ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ୩୫ତମ ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଓଡ଼ିଆ ଖେଳାଳି ନିଜ ଚମକ ଦେଖାଇ ୮ ଲେଖାଏଁ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୧୦ କାଂସ୍ୟ ସହ ମୋଟ ୨୬ ପଦକ କରାୟତ୍ତ କରିଛନ୍ତି। ୨୦ ବର୍ଷରୁ କମ୍‌ ପୁରୁଷ ୧୦୦ ମିଟର ଦୌଡ଼ରେ ଡଣ୍ଡପତି ମୃତ୍ୟୁମ ଜୟରାମ (୧୦.୮୪ ସେକେଣ୍ଡ) ଓ ମହେନ୍ଦ୍ର ସାନ୍ତା (୧୦.୯୩ ସେକେଣ୍ଡ) ଓଡ଼ିଶାକୁ ୧-୨ ସଫଳତା ଦେଇଥିଲେ। ୧୮ ବର୍ଷରୁ କମ୍‌ରେ ପ୍ରତୀକ ମହାରାଣା (୧୦.୯୨ ସେକେଣ୍ଡ) ସ୍ବର୍ଣ୍ଣ ଓ ଚିନ୍ମୟ ନାଗ (୧୧.୧୪ ସେକେଣ୍ଡ) କାଂସ୍ୟ ଜିତିଥିଲେ। ୧୮ ବର୍ଷରୁ କମ୍‌ ବାଳିକାରେ ସଂଜୁ ହନ୍ତାଳ (୧୨.୭୭ ସେକେଣ୍ଡ) କାଂସ୍ୟ ଜିତିଥିଲେ। ୨୦ ବର୍ଷରୁ କମ୍‌ ପୁରୁଷ ୪୦୦ ମିଟର ଦୌଡ଼ରେ ବାପି ହାଁସ୍‌ଦା (୪୭.୮୪ ସେକେଣ୍ଡ) ଓ ଅସ୍ତିକ ପ୍ରଧାନ (୪୭.୯୨ ସେକେଣ୍ଡ) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ କରାୟତ୍ତ କରିଥିଲେ। ୧୮ ବର୍ଷରୁ କମ୍‌ ବାଳିକାରେ ଆକିରେଡ୍ଡୀ କେପିଜି (୧:୦୧.୭୯ ‌ସେକେଣ୍ଡ) କାଂସ୍ୟ ପାଇଥିଲେ। 

Advertisment

ସେହିଭଳି ୨୦ ବର୍ଷରୁ କମ୍‌ ପୁରୁଷ ୧୦୦୦୦ ମିଟର ରେସ୍‌ ୱାକ୍‌ରେ ସନ୍ତୋଷ ବେହେରା (୫୭:୧୬.୮୩ ସେକେଣ୍ଡ) କାଂସ୍ୟ ଜିତିଥିଲେ। ୧୮ ବର୍ଷରୁ କମ୍‌ ବାଳକ ସଟ୍‌ପୁଟ୍‌ରେ ଓମ୍‌କାର ପ୍ରସାଦ ନନ୍ଦ (୧୯.୨୮ ମିଟର), ୨୦ ବର୍ଷରୁ କମ୍‌ ମହିଳାରେ ଅଂଶିକା ରାଉତରାୟ (୧୧.୬୮ ମିଟର), ୧୮ ବର୍ଷରୁ କମ୍‌ ବାଳିକା ଡିସ୍‌କସ୍‌ରେ ପୂରବୀ ପାଢ଼ୀ (୩୯.୧୨ ମିଟର), ୧୬ ବର୍ଷରୁ କମ୍‌ ବାଳିକା ଜାଭ୍‌ଲିନ୍‌ରେ ଆଲୋକିକା ସ୍ବାଇଁ (୩୯.୩୮ ମିଟର) ସ୍ବର୍ଣ୍ଣ ଜିତିଥିଲେ। ୧୪ବର୍ଷରୁ କମ୍ ବାଳିକା ଟ୍ରାଇଥଲାନ୍‌ରେ ସମୀକ୍ଷା ସ୍ମରଣିକାଙ୍କୁ ସ୍ବର୍ଣ୍ଣ ଏବଂ ଏଲ. ସ୍ନିଗ୍ଧାଙ୍କୁ ରୌପ୍ୟ ପଦକ ମିଳିଛି। ୨୦ ବର୍ଷରୁ କମ୍‌ ପୁରୁଷ ୫୦୦୦ ମିଟରରେ ପ୍ରଦୀପ ମହାନ୍ତ (୧୫:୩୧.୭୧), ୧୬ ବର୍ଷରୁ କମ୍‌ ବାଳକ ସଟ୍‌ପୁଟ୍‌ରେ ସୌମ୍ୟରଂଜନ  ପ୍ରିୟଦର୍ଶୀ (୧୨.୭୯ ମିଟର), ୮୦ ମିଟର ବାଳିକା ବାଧାଦୌଡ଼ରେ ଦୀପ୍ତିମୟୀ ଦାସ (୧୨.୨୪ ମିଟର) ରୌପ୍ୟ ପାଇଥିଲେ। ୨୦ ବର୍ଷରୁ କମ୍‌ ପୁରୁଷ ଲମ୍ବ ଡିଆଁରେ ନରେଶ ରୋହିଦାସ (୬.୭୦ ମିଟର), ୧୮ ବର୍ଷରୁ କମ୍‌ ବାଳିକାରେ ସଂଜୁ ହନ୍ତାଳ (୫.୨୬ ମିଟର), ବାଳକ ଉଚ୍ଚ ଡିଆଁରେ ସାଗର ଏକ୍କା (୧.୮୦ ମିଟର) କାଂସ୍ୟ ପଦକ କରାୟତ୍ତ କରିଥିଲେ। ୧୬ ବର୍ଷରୁ କମ୍‌ ଜାଭ୍‌ଲିନ୍‌ରେ ସତ୍ୟରଂଜନ ନାୟକ (୫୭.୫୩) ରୌପ୍ୟ ଓ ଦେବସ୍ତୁତି ମହାନ୍ତି (୫୪.୩୪ ମିଟର) କାଂସ୍ୟ ପାଇଥିଲେ। ୧୮ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ବାଧାଦୌଡ଼ରେ ବାସନ୍ତୀ ମାଝୀ (୧୫.୪୩ ସେକେଣ୍ଡ) ରୌପ୍ୟ ଓ ଗୁରୁପୂଜା ପରିଡ଼ା (୧୫.୯୩ ସେକେଣ୍ଡ) କାଂସ୍ୟ ପାଇଥିଲେ। ୨୦ ବର୍ଷରୁ କମ୍‌ ମହିଳା ୧୦୦ ମିଟର ବାଧାଦୌଡ଼ରେ ଅମ୍ରିତା ଡୁଙ୍ଗଡୁଙ୍ଗ (୧୮.୬୭ ସେକେଣ୍ଡ) କାଂସ୍ୟ ପଦକ କରାୟତ୍ତ କରିଥିଲେ।

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀ ସୂରଜ ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ଆୟୋଜନ ମାଧ୍ୟମରେ ସମସ୍ତ ଯୁବ କ୍ରୀଡ଼ାବିତ୍‌ମାନେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ପାଇଛନ୍ତି ବୋଲି କହିଥିଲେ। ବୁଧବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୦ଟି ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ମେଘାଳୟ, ନାଗାଲାଣ୍ଡ, ସିକିମ, ଅରୁଣାଚଳ ପ୍ରଦେଶ, ଆସାମ ଓ ମଣିପୁରରୁ ୬୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଭାଗ ନେଇଛନ୍ତି। ବିହାରରୁ ସର୍ବାଧିକ ୧୩୪ ଏବଂ ନାଗାଲାଣ୍ଡରୁ ସର୍ବନିମ୍ନ ୫ ଜଣ ଭାଗନେଉଛନ୍ତି। ଓଡ଼ିଶାରୁ ୧୧୫ଜଣ କ୍ରୀଡ଼ାବିତ୍‌ ଏଥିରେ ଅଂଶଗ୍ରହଣ କରିଛନ୍ତି।