ଏଜ୍‌ବାଷ୍ଟନ୍‌ରେ ଐତିହାସିକ ଟେଷ୍ଟ୍‌:ଭାରତ-ଇଂଲଣ୍ଡ ଶୃଙ୍ଖଳା ଆଜିଠୁ

ବର୍ମିଂହାମ: ଭାରତ-ଇଂଲଣ୍ଡ ପ୍ରତୀକ୍ଷିତ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବୁଧବାରଠାରୁ ବର୍ମିଂହାମର ଏଜ୍‌ବାଷ୍ଟନ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ଘରୋଇ ଇଂଲଣ୍ଡର ଏହା ୧୦୦୦ତମ ଟେଷ୍ଟ୍‌ ମ୍ୟାଚ୍‌। ଏହି ଐତିହାସିକ ମୁକାବିଲାକୁ ନେଇ ଇଂଲଣ୍ଡ ଖେଳାଳି ବେଶ୍‌ ଉତ୍ସାହିତ ଅଛନ୍ତି। ହେଲେ ବିଶ୍ୱର ଏକ ନମ୍ବର ଟେଷ୍ଟ୍‌ ଦଳ ଭାରତ ସେମାନଙ୍କ ଖୁସିକୁ ଫିକା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ବିଦେଶ ଗସ୍ତରେ ଖରାପ ପ୍ରଦର୍ଶନ କରୁଥିବା ଦାଗକୁ ଲିଭାଇବାକୁ ମଧ୍ୟ ଭାରତ ଚେଷ୍ଟା କରିବ। ଭାରତ ଶେଷ ଥର ପାଇଁ ୨୦୦୭ରେ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ୱରେ ଇଂଲଣ୍ଡରେ ଶୃଙ୍ଖଳା ଜିତିଥିଲା। ବର୍ତମାନର ଅଧିନାୟକ ବିରାଟ କୋହଲିଙ୍କ ପାଇଁ କିନ୍ତୁ ସେହି ସଫଳତା ଦୋହରାଇବା ଆଦୌ ସହଜ ହେବନି।
ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଇଂଲଣ୍ଡରେ ଭାରତ ୨୦୧୧ ଏବଂ ୨୦୧୪ରେ ୦-୪ ଓ ୧-୩ରେ ଶୃଙ୍ଖଳା ହାରିଥିଲା। ମୋଟ ଉପରେ ଭାରତ ଇଂଲଣ୍ଡ ମାଟିରେ ୫୭ ଟେଷ୍ଟ୍‌ ଖେଳି ସେଥିମଧ୍ୟରୁ ମାତ୍ର ୬ଟିରେ ବିଜୟ ଲାଭ କରିଛି। ଯାହା କୋହଲିଙ୍କୁ ଚିନ୍ତାରେ ପକାଇଛି। ତେବେ ଇଂଲଣ୍ଡ ନିକଟ ଅତୀତରେ ସେତେଟା ଭଲ ପ୍ରଦର୍ଶନ କରିନାହିଁ। ଯାହା ଭାରତ ପାଇଁ ଏକ ମନୋବଳ ବୃଦ୍ଧିକାରୀ କଥା। ଗତବର୍ଷ ସେପ୍ଟେମ୍ବର ମାସରୁ ଇଂଲଣ୍ଡ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ୯ ଟେଷ୍ଟ୍‌ ଖେଳି ମାତ୍ର ଗୋଟିଏରେ ବିଜୟ ଲାଭ କରିଛି। ଘରୋଇ ପରିବେଶରେ ଖେଳିଥିବା ଗତ ପାଞ୍ଚଟି ଟେଷ୍ଟ୍‌ ଶୃଙ୍ଖଳା ମଧ୍ୟରୁ ପାକିସ୍ତାନ ଓ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ଇଂଲଣ୍ଡ ଦୁଇଟି ଶୃଙ୍ଖଳା ହାରିଛି। ଉଭୟ ଇଣ୍ଡିଜ୍‌ ଏବଂ ପାକିସ୍ତାନର ଦ୍ରୁତ ବୋଲିଂ ବାହିନୀ ଜୋ ରୁଟ୍‌, ଜନି ବେୟାରଷ୍ଟୋ ଏବଂ ଆଲେଷ୍ଟର କୁକ୍‌ଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ଇଂଲଣ୍ଡ ବ୍ୟାଟିଂକ୍ରମର ବିଫଳତାରୁ ପୂରା ଫାଇଦା ଉଠାଇଥିଲେ।
ଭାରତ ଇଂଲଣ୍ଡରେ ହାସଲ କରିଥିବା ୬ ବିଜୟ ମଧ୍ୟରୁ ୩ ୨୦୦୨ ମସିହା ପରେ ହାସଲ କରିଛି। ବର୍ତମାନର ସହକାରୀ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଲିଡ୍ସରେ ଇଂଲଣ୍ଡକୁ ହରାଇଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ। ଓ୍ଵିକେଟ୍‌ ରକ୍ଷକ ଦୀନେଶ କାର୍ତିକ ୨୦୦୭ରେ ଦ୍ରାବିଡ଼ଙ୍କ ନେତୃତ୍ୱରେ ଶୃଙ୍ଖଳା ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ଈଶାନ୍ତ ଶର୍ମା ଓ ବିରାଟ କୋହଲି ୨୦୧୧, ୨୦୧୪ରେ ଇଂଲଣ୍ଡ ଯାଇଥିଲେ। ବିରାଟଙ୍କ ଦଳର ୭ ଜଣ ଖେଳାଳି ଗତ ଇଂଲଣ୍ଡ ଗସ୍ତରେ ଥିଲେ। ଏଜ୍‌ବାଷ୍ଟନରେ କିନ୍ତୁ ଭାରତର ପ୍ରଦର୍ଶନ ଅତି ଖରାପ ରହି ଆସିଛି। ୧୯୬୭ରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଭାରତୀୟ ଦଳ ଏଠାରେ ୬ ଟେଷ୍ଟ୍‌ ଖେଳି ୫ଟିରେ ପରାଜିତ ହୋଇଛି।
ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶରେ ଆଦିଲ
ଏଜ୍‌ବାଷ୍ଟନ ଟେଷ୍ଟ୍‌ର ପୂର୍ବ ସଂଧ୍ୟାରେ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଦେଢ଼ ବର୍ଷ ପରେ ଫେରିଥିବା ଆଦିଲ ରସିଦ ଏକମାତ୍ର ବିଶେଷଜ୍ଞ ସ୍ପିନର ଭାବେ ଦଳରେ ସ୍ଥାନ ପାଇଛନ୍ତି। ଅଲ୍‌ରାଉଣ୍ଡର ମୋଇନ ଅଲ୍ଲୀ ତାଙ୍କୁ ସ୍ପିନ୍‌ ବିଭାଗରେ ସହାୟତା କରିବେ। ପାକିସ୍ତାନ ବିପକ୍ଷରେ ଟେଷ୍ଟ ଜୀବନ ଆରମ୍ଭ କରିଥିବା ସରେ’ ଅଲ୍‌ରାଉଣ୍ଡର ସାମ୍‌ କୁରାନଙ୍କୁ ଇଂଲଣ୍ଡ ଆଉ ଏକ ସୁଯୋଗ ଦେଇଛି। ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ: ଆଲେଷ୍ଟର କୁକ୍‌, କେଟନ ଜେନିଙ୍ଗ୍ସ, ଜୋ ରୁଟ୍‌ (ଅଧିନାୟକ), ଡେଓ୍ଵିଡ୍‌ ମଲାନ, ଜନି ବେୟାରଷ୍ଟୋ, ବେନ୍‌ ଷ୍ଟୋକ୍ସ, ଜୋସ୍‌ ବଟଲର, ଆଦିଲ ରସିଦ, ସାମ୍‌ କୁରାନ, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ୍‌।
ଭାରତ ଦୁଇଜଣ ସ୍ପିନର ନେଇପାରେ
ଇଂଲଣ୍ଡ ତା’ ଚୂଡ଼ାନ୍ତ ଏକାଦଶରେ ଆଦିଲ ରସିଦଙ୍କ ରୂପରେ ମାତ୍ର ଜଣେ ସ୍ପିନର ନେଇଛି। ହେଲେ ଭାରତ ଏହାର ବ୍ୟତିକ୍ରମ ଦୁଇ ଜଣ ସ୍ପିନର ଖେଳାଇପାରେ। ପ୍ରାରମ୍ଭିକ ଯୋଡ଼ିକୁ ନେଇ ଦ୍ୱନ୍ଦ୍ୱ ଥିଲେ ମଧ୍ୟ ଶିଖର ଧାଓ୍ଵନଙ୍କ ସହ ମୁରଲୀ ବିଜୟ ପାଳି ଆରମ୍ଭ କରି ପାରନ୍ତି। ହେଲେ ଆନୁଷ୍ଠାନିକ ଭାବେ ଭାରତ ଏଥିନେଇ କୌଣସି ସୂଚନା ଦେଇ ନାହିଁ। ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ମୁରଲୀ ବିଜୟ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଦୀନେଶ କାର୍ତିକ, ଋଷବ ପନ୍ତ, କୁରୁଣ ନାୟର, ହାର୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ଈଶାନ୍ତ ଶର୍ମା, ଉମେଶ ଯାଦବ, ସାର୍ଦୁଲ ଠାକୁର, ମହମ୍ମଦ ସାମି।
୨୦୧୪ ବିଫଳତାକୁ ପୋଛିବେ କୋହଲି
୨୦୧୪ ବିଫଳତା ମୋ ମନ ଭିତରେ ନାହିଁ। ଏହାକୁ ପଛରେ ପକାଇବାକୁ ମୁଁ ପ୍ରସ୍ତୁତ। ଦଳଗତ ସଫଳତା ଛଡ଼ା ମୋତେ ବ୍ୟକ୍ତିଗତ ଭାବେ ଆଉ କିଛି ପ୍ରମାଣିତ କରିବାର ନାହିଁ ବୋଲି କୋହଲି କହିଛନ୍ତି। ୪ ବର୍ଷ ତଳେ ଇଂଲଣ୍ଡ ଗସ୍ତରେ କୋହଲି ୫ ଟେଷ୍ଟ୍‍ରୁ ମାତ୍ର ୧୩୪ ରନ୍‌ କରିଥିଲେ ମଧ୍ୟ ଏହା ପରେ ୬ ଦ୍ୱିଶତକ ସହିତ ୧୫ ଶତକ ହାସଲ କରିଛନ୍ତି। ଅନ୍ୟପକ୍ଷରେ କୋହଲିଙ୍କ ପାଇଁ ପ୍ରଥମ ୨୦ ରନ୍‌ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି ପୂର୍ବତନ ଖେଳାଳି ତଥା ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ।
ଇଂଲଣ୍ଡକୁ ଭାରତ ହିଁ ଇଂଲଣ୍ଡରେ ହରାଇ ପାରିବ: ଜାଦେଜା
ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଘରୋଇ ଇଂଲଣ୍ଡକୁ ପରୋକ୍ଷ ଚେତାବନୀ ଦେଇଛନ୍ତି। କେବଳ ଭାରତ ପାଖରେ ହିଁ ଇଂଲଣ୍ଡକୁ ଇଂଲଣ୍ଡରେ ହରାଇବାର ଦମ୍‌ ଅଛି ବୋଲି ଜାଦେଜା ମଙ୍ଗଳବାର ଦେଇଥିବା ସାକ୍ଷାତକାର ଅବସରରେ କହିଛନ୍ତି। ସେ କହିଛନ୍ତି ଭଲ କଥା ହେଲା ଆମ ପାଖରେ ବିକଳ୍ପର ଅଭାବ ନାହିଁ। ଆମେ ସକାରାତ୍ମକ ଭାବନାର ସହ ପଡ଼ିଆକୁ ଓହ୍ଲାଇବୁ। ୨୦୧୪ ଗସ୍ତରେ ଅଭିଜ୍ଞତାର ଅଭାବ ଥିଲା। ପିଚ୍‌ କେମିତି ହେବ ଆମକୁ ଜଣାନଥିଲା। ସେହିଭଳି ଇଂଲଣ୍ଡ ପରିବେଶ ନେଇ ବିଶେଷ ଜ୍ଞାନ ନଥିଲା। ଏଥର ଆମେ ପରିସ୍ଥିତି ଏବଂ ପରିବେଶକୁ ଭଲ ଭାବରେ ବୁଝିସାରିଛୁ। ଟେଷ୍ଟ୍‌ କ୍ରିକେଟ୍‌ ଖେଳିବାର ଅଭିଜ୍ଞତା ବି ଅଛି। ମୁଁ ଭାବୁଛି ଆମେ ଇଂଲଣ୍ଡକୁ ଚାପରେ ପକାଇ ପାରିବୁ।

ସମ୍ବନ୍ଧିତ ଖବର