ଏହସାନ୍‌ ମଣି ପିସିବି ଅଧ୍ୟକ୍ଷ ନିର୍ବାଚିତ

କରାଚି: ଆଶା ମୁତାବକ ପୂର୍ବତନ ଆଇସିସି ସଭାପତି ଏହସାନ୍‌ ମଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ପରବର୍ତୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତିି। କ୍ରିକେଟର୍‌ରୁ ରାଜନେତା ବନିଥିବା ପୂର୍ବତନ ମହାନ୍‌ ଖେଳାଳି ଇମ୍ରାନ୍‌ ଖାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ପରେ ନଜମ ସେଠୀ ଗତ ମାସରେ ପିସିବି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ଇମ୍ରାନ୍‌ଙ୍କ ସମର୍ଥିତ ଏହାସାନ୍‌ ମଣି ଦାୟିତ୍ୱ ନେବାର ସମ୍ଭାବନା ରହିଥିଲା। ତେବେ ମଙ୍ଗଳବାର ଏହାସାନ୍‌ ମଣି ବିଧିବଦ୍ଧ ଭାବେ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ପିସିବି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ କେବଳ ଏହସାନ୍‌ ହିଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମଧ୍ୟବର୍ତିକାଳୀନ ଅଧ୍ୟକ୍ଷ ଏବଂ ନିର୍ବାଚନ ଆୟୁକ୍ତ ଅବସରପ୍ରାପ୍ତ ବିଚାରପତି ଅଫ୍‌ଜଲ୍‌ ହାଇଦରଙ୍କ ଅଧ୍ୟକ୍ଷତାରେ ବୋର୍ଡର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବୋର୍ଡ ଅଫ୍‌ ଗଭର୍ନର୍ସ (ବିଓଜି)ର ସମସ୍ତ ସଦସ୍ୟ ତାଙ୍କ ସପକ୍ଷରେ ମତଦାନ କରିଥିଲେ। ଫଳରେ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ନିର୍ବାଚିତ ହେବାମାତ୍ରେ ବିଓଜି ସଦସ୍ୟମାନଙ୍କ ସହ ବୈଠକରେ ଏକାଠି ହୋଇ ନିଜର କ୍ଷମତାକୁ କାର୍ଯ୍ୟକାରୀ କରିଥିଲେ। ଏହାପରେ ନୂଆ ଅଧ୍ୟକ୍ଷ ମଧ୍ୟ ଏସିଆ କପ୍‌ ପାଇଁ ପାକିସ୍ତାନ ଦଳ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର