ମଧୁସ୍ମିତାଙ୍କ ଶତକ ପୂର୍ବାଞ୍ଚଳକୁ ରକ୍ଷାକଲା

ଭୁବନେଶ୍ୱର/କଟକ: କେରଳର ଗ୍ରୀନ୍‌ଫିଲ୍ଡ ଷ୍ଟାଡିୟମରେ ପୂର୍ବାଞ୍ଚଳ ଓ ଉତ୍ତରାଞ୍ଚଳ ମଧ୍ୟରେ ଚାଲିଥିବା ଅନ୍ତଃ ଜୋନ୍‌ ତିନିଦିନିଆ ମହିଳା କ୍ରିକେଟ ମ୍ୟାଚ୍‌ରେ ରୋମାଞ୍ଚକ ଭାବେ ଅମୀମାଂସିତ ରହିଛି। ଓଡ଼ିଶା ଅଧିନାୟକ ମଧୁସ୍ମିତା ବେହେରାଙ୍କ ଅପରାଜିତ ଶତକ ବଳରେ ପୂର୍ବାଞ୍ଚଳ ପରାଜୟରୁ ବର୍ତି ୧ ପଏଣ୍ଟ୍‌ ଅର୍ଜନ କରିବାରେ ସକ୍ଷମ ହୋଇଛି। ମଧୁସ୍ମିତା ବେହେରା (୧୧୪*, ୩୧୨ ବଲ୍‌, ୧୬ ଚୌକା) ଏବଂ ବେଙ୍ଗଲ ତାରକା ତନୁଶ୍ରୀ ସରକାର (୯୯, ୧୯୧ ବଲ୍‌, ୧୬ ଚୌକା) ଷଷ୍ଠ ଓ୍ଵିକେଟ୍‌ରେ ୧୭୯ ରନ୍‌ ଯୋଡ଼ି ପୂର୍ବାଞ୍ଚଳକୁ ରକ୍ଷା କରିଥିଲେ। ଫଳରେ ମଙ୍ଗଳବାର ତୃତୀୟ ତଥା ଶେଷ ଦିନରେ ୯୪ ରନରେ ୫ ଓ୍ଵିକେଟ୍‌ ହରାଇଥିବା ପୂର୍ବାଞ୍ଚଳ ୭ ଓ୍ଵିକେଟ୍‌ରେ ୩୦୫ ରନ୍‌ କରିଥିବାବେଳେ ଖେଳ ଅମୀମାଂସିତ ରହିଥିଲା।

କିନ୍ତୁ ପ୍ରଥମ ପାଳିରେ ଦୟନୀୟ ବ୍ୟାଟିଂ କରିଥିବା ପୂର୍ବାଞ୍ଚଳ ୧ ପଏଣ୍ଟ୍‌ ଅର୍ଜନରେ ସନ୍ତୁଷ୍ଟ ରହିଥିଲା। ଅନ୍ୟତମ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ (୨୭*, ୧୩ ବଲ୍‌, ୩ ଚୌକା, ୧ ଛକା) ଶେଷକୁ ବିସ୍ଫୋରକ ପାଳି ଖେଳି ମଧୁସ୍ମିତାଙ୍କ ସହିତ ଅତୁଟ ଅଷ୍ଟମ ଓ୍ଵିକେଟ୍‌ରେ ୩୧ ରନ୍‌ ଯୋଡ଼ିଥିଲେ। ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଉତ୍ତରାଞ୍ଚଳ ୩ ପଏଣ୍ଟ ନେଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ପୂର୍ବାଞ୍ଚଳ ପ୍ରଥମ ପାଳିରେ ମାତ୍ର ୫୪ ରନ୍‌ କରିଥିବାବେଳେ ଉତ୍ତରାଞ୍ଚଳ ୧୯୪ ରନ୍‌ରେ ସୀମିତ ରହିଥିଲା। ସଂକ୍ଷିପ୍ତ ସ୍କୋର୍‌: ପୂର୍ବାଞ୍ଚଳ ୫୪ ଏବଂ ୩୦୫/୭ (ତନୁଶ୍ରୀ ସରକାର-୯୯, ପାରମିତା ରାୟ-୪୧, ମଧୁସ୍ମିତା ବେହେରା-୧୧୪*, ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ-୨୭*, ଟିପି କଓ୍ଵଁର-୩/୬୦)। ଉତ୍ତରାଞ୍ଚଳ ପ୍ରଥମ ପାଳି: ୧୯୪ (ପ୍ରିୟା ପୁନିଆ-୭୩, ଦିବ୍ୟାଣୀ ପ୍ରସାଦ-୩/୪୩, ସାଇକା ଇସାକ୍‌-୨/୨୫, ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ-୨/୩୬, ମଧୁସ୍ମିତା ବେହେରା-୨/୪୯)। ଅନ୍ତଃ ଜୋନ୍‌ ମହିଳା କ୍ରିକେଟ୍‌

ସମ୍ବନ୍ଧିତ ଖବର