ଉଦୀପ୍ତଙ୍କୁ ସହାୟତାର ହାତ ବଢ଼ାଇଲା ଇବିଡବ୍ଲ୍ୟୁ

ଭୁବନେଶ୍ୱର: ଓଡ଼ିଶାର ଏକମାତ୍ର ପେସାଦାର ମୋଟର ସାଇକେଲ ରେସର ଉଦୀପ୍ତ କୁମାର ରଥଙ୍କୁ ମୁମ୍ବାଇର ଇବିଡବ୍ଲ୍ୟୁ (ଏକ୍ସପ୍ରେସ୍‌ ବାଇକ୍‌ ଓ୍ଵାର୍କସ) ନାମକ ଏକ କଂପାନି ସହାୟତାର ହାତ ବଢ଼ାଇଛି। ସ୍ୱୟଂଚାଳିତ ଗାଡ଼ି ଧୋଇବା ମେସିନ୍‌ ନିର୍ମାଣ କରୁଥିବା ଇବିଡବ୍ଲ୍ୟୁ ତାଙ୍କ ସହ ଏକବର୍ଷ ପାଇଁ ଚୁକ୍ତି କରିଛି। ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ଉଦୀପ୍ତଙ୍କୁ ଏହି କଂପାନି ପାଖା ପାଖି ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ। ଇବିଡବ୍ଲ୍ୟୁର ଭୁବନେଶ୍ୱର ସମେତ ସାରା ଦେଶରେ ସୋ ରୁମ୍‌ ରହିଛି। ସେହିଭଳି ଆଉ ଏକ ଖୁସି ଖବର ହେଲା ଚେନ୍ନାଇର ମ୍ୟାଡ୍‌ମଙ୍କି ମୋଟୋମୋଟିଭ୍ସ ନାମକ ଏକ କଂପାନି ଚଳିତ ଋତୁରେ ଉଦୀପ୍ତଙ୍କୁ ବୈଷୟିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି। ଗତ ଋତୁରେ ମଧ୍ୟ ଏହି କଂପାନି ତାଙ୍କ ସହ ଥିଲା। ଚଳିତ ଋତୁରେ ଏହି ସଂପର୍କକୁ ଅହୁରି ଆଗକୁ ନେବାକୁ କଂପାନି ଆଗ୍ରହ ପ୍ରକାଶ କରିଛି। ଫଳରେ ଉଦୀପ୍ତ ଜାତୀୟ ପ୍ରତିଯୋଗିତାରେ ପୂର୍ବାପେକ୍ଷା ଭଲ କରିବାର ଆଶା ସଂଚାର ହୋଇଛି। ଚଳିତ ବର୍ଷର ଜାତୀୟ ମୋଟୋର ସାଇକେଲ୍‌ ରେସିଂ ପ୍ରତିଯୋଗିତା ଆସନ୍ତା ଜୁନ୍‌ ମାସ ୮ ତାରିଖରୁ କୋଏମ୍ବାଟୁରରେ ଆରମ୍ଭ ହେବ। ଉଦୀପ୍ତ ଏଥିରେ ୪୦୦ ସିସିରୁ କମ୍‌ ବର୍ଗରେ କେଟିଏମ୍‌ ୩୯୦ ବାଇକ୍‌ ନେଇ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦଳର ଉନ୍ମୋଚନ ଭୁବନେଶ୍ୱରରେ ଆସନ୍ତାମାସରେ ହେବ। ତାଙ୍କ ଅଭିଯାନରେ ଇବିଡବ୍ଲୁ ଏବଂ ମ୍ୟାଡ୍‌ମଙ୍କି ମୋଟୋମୋଟିଭ୍ସ ଜଡ଼ିତ ହେବା ପରେ ଜାତୀୟ ପ୍ରତିଯୋଗିତା ସହ ମାଲେସିଆନ୍‌ ସୁପରବାଇକ୍‌ ରେସ୍‌ରେ ଭଲ କରିବା ଲାଗି ମୋ ମନୋବଳ ବଢ଼ିଛି ବୋଲି ଉଦୀପ୍ତ କହିଛନ୍ତି। ସୂଚନାଯୋଗ୍ୟ ଯେ ଉଦୀପ୍ତଙ୍କ ଲକ୍ଷ୍ୟ ହେଲା ବିଶ୍ୱ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା। ଏଥିଲାଗି ଲକ୍ଷ ଲକ୍ଷ ଟଙ୍କା ଦରକାର ହେଉଥିବାରୁ ସହଯୋଗର ହାତ ବଢ଼ାଇବାକୁ ଓଡ଼ିଶାରେ କାମ କରୁଥିବା ବଡ଼ ବଡ଼ କଂପାନିକୁ ସେ ଅନୁରୋଧ କରିଥିଲେ। ହେଲେ ଏପର୍ଯ୍ୟନ୍ତ ରାଜ୍ୟର କୌଣସି କଂପାନି ଏଥିନେଇ ଆଗ୍ରହ ପ୍ରକାଶ କରି ନାହାନ୍ତିି।

ସମ୍ବନ୍ଧିତ ଖବର