ପିତାଙ୍କୁ ହରାଇବା ଦୁଃଖ ପରେ ପ୍ରଭାବୀ ପଦାର୍ପଣ

ଚଳିତ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ନିଜ ପିତାଙ୍କୁ ହରାଇବାର ଦାରୁଣ ଦୁଃଖ ସହିଥିଲେ। ଅଧିନାୟକ ବିରାଟ କୋହଲିଙ୍କ ପରାମର୍ଶ ଏବଂ ମା’ଙ୍କ ଆହ୍ବାନ ପାଇଁ ବ୍ୟକ୍ତିଗତ ଜୀବନର ଏହି ବିରାଟ କ୍ଷତି ସତ୍ତ୍ବେ ଭାରତ ନଫେରି ଅଷ୍ଟ୍ରେଲିଆରେ ରହିବାର କଠୋର ଏବଂ ଯନ୍ତ୍ରଣାଦାୟକ ନିଷ୍ପତ୍ତି ନେଇଥିଲେ ସେ। ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାର ସମ୍ଭାବନା କମ୍ ଥିଲେ ମଧ୍ୟ କୌଣସି ପରିସ୍ଥିତିରେ ଅଭ୍ୟାସ ଜାରି ରଖିବାର କର୍ତ୍ତବ୍ୟରେ ଟିକିଏ ବି ହେଳା କରିନଥିଲେ ୨୬ ବର୍ଷୀୟ ସିରାଜ। ତାଙ୍କର ଏହି ନିରନ୍ତର ପ୍ରୟାସ ତଥା ଅସୀମ ଏକାଗ୍ରତାର ଫଳ ଆଜି ସିରାଜଙ୍କୁ ମିଳିଛି। ମହମ୍ମଦ ସାମି ଆହତ ହେବା ପରେ ଭରତୀୟ ଦଳରେ ସ୍ଥାନ ପାଇ ଶନିବାର ମେଲବର୍ନରେ ଟେଷ୍ଟ୍ ପଦାର୍ପଣ କରିଥିଲେ ସେ। ନିଜ ଆବେଗଭରା ପଦାର୍ପଣରେ ହିଁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବାର ଅନନ୍ୟ ସଫଳତା ଳାଭ କରିଛନ୍ତି ସିରାଜ। ନିଜ ପାଳି ଆସିବା ପାଇଁ ତାଙ୍କୁ ଶନିବାର ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ବଲ୍ ପାଇ ପ୍ରତିପକ୍ଷ ଦଳର ତାରକା ଖେଳାଳି ମାର୍ନସ ଲବୁସାନଙ୍କୁ ପ୍ରଥମେ ବାଉନ୍ସରରେ ଘାଇଲା କରିଥିଲେ ସିରାଜ। ପରେ ତାଙ୍କ ୱିକେଟ୍‌ ବି ଅକ୍ତିଆର କରି ନେଇଥିଲେ। ଶନିବାର ସେ ଭାରତର ୨୯୮ତମ ଟେଷ୍ଟ୍ ଖେଳାଳି ହୋଇଥିଲେ। ରବିଚନ୍ଦ୍ରନ୍‌ ଅଶ୍ବିନ ଭାରତୀୟ ଟୋପି ପ୍ରଦାନ କଲା ବେଳେ ସିରାଜଙ୍କ ଆଖି ଛଳଛଳ ହୋଇଯାଇଥିଲା।

ସମ୍ବନ୍ଧିତ ଖବର