ଭୁବନେଶ୍ବର: ଅନ୍ତର୍ଜାତୀୟ ଚେସ୍ ଦିବସ ଅବସରରେ ଗୁରୁବାର ଭୁବନେଶ୍ବରରେ ପେସାଗତ ଚେସ୍ ପ୍ରଶିକ୍ଷଣ ଏକାଡେମୀ (ପ୍ରଚେଷ୍ଟା) ଉଦ୍ଘାଟିତ ହୋଇଛି। ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ରାଜ୍ୟର ଚେସ୍ ଖେଳାଳିଙ୍କ ପାଇଁ ଉତ୍ସର୍ଗିତ ଏହି ଏକାଡେମୀ ରାଜ୍ୟର ପ୍ରଥମ। କ୍ରୀଡ଼ା ବିଭାଗ, ସର୍ବଭାରତୀୟ ଚେସ୍ ମହାସଂଘ ଏବଂ ନିଖିଳ ଓଡ଼ିଶା ଚେସ୍ ସଂଘ ମିଳିତ ଭାବେ ଏହା ସହିତ କାର୍ଯ୍ୟ କରିବେ। ଆଇଏମ୍ ତଥା ସତ୍ୟ ଜାତୀୟ ମହିଳା ମୁକୁଟ ବିଜୟିନୀ ପଦ୍ମିନୀ ରାଉତଙ୍କ ସହ ଖେଳି ମନ୍ତ୍ରୀ ଏହି ପେସାଦାର ଏକାଡେମିର ଶୁଭାରମ୍ଭ କରିଥିଲେ । କ୍ରୀଡ଼ାମନ୍ତ୍ରୀ ମଧ୍ୟ ପଞ୍ଚମ ଥର ପାଇଁ ଜାତୀୟ ମହିଳ ଚେସ୍ ପ୍ରତିଯୋଗିତାରେ ବିଜୟିନୀ ପଦ୍ମିନୀ ରାଉତଙ୍କୁ ୬୦,୦୦୦ ଟଙ୍କାର ପୁରାସ୍କାର ରାଶି ସହ ସମ୍ବର୍ଦ୍ଧିତ କରିଥିଲେ। ଫିଡେ ପ୍ରଶିକ୍ଷକ ତଥା ଅନ୍ତର୍ଜାତୀୟ ମାଷ୍ଟର ସତ୍ୟପ୍ରଜ୍ଞ ସ୍ବୟଂଶୁଙ୍କ ମାର୍ଗଦର୍ଶନରେ ପ୍ରଚେଷ୍ଟା ପରିଚାଳିତ ହେବ। ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିବା ଲାଗି ପ୍ରଚେଷ୍ଟା ଅଧିକ ସୁଯୋଗ ପ୍ରଦାନ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରାକାନ୍ତି ବେହେରା ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଏକ ପ୍ରୟାସକୁ ଆଇଏମ୍ ପଦ୍ମିନୀ ରାଉତ ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ତର୍ଜାତୀୟ ଚେସ୍ ଦିବସରେ ଏଭଳି ଏକ ତାଲିମ ଏକାଡେମିର ଉଦ୍ଘାଟନ କରାଯାଇଥିବାରୁ ସତ୍ୟପ୍ରଜ୍ଞ, ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ ଏବଂ ସର୍ବଭାରତୀୟ ଚେସ୍ ସଂଘ ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତି ପ୍ରମୁଖ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ କ୍ରୀଡ଼ା ନିର୍ଦେଶକ ସିଦ୍ଧାର୍ଥ ଦାସ, ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ନିଖିଳ ଓଡ଼ିଶା ଚେସ୍ ସଂଘ ସଭାପତି ଦେବବ୍ରତ ଭଟ୍ଟ, ସର୍ବଭାରତୀୟ ଚେସ୍ ମହାସଂଘ ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମହିଳା ଅନ୍ତର୍ଜାତୀୟ ମାଷ୍ଟର ସାଇନା ସାଲୋନିକା ମଧ୍ୟ ଉପସ୍ଥିତ ଥିଲେ।