ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ୩୫ତମ ପୂର୍ବାଞ୍ଚଳ ଦୌଡ଼କୁଦ ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଛି। ଏଥିରେ ଓଡ଼ିଶା ୨୨୯ ପଏଣ୍ଟ୍ ସହ ଉପବିଜେତା ହୋଇଥିଲା ବେଳେ ପଶ୍ଚିମବଙ୍ଗ (୨୫୫) ବିଜେତା ହୋଇଥିଲା। ବାଳକରେ ଓଡ଼ିଶା (୧୨୬) ବିଜେତା ଏବଂ ପଶ୍ଚିମବଙ୍ଗ (୧୦୨) ଉପବିଜେତା ହୋଇଥିଲା ବେଳେ ବାଳିକାରେ ପଶ୍ଚିମବଙ୍ଗ (୧୫୩) ବିଜେତା ଏବଂ ଓଡ଼ିଶା (୯୩) ଉପବିଜେତା ହୋଇଛି।
ଉଦ୍ଯାପନୀ ଉତ୍ସବରେ ଓଡ଼ିଶା ହକି ବିକାଶ ପରିଷଦ ସିଇଓ ଦୀପଙ୍କର ମହାପାତ୍ର, କ୍ରୀଡ଼ା ବିଭାଗ ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ନିଜର ଅଭିଭାଷଣରେ ଶ୍ରୀ ମହାପାତ୍ର ସମସ୍ତ କ୍ରୀଡ଼ାବିତ୍ଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପ୍ରତିଯୋଗିତା ଆୟୋଜନ ମାଧ୍ୟମରେ ଯୁବକ୍ରୀଡ଼ାବିତ୍ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ପାଇ ପାରୁଛନ୍ତି ବୋଲି କହିଥିଲେ। ଏଥିସହ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ସମସ୍ତ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ସୂଚନାଯୋଗ୍ୟ ଯେ, ଆସନ୍ତା ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ଠାରେ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ।