ଚିକିତ୍ସାଳୟ ପାଇଁ ୧୦ ୱିକେଟ୍‌ ଜର୍ସିକୁ ନିଲାମ କରିବେ ଏଜାଜ

ୱେଲିଂଟନ : ଅକ୍‌ଲାଣ୍ଡରେ ଏକ ଚିକିତ୍ସାଳୟ ନିର୍ମାଣ ଲାଗି ପାଣ୍ଠି ଯୋଗାଡ଼ ପାଇଁ ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ଗତ ଡିସେମ୍ବରରେ ଭାରତ ବିପକ୍ଷ ମୁମ୍ବାଇ ଟେଷ୍ଟ୍‌ରେ ୧୦ ୱିକେଟ୍‌ ନେଇଥିବା ବେଳେ ପରିଧାନ କରିଥିବା ଜର୍ସିକୁ ନିଲାମ କରିବେ। ଏହି ଟେଷ୍ଟ୍‌ରେ ଏଜାଜ ଗୋଟିଏ ପାଳିରେ ସମସ୍ତ ୧୦ ୱିକେଟ୍‌ ଅକ୍ତିଆର କରିଥିଲେ। ବିଶ୍ବର ତୃତୀୟ ବୋଲର ଭାବେ ସେ ଏହି ସଫଳତା ପାଇଥିଲେ। ତାଙ୍କ ପୂର୍ବରୁ ଇଂଲଣ୍ଡ ସ୍ପିନର ଜିମ ଲେକର ଏବଂ ଭାରତୀୟ ଲେଗ୍‌ସ୍ପିନର ଅନିଲ କୁମ୍ବଲେ ଗୋଟିଏ ପାଳିରେ ୧୦ ଲେଖାଏଁ ୱିକେଟ୍‌ ନେଇଥିଲେ। ‘‘ନ୍ୟୁଜିଲାଣ୍ଡ ଜାତୀୟ ଶିଶୁ ଚିକିତ୍ସାଳୟର ଷ୍ଟାରସିପ ରେଡିଓଲୋଜି ବିଭାଗରେ ଏହି ନିଲାମ ଅର୍ଥ ଖର୍ଚ୍ଚ କରାଯିବ। ଏହା ମୋ ପାଇଁ ଏକ ସ୍ବତନ୍ତ୍ର ଦିବସ, ଏହି ଟ୍ରେଡ୍‌ମାର୍କ ଟି-ସାର୍ଟ ନିଲାମରୁ ଅଧିକରୁ ଅଧିକ ପାଣ୍ଠି ଯୋଗାଡ଼ ହୋଇପାରିବ ବୋଲି ମୋର ଆଶା। ପିଲାମାନେ ଏବଂ ତାଙ୍କ ଅଭିଭାବକମାନେ ଏହାର ଲାଭ ଉଠାଇପାରିବେ’’ ବୋଲି ଏଜାଜ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ନିଲାମ ପାଇଁ ରଖାଯାଇଥିବା ଏହି ଜର୍ସିରେ ଭାରତ ଗସ୍ତରେ ଆସିଥିବା ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ରହିଛି।

ସମ୍ବନ୍ଧିତ ଖବର