ଲିଜେଣ୍ଡ୍ସ କ୍ରିକେଟ୍‌ରେ ଇଂଲଣ୍ଡ, ବାଂଲାଦେଶ ସାମିଲ

ମୁମ୍ବାଇ : କୋଭିଡ୍‌-୧୯ ମହାମାରୀ ପାଇଁ ଗତବର୍ଷ ପ୍ରଥମ ସଂସ୍କରଣ ବାଧାପ୍ରାପ୍ତ ହେବା ପରେ ଅନ୍‌ଏକାଡେମି ରୋଡ୍ ସେଫଟି ବିଶ୍ବ ସିରିଜ୍‌ ଟି-୨୦ ପ୍ରତିଯୋଗିତା ଚଳିତ ବର୍ଷ ମାର୍ଚ୍ଚ ୨ରୁ ଆରମ୍ଭ ହେବାକୁ ଯାଉଛି। ଏଥର ମୁମ୍ବାଇ ପରିବର୍ତେ ରାଏପୁରର ନବନିର୍ମିତ ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ। ୬୫,୦୦୦ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ୍‌ରେ ବିଶ୍ବର ବହୁ କ୍ରିକେଟ୍ କିଂବଦନ୍ତିଙ୍କ ଖେଳ ଦେଖିବାକୁ ମିଳିବ। ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ବ୍ରାଏନ୍ ଲାରା, ତିଲକରତ୍ନେ ଦିଲସାନ୍‌, ମୁଥୟା ମୁରଲୀଧରନଙ୍କ ସହିତ ବହୁ ଅବସରପ୍ରାପ୍ତ ବିଗତ ଦିନର ତାରକା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଅଷ୍ଟ୍ରେଲିଆ ପରିବର୍ତେ ଏଥର ବାଂଲାଦେଶକୁ ସାମିଲ କରାଯାଇଥିବା ବେଳେ ଇଂଲଣ୍ଡ ଲିଜେଣ୍ଡ୍ସ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍‌ ଏବଂ ଆୟୋଜକ ଭାରତକୁ ନେଇ ମୋଟ ୬ ଦଳ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ଖେଳିବେ। ସୁନିଲ ଗାଭାସ୍କରଙ୍କ ସଂସ୍ଥା ପିଏମ୍‌ଜି ଏହାର କମିସନର୍‌ ରହିଥିବା ବେଳେ ସଚିନ ତେନ୍ଦୁଲକର ବ୍ରାଣ୍ଡ୍ ଆମ୍ବାସାଡର୍‌ ରହିଛନ୍ତି। କିଂବଦନ୍ତି କ୍ରିକେଟରଙ୍କୁ ନେଇ ଏଭଳି ପ୍ରତିଯୋଗିତା ଆୟୋଜିତ ହେବା ଆମ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବା‌‌ଘେଲ। ସଡ଼କ ସୁରକ୍ଷା ଦିଗରେ ଏହି ପ୍ରତିଯୋଗିତା ଯୁଗାନ୍ତକାରୀ ହେବ ବୋଲି କହିଥିଲେ ମୁଖ୍ୟ ଆୟୋଜକ ତଥା ପୂର୍ବତନ ଖେଳାଳି ରବି ଗାଏକ୍ବାଡ।

ସମ୍ବନ୍ଧିତ ଖବର