୍ୟାଚ୍‌ରେ ତ୍ରିପୁରାକୁ ପରାସ୍ତ କରି ୪ ପଏଣ୍ଟ୍‌ ପାଇଛି।
ଟସ୍‌ ଜିତି ଓଡ଼ିଶା ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ସଂଗୀତା ଖାଡିଆ (୨ ଓଭର, ୭ ରନ୍‌ , ୪ ଓ୍ଵିକେଟ୍‌)ଙ୍କ ଘାତକ ବୋଲିଂ ସାଙ୍ଗକୁ ବର୍ଷାରାଣୀ ସିଂହ ( ୧ ଓଭର, ୬ ରନ୍‌, ୧ ଓ୍ଵିକେଟ୍‌) ଓ ଅଞ୍ଜଳି ସିଂହ (୪ ଓଭର, ୧୩ ରନ୍‌, ୧ ଓ୍ଵିକେଟ୍‌)ଙ୍କ ଉପଯୋଗୀ ବୋଲିଂ ବଳରେ ଓଡ଼ିଶା ପ୍ରତିପକ୍ଷ ତ୍ରିପୁରା ପାଳିକୁ ୯୦/୯ ରନ୍‌ରେ ଅଟକାଇ ଦେଇଥିଲା। ଓଡ଼ିଶା କ୍ଷେତ୍ରରକ୍ଷକମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ୩ ଜଣଙ୍କୁ ରନ୍‌ ଆଉଟ୍‌ କରିଦେଇଥିଲେ। ତ୍ରିପୁରା ପକ୍ଷରୁ ଏନ୍‌ ଦେବନାଥ (୨୩), ପୁଷ୍ପା ଜାମାଟିଆ (୧୨), ଆର୍‌ ଦେବନାଥ (୨୩) ଓ କେ ଦେବବର୍ମା (୧୧) ଦୁଇ ଅଙ୍କ ଅତିକ୍ରମ କରପାରିଥିଲେ। ୮୯ ରନ୍‌ରେ ୫ ଓ୍ଵିକେଟ୍‌ ହରାଇଥିବା ତ୍ରିପୁରା ସେହି ସ୍କୋର୍‌ରେ ୪ ଓ୍ଵିକେଟ୍‌ ହରାଇଥିଲା। ଜବାବରେ ସସ୍ମିତା ମଲ୍ଲିକଙ୍କ ୩୪, ରିମାଲକ୍ଷ୍ମୀ ଏକ୍କାଙ୍କ ଅପରାଜିତ ୨୫ ଓ ସୁମିତ୍ରା ସାହୁଙ୍କ ୧୪ ରନ୍‌ ବଳରେ ଓଡ଼ିଶା ୧୮.୫ ଓଭରରେ ୫ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଅଞ୍ଜଳି ସିଂହ ଓ ସିଲ୍ପା ସ୍ୱାଇଁ ଖାତା ଖୋଲିପାରିନଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଗୀତା ଖାଡିଆ ୯ ଓ ବର୍ଷାରାଣୀ ସିଂହ ଅପରାଜିତ ୩ ରନ୍‌ କରିଥିଲେ। ସୁରଭି ରୟ, ଗଙ୍ଗାଟି ତ୍ରିପୁରା ଓ ଏସ୍‌ବି ସିହ୍ନା ତ୍ରିପୁରା ପକ୍ଷରୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର