ବର୍ମିଂହାମ୍‌: ଜୁଲାଇ ୨ ତାରିଖରୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ୍ ଖେଳାଯିବ। ଏଥି ପାଇଁ ଯଶପ୍ରୀତ୍ ବୁମରାଙ୍କ ବୋଲିଂ ଅଭ୍ୟାସ ସହ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପ୍ରଥମ ଟେଷ୍ଟ୍‌ରେ ଭଲ ବ୍ୟାଟିଂ କରିବା ସତ୍ତ୍ବେ ଦ୍ବିତୀୟ ପାଳିରେ ପ୍ରଭାବୀ ବୋଲିଂ କରିପାରି ନଥିବା ଭାରତ ଏବେ ସଙ୍କଟରେ ପଡ଼ିଛି। ବିଶେଷ କରି ଭାରତର ଅଗ୍ରଣୀ ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କ କାର୍ଯ୍ୟଭାର ପରିଚାଳନା ପାଇଁ ସେ ଏହି ଟେଷ୍ଟ୍ ଖେଳିବା ନେଇ ସ୍ପଷ୍ଟ ଚିତ୍ର ମିଳି ନଥିବାରୁ ବୋଲିଂ ୟୁନିଟ୍‌ ଉପରେ ସନ୍ଦେହ ଜାତ ହୋଇଛି। ଭାରତ ପ୍ରଥମ ଟେଷ୍ଟ୍ ହାରିସାରିଛି। ଶୃଙ୍ଖଳାକୁ ବରାବର ସ୍ତରକୁ ଆଣିବାକୁ ହେଲେ ଏଜ୍‌ବାଷ୍ଟନ୍‌ରେ ବିଜୟ ଆବଶ୍ୟକ ଥିବାରୁ ବୁମରାଙ୍କ ବସାଇବା ନିଷ୍ପତ୍ତି ବି ଅଡୁଆ ହେବ। ପ୍ରଥମ ଟେଷ୍ଟ୍‌ର ଅନ୍ତିମ ଦିବସରେ ବୁମ୍‌ରା ଶେଷ ଭାଗରେ ବୋଲିଂ କରିପାରି ନଥିଲେ। ୩୭୧ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୨୮୬/୪ରେ ଥିବାବେଳେ ବୁମରା ୧୯-୩-୫୭-୦ ଚିତ୍ରରେ ଥାଇ ଆଉ ବୋଲିଂ ଆକ୍ରମଣରେ ଲାଗିପାରି ନଥିଲେ। 

Advertisment

ବିଜୟ ପାଇଁ ଆହୁରି ୮୫ ରନ୍ ଆବଶ୍ୟକ ଥିବାରୁ ଗୋଟିଏ ଦୁଇଟି ୱିକେଟ୍ ମ୍ୟାଚ୍‌କୁ ରୋମାଞ୍ଚକ କରିପାରିଥାନ୍ତା। ଦ୍ବିତୀୟ ନୂଆ ବଲ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଇଂଲଣ୍ଡ କିନ୍ତୁ ପରବର୍ତ୍ତୀ ୧୫ ଓଭରରେ ୪ରୁ ଊର୍ଧ୍ବ ହାରରେ ୬୩ ରନ୍ ସଂଗ୍ରହ କରିନେଇଥିଲା। ନୂଆ ବଲ୍ ଆସିବା ବେଳକୁ ଆଉ ସମ୍ଭାବନା ନଥିବାରୁ ବୁମ୍‌ରାଙ୍କ ଆବଶ୍ୟକତା ପଡ଼ିନଥିଲା। ଏବେ ଏଜ୍‌ବାଷ୍ଟନ୍‌ରେ ୩୧ ବର୍ଷୀୟ ବୁମ୍‌ରାଙ୍କ ଖେଳିବା ଜରୁରି ରହିଛି। ପ୍ରଥମ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ମହମ୍ମଦ ସିରାଜ ହତଭାଗ୍ୟ ଥିଲେ, ଭଲ ଲାଇନ୍‌ରେ ବୋଲିଂ କରିଥିଲେ ମଧ୍ୟ। ପ୍ରଥମ ପାଳି ବିଫଳତାକୁ ଦୂର କରିଥିଲେ ମଧ୍ୟ ସିରାଜ ସେତେ ସଫଳ ହୋଇ ନଥିଲେ। ତୃତୀୟ ଓ ଚତୁର୍ଥ ପେସ୍‌ ବୋଲର୍ ପ୍ରସିଦ୍ଧ କୃଷ୍ଣ ଓ ଶାର୍ଦୁଳ ଠାକୁର ବି ଅସରଦାର ରହିଥିଲେ। ଏହି ଦୁଇ ଜଣ ବି ମିଳିତ ଭାବେ ୧୬ ଟେଷ୍ଟ୍ ଖେଳି ଅପେକ୍ଷାକୃତ ଅନଭିଜ୍ଞ ରହିଛନ୍ତି। ଉଭୟ ମଧ୍ୟ ଓଭର ପିଛା ୫/୬ ରନ୍‌ ଉପରେ ରନ୍ ବ୍ୟୟ କରିଛନ୍ତି ଲିଡ୍‌ସରେ। ପ୍ରସିଦ୍ଧଙ୍କ ଉପରେ କିନ୍ତୁ ଭରସା ରଖିଛନ୍ତି ପୂର୍ବତନ ପେସ୍ ବୋଲର ଡୋଡା ଗଣେଶ। ଶାର୍ଦୁଳ ଠାକୁରଙ୍କ ବଦଳରେ କୁଲଦୀପ ୟାଦବଙ୍କୁ ଖେଳାଇବା ଦାବି ବି ଉଠିଛି। ରବୀନ୍ଦ୍ର ଜାଡ଼େଜା ମିତବ୍ୟୟୀ ବୋଲିଂ କରିଥିଲେ। ଲିଡ୍‌ସରେ ମୋଟ ୨୭.୪ ଓଭରରେ ୧୦୦ ରନ୍ ବିନିୟମରେ ୩ ୱିକେଟ୍ ନେଇଥିଲେ। ଦ୍ବିତୀୟ ଟେଷ୍ଟ୍ ପାଇଁ ବି ୱାସିଂଟନ୍ ସୁନ୍ଦରଙ୍କ ନାମ ବିଚାରକୁ ନିଆଯାଉଛି। ସ୍ପିନ୍ ବୋଲିଂ ସହ ବ୍ୟାଟିଂ କ୍ଷମତା ବି ରଖିଛନ୍ତି।

ଶୁକ୍ରବାର ଅଭ୍ୟାସ ଶିବିରରେ ଭାରତୀୟ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ମହମ୍ମଦ ସିରାଜ ନିଜ ବ୍ୟାଟିଂ ଉପରେ ବି ଢେର୍‌ ଫୋକସ କରିଥିଲେ। ଶୁବମନ ଗିଲ୍ ଓ ଋଷଭ ପନ୍ତ୍‌ ନେଟ୍ସରେ ଅଭ୍ୟାସ କରିଥିଲେ। ପୂର୍ବଦିନ ଭାରତୀୟ ଖେଳାଳି ମାନେ ସତେଜ ହେବାକୁ ବର୍ମିଂହାମରେ ଆଡ୍‌ଭେଞ୍ଚର୍‌ ପାର୍କ ବୁଲିଥିଲେ। ବୁମ୍‌ରା ପ୍ରଥମ ଟେଷ୍ଟ୍‌ରେ ୪୪ ଓଭର ବୋଲିଂ କରିଥିବାରୁ ବର୍ମିଂହାମରେ ବିଶ୍ରାମ ନେବାର ଆବଶ୍ୟକତା ପଡୁଛି। କାରଣ ଏଜ୍‌ବାଷ୍ଟନ୍ ଟେ‌ଷ୍ଟ୍‌ର ୪ ଦିନ ପରେ ତୃତୀୟ ଟେଷ୍ଟ୍ ରହିଛି। ବ୍ୟାଟ୍‌ ଓ ବଲ୍‌ରେ ଭଲ କରିବା ସତ୍ତ୍ବେ ଲିଡ୍‌ସ ଟେଷ୍ଟ୍ ହାରିବା କିନ୍ତୁ ଭାରତକୁ ଅଧିକ ଶୃଙ୍ଖଳିତ ପ୍ରଦର୍ଶନ ପାଇଁ ସଙ୍କଳ୍ପବଦ୍ଧ କରାଇବ ବୋଲି ବିଶ୍ବାସ ହେଉଛି।