ସହଜ ବିଜୟ ସହ କ୍ୱାର୍ଟରରେ ପାରାମାଉଣ୍ଟ୍‌-ଏ

ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍‌

ଭୁବନେଶ୍ୱର: ଆୟୋଜକ ପାରାମାଉଣ୍ଟ୍‌ ସ୍ପୋର୍ଟିଂର ‘ବି’ ଦଳ ପରେ ‘ଏ’ ଦଳ ମଧ୍ୟ ଚଳିତ ଅରବିନ୍ଦ ସ୍ମାରକୀ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ ଗେଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ପଞ୍ଚମ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପାରାମାଉଣ୍ଟ୍‌-ଏ ଦଳ ୧୦ ଓ୍ଵିକେଟ୍‌ରେ ମୟୂରଭଞ୍ଜ କ୍ରିକେଟ୍‌ ଏକାଡେମି (ବାରିପଦା)କୁୁ ପରାସ୍ତ କରିଦେଇଛି।
ଟସ୍‌ ଜିତି ବାରିପଦା ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ପାରାମାଉଣ୍ଟ୍‌ ବୋଲରଙ୍କ ଘାତକ ବୋଲିଂ ସାଙ୍ଗକୁ ଚମତ୍କାର କ୍ଷେତ୍ରରକ୍ଷଣ ନିକଟରେ ତିଷ୍ଠିନପାରି ୨୮.୨ ଓଭରରେ ମାତ୍ର ୬୩ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ସୁବତ୍ର ସିଂହ (ଅପରାଜିତ ୩୩) ଏକମାତ୍ର ବ୍ୟାଟ୍‌ସମ୍ୟାନ୍‌ ଭାବେ ଦୁଇ ଅଙ୍କ ଟପିଥିଲେ। ପାରାମାଉଣ୍ଟ୍‌ ପକ୍ଷରୁ ସଫଳ ବୋଲର ଭାବେ ରୀତେଶ ପ୍ରିୟରଞ୍ଜନ ୮ ଓଭରରେ ୩ ରନ୍‌ ଦେଇ ୩ ଏବଂ ପାର୍ଥ ସାରଥୀ ସାହୁ ୬ ଓଭରରେ ୧୭ ରନ୍‌ ଦେଇ ୪ ଓ୍ଵିକେଟ୍‌ ଦଖଲ କରିଥିଲେ। ଜବାବରେ ପ୍ରାରମ୍ଭିକ ଯୋଡ଼ି ସୁଦର୍ଶନ ସ୍ୱାଇଁ (୨୬*) ଏବଂ ଏମ୍‌ ଜ୍ଞାନେନ୍ଦ୍ର କୁମାର (୧୭*)ଙ୍କ ଅପରାଜିତ ପାଳି ବଳରେ ପାରାମାଉଣ୍ଟ୍‌ ମାତ୍ର ୯ ଓଭରରେ କୌଣସି ଓ୍ଵିକେଟ୍‌ ନହରାଇ ସହଜ ବିଜୟ ହାସଲ କରିନେଇଥିଲା। ୩ ରନ୍‌ରେ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିବା ରୀତେଶ ପ୍ରିୟରଞ୍ଜନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ନମିତା ଦେବୀ ଯୁକ୍ତ-୨ ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠାତା ସତ୍ୟଜିତ୍‌ ରାୟଚୌଧୁରୀ ଅତିଥି ଭାବେ ଯୋଗଦେଇ ରୀତେଶଙ୍କୁ ପୁରସ୍କୃତ କରିଥିଲେ। ସୁଶାନ୍ତ ଦାଶ ଓ ନିର୍ମଳ ମିଶ୍ର ମ୍ୟାଚ୍‌ ପରିଚାଳନା କରିଥିଲେ। ସମ୍ପଦ ପଟ୍ଟନାୟକ ମ୍ୟାଚ୍‌ ରେଫରି ରହିଥିଲେ। ପରବର୍ତୀ ମ୍ୟାଚ୍‌ ତଥା ଷଷ୍ଠ ପ୍ରି-କ୍ୱାର୍ଟର ଫାଇନାଲ୍‌ ଗତବର୍ଷର ଉପବିଜେତା କଟକର ଜୁଭେନାଇଲ୍‌ କ୍ରିକେଟ୍‌ ଏକାଡେମି ଏବଂ ଭୁବନେଶ୍ୱରର ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌ ମଧ୍ୟରେ ଆସନ୍ତାକାଲି ଖେଳାଯିବ।

ସମ୍ବନ୍ଧିତ ଖବର