ନାଗପୁର: ଗତବର୍ଷ ଅଗଷ୍ଟ ମାସରୁ ଏକଦିବସୀୟ କ୍ରିକେଟ୍ ଖେଳି ନଥିବା ଭାରତୀୟ କ୍ରିକେଟ୍ ଦଳ ଗୁରୁବାରଠାରୁ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଅବତୀର୍ଣ୍ଣ ହେବ। ପ୍ରଥମ ମ୍ୟାଚ୍ ଆସନ୍ତାକାଲି ନାଗପୁରର ବିଦର୍ଭ କ୍ରିକେଟ୍ ସଂଘ (ଭିସିଏ)  ଷ୍ଟାଡିୟମ୍‌ରେ ଖେଳାଯିବ। ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ଶୃଙ୍ଖଳା ପାକିସ୍ତାନ ଏବଂ ୟୁଏଇରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତୁତି ଲାଗି ଉଭୟ ଦଳ ପାଇଁ ନିଶ୍ଚିତ ଭାବେ ଉପଯୋଗୀ ସାବ୍ୟସ୍ତ ହେବ। ଯିଏ ଶୃଙ୍ଖଳା ଜିତିବ ସିଏ ଆତ୍ମବିଶ୍ବାସର ସହ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଯିବ।  ଇଂଲଣ୍ଡର ଚଳିତ ଗସ୍ତ ଅନ୍ତର୍ଗତ ଏହା ପୂର୍ବରୁ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୪-୧ରେ ଜିତିନେଇଥିଲା। ପୁଣି ଉଭୟ ଦଳ ଶେଷ ଥର ପାଇଁ ୨୦୨୩ ଏକଦିବସୀୟ ବିଶ୍ବକପ୍‌ରେ ଲକ୍ଷ୍ନୌରେ ଖେଳିଥିବା ମ୍ୟାଚ୍‌କୁ ଭାରତ ୧୦୦ ରନ୍‌ର ବଡ଼ ବ୍ୟବଧାନରେ ଜିତି ନେଇଥିଲା।

Advertisment

ସେହିଦୃଷ୍ଟିରୁ ଆଗାମୀ ଦିନିକିଆ ଶୃଙ୍ଖଳାରେ ଭ୍ରମଣକାରୀ ଇଂଲଣ୍ଡ ଘରୋଇ ଦଳ ତୁଳନାରେ ଅଧିକ ଚାପରେ ରହିବ। ତେବେ ଦୁଇ ପ୍ରମୁଖ ତାରକା ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଫର୍ମରେ ନଥିବାରୁ ଭାରତୀୟ କ୍ରିକେଟ୍ ଦଳ ସହ ଏହି ଦୁଇ ମହାନ ତାରକାଙ୍କ ପ‌ାଇଁ ଏହି ଶୃଙ୍ଖଳା କଡ଼ା ପରୀକ୍ଷା ନେଇ ଆସିଛି। ସମସ୍ତଙ୍କ ନଜର ଏମାନଙ୍କ ଉପରେ ରହିଛି। ବିଶେଷ କରି ଅନ୍ତର୍ଜାତୀୟ କ୍ରିକେଟ୍ ସହ ଘରୋଇ କ୍ରିକେଟର୍‌ ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତା ରଣଜୀ ଟ୍ରଫିରେ ଉଭୟ ସଂପୂର୍ଣ୍ଣ ଫ୍ଲପ୍ ହେବା ସମର୍ଥକଙ୍କୁ ଚିନ୍ତାରେ ପକାଇଛି। ବର୍ଡର-ଗାଭାସ୍କର ଟ୍ରଫିରେ ସଂଘର୍ଷ କରିବା ପୂର୍ବରୁ ରୋହିତ ଅବଶ୍ୟ ଗତବର୍ଷ ଅଗଷ୍ଟ ମାସରେ ଖେଳାଯାଇଥିବା ଶ୍ରୀଲଙ୍କା‌ ବିପକ୍ଷ ଶୃଙ୍ଖଳାରେ ତିନିଟି ମ୍ୟାଚ୍‌ରୁ ୧୪୧ ରନ୍ କରିଥିଲେ। ଏହି ଶୃଙ୍ଖଳାରେ କୋହଲି କିନ୍ତୁ ସେମିତି କିଛି ଆଖିଦୃଶିଆ ରନ୍ କରି ନଥିଲେ। ତଥାପି କୋହଲିଙ୍କ ପାଖରେ ସବୁଠାରୁ କମ୍ ପାଳି ଖେଳି ୧୪,୦୦୦ ଦିନିକିଆ ରନ୍ କରିବାର ମାଇଲ୍‌ଖୁଣ୍ଟ ଛୁଇଁବାର ସୁଯୋଗ ରହିବ। କାରଣ ଏହି ରେକର୍ଡଠାରୁ ମାତ୍ର ୯୪ ରନ୍ ଦୂରରେ ରହିଛନ୍ତି। କୋହଲିଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୩୫୦ ଏବଂ ଶ୍ରୀଲଙ୍କାର ପୂର୍ବତନ ୱିକେଟ୍‌ରକ୍ଷକ ଅଧିନାୟକ କୁମାର ସାଙ୍ଗାକାରା ୩୭୮ ପାଳି ଖେଳି ୧୪,୦୦୦ ଦିନିକିଆ ରନ୍ ଛୁଇଁଥିଲେ। 

ପନ୍ତ ଓ ରାହୁଲଙ୍କୁ ନେଇ ଦ୍ବନ୍ଦ୍ବ
ନାଗପୁରରେ ରୋହିତଙ୍କ ସହ ଉପଅଧିନାୟକ ଶୁବମନ ଗିଲ୍ ପାଳି ଆରମ୍ଭ କରିବା ସହ କୋହଲି ଓ ଶ୍ରେୟସ୍ ଆୟର୍ ତୃତୀୟ ଓ ଚତୁର୍ଥ ସ୍ଥାନରେ ଖେଳିବେ। ହାର୍ଦିକ ପାଣ୍ଡ୍ୟା ଷଷ୍ଠ ସ୍ଥାନରେ ଖେଳିବା ଏକପ୍ରକାର ନିଶ୍ଚିତ ରହିଥିଲା ବେଳେ ପଞ୍ଚମ ସ୍ଥାନକୁ ନେଇ କିଛିଟା ଦ୍ବନ୍ଦ୍ବ ରହିଛି। କାରଣ ଇଂଲଣ୍ଡ ଶୃଙ୍ଖଳା ସହ ଚାମ୍ପିଅନ୍ସ ଟ୍ରଫିରେ ଋଷଭ ପନ୍ତ କିମ୍ବା କେଏଲ୍ ରାହୁଲ ୱିକେଟ୍‌ରକ୍ଷକ ଭାବେ ଏହି ସ୍ଥାନରେ ଖେଳିବେ ସେ ଦ୍ବନ୍ଦ୍ବ ଭାରତୀୟ ଦଳ ଏପର୍ଯ୍ୟନ୍ତ ଦୂର କରିନି। କାର୍ ଦୁର୍ଘଟଣା ପାଇଁ ପନ୍ତ ଦଳରୁ ଦୂରେଇ ରହିବା ପରେ ରାହୁଲ ଟିମ୍ ଇଣ୍ଡିଆର ୱିକେଟ୍‌ରକ୍ଷକ ଦାୟିତ୍ବ ତୁଲାଇ ଆସିଛନ୍ତି। ଅଗଷ୍ଟ ୨୦୨୪ରେ ପନ୍ତ ଫେରିବା ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ରାହୁଲ ୱିକେଟ୍‌ରକ୍ଷକ ଭାବେ ଖେଳି ଯଥାକ୍ରମେ ୩୧, ୦ ରନ୍ କରିଥିଲେ। ପନ୍ତ ତୃତୀୟ ମ୍ୟାଚ୍‌କୁ ଫେରି ୬ ରନ୍ ଆଗକୁ ବଢ଼ି ପାରି ନଥିଲେ। ନିକଟ ଅତୀତରେ ପନ୍ତଙ୍କ ତୁଳନାରେ ରାହୁଲ ମଧ୍ୟ ଭଲ କରିଛନ୍ତି। ଏଣୁ ଏମାନଙ୍କ ଭିତରୁ କାହାକୁ ବାଛିବେ ସେ ନିଷ୍ପତ୍ତି ଅଧିନାୟକ ରୋହିତ ଶର୍ମାଙ୍କ ସହ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଅଡ଼ୁଆରେ ପକାଇପାରେ। ସେହିଭଳି ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର ନା ରବୀନ୍ଦ୍ର ଜାଡ଼େଜା କିଏ ଚୂଡ଼ାନ୍ତ ଏକାଦଶରେ ରହିବେ, ତାହା ମଧ୍ୟ ଏକ ମଜାଦାର ପ୍ରଶ୍ନ ହୋଇଛି। 

ବୁମ୍‌ରାଙ୍କ ସ୍ଥାନ ନେବେ ସାମି
୨୦୨୩ ଏକଦିବସୀୟ ବିଶ୍ବକପ୍‌ ପରେ ପରେ ଆହତ ହୋଇ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳ‌ାରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ମହମ୍ମଦ ସାମି ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କ ସ୍ଥାନ ନେବେ। ତାଙ୍କ ସହ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମଧ୍ୟ ଭାରତୀୟ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ଗତ ଅକ୍ଟୋବରରୁ ଖେଳି ନଥିବା କଚଟି ସ୍ପିନର କୁଲଦୀପ ୟାଦବଙ୍କୁ ଦଳୀୟ ମ୍ୟାନେଜମେଣ୍ଟ୍ ସୁଯୋଗ ଦେଉଛି ନା ବସାଉଛି, ସେ ଚର୍ଚ୍ଚା ବି ଭାରତୀୟ କ୍ରିକେଟ୍‌କୁ ଘାରିଛି। ସାମି ଅଷ୍ଟମ ଭାରତୀୟ ବୋଲର ଭାବେ ୨୦୦ ଦିନିକିଆ ୱି‌କେଟ୍‌ଠାରୁ ମାତ୍ର ୫ ୱିକେଟ୍ ପଛରେ ଥିବାରୁ ଏହି ଶୃଙ୍ଖଳା ତାଙ୍କ ପାଇଁ ଢେର୍‌ ଗୁରୁତ୍ବ ବହନ କରିବ। ସେହିଭଳି ଶେଷ ମୁହୂର୍ତ୍ତରେ ଦିନିକିଆ ଦଳରେ ସାମିଲ ହୋଇଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ କୁଲଦୀପ ଯାଦବଙ୍କ ସ୍ଥାନରେ ଖେଳାଇବାର ବିକଳ୍ପ ମଧ୍ୟ ଭାରତ ପାଖରେ ଖୋଲା ରହିବ। 

ଇଂଲଣ୍ଡ ପାଇଁ ‘ଏକ୍ସ ଫ୍ୟାକ୍ଟର’ ରୁଟ୍‌ଙ୍କ ଫର୍ମ
ଇଂଲଣ୍ଡର ଅଭିଜ୍ଞ ବ୍ୟାଟର୍ ଜୋ ରୁଟ୍ ଏବେ ଚମତ୍କାର ଫର୍ମରେ ଅଛନ୍ତି। ଯାହା ଏହି ଦଳ ପାଇଁ ଆଗାମୀ ଶୃଙ୍ଖଳାରେ ପ୍ରମୁଖ ଅସ୍ତ୍ର ହୋଇପାରେ। ନାଗପୁର ଦିନିକିଆ ପାଇଁ ଇଂଲଣ୍ଡ ଘୋଷଣା କରିଥିବା ଚୂଡ଼ାନ୍ତ ଦଳରେ ରୁଟ୍‌ ରହିବା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। ମାର୍କ ଉଡ୍‌ଙ୍କୁ ବିଶ୍ରାମ ଦିଆଯାଇଥିବାରୁ ସକିବ ମହମୁଦଙ୍କ ସହ ଜୋଫ୍ରା ଆର୍ଚର ଓ ବ୍ରାଇଡନ୍ କାର୍ସ ଇଂଲଣ୍ଡ ବୋଲିଂ ବାହିନୀରେ ରହିବେ। ଇଂଲଣ୍ଡ ପାଖରେ ଚାରି ଜଣ ବିଶେଷଜ୍ଞ ବୋଲର ଥିବାରୁ ଲିଅମ ଲିଭିଂଷ୍ଟୋନ୍, ରୁଟ୍ ଓ ଜ୍ୟାକବ୍ ବେଥେଲ ପଞ୍ଚମ ବୋଲରଙ୍କ ଅଭାବ ପୂରଣ କରିବେ। 

ଇଂଲଣ୍ଡ: ବେନ୍ ଡକେଟ୍, ଫିଲ୍ ସଲ୍ଟ, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜୋସ୍ ବଟଲର (ଅଧିନାୟକ), ଲିଅମ ଲିଭିଂଷ୍ଟୋନ୍, ଜ୍ୟାକବ୍ ବେଥେଲ୍‌, ବ୍ରାଇଡନ୍ କାର୍ସ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ସକିବ ମହମୁଦ। 

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ୍ ରାହୁଲ/ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ/ୱାସିଂଟନ୍ ସୁନ୍ଦର, କୁଲଦୀପ ୟାଦବ/ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ମହମ୍ମଦ ସାମି। 

ପିଚ୍ ସ୍ପିନର୍‌ଙ୍କୁ ସୁହାଇବ
ନାଗପୁରର ଭିସିଏ ଷ୍ଟାଡିୟମ୍ ପିଚ୍ ପାରମ୍ପରିକ ଭାବେ ସ୍ପିନର୍‌ଙ୍କୁ ସୁହାଇଛି। ପିଚ୍‌ରେ ଜମିଗଲେ କିନ୍ତୁ ବ୍ୟାଟ୍ସମ୍ୟାନ୍ ଏଠାରେ ବଡ଼ ସ୍କୋର୍ କରିବାର ଯଥେଷ୍ଟ ଉଦାହରଣ ରହିଛି। ଏଠାରେ ଥିବା ଲମ୍ବା ସୀମାରେଖା ଅବଶ୍ୟ ଅନେକ ସମୟରେ ବ୍ୟାଟର୍‌ଙ୍କୁ ପରୀକ୍ଷାରେ ପକାଇଥାଏ। ତଥାପି ଭିସିଏ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଗତ ତିନିଟି ମ୍ୟାଚ୍‌ ମଧ୍ୟରୁ ୨୦୧୩ରେ ଖେଳାଯାଇଥିବା ମ୍ୟାଚ୍‌ରେ କୋହଲିଙ୍କ ସ୍ମରଣୀୟ ଶତକ ବଳରେ ଭାରତ ୩୫୧ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳ ପଶ୍ଚାତ୍‌ଧାବନରେ ଜିତିଥିଲା। ୨୦୧୭ ଓ ୨୦୧୯ରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍ କିନ୍ତୁ ଲୋ’ ସ୍କୋରିଂ ରହିଥିଲା। ଏଣୁ ଗୁରୁବାର ମ୍ୟାଚ୍‌ରେ ଉଭୟ ବ୍ୟାଟର୍ ଓ  ବୋଲରଙ୍କ ପାଇଁ କିଛି ନା କିଛି ରହିବ ବୋଲି ଏଠାକାର କ୍ୟୁରେଟର୍ ଆଶ୍ବାସନା ଦେଇଛନ୍ତି।