ମେଲବର୍ଣ୍ଣ: ନିର୍ଣ୍ଣାୟକ ତୃତୀୟ ସେଟ୍‌ରେ ୦-୩ରେ ପଛୁଆ ରହିବା ସତ୍ତ୍ବେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ ଇତିହାସର ଅନ୍ୟତମ ନାଟକୀୟ ପ୍ରତ୍ୟାବର୍ତ୍ତନ ସହ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆରିନା ସାବାଲେଙ୍କାଙ୍କୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୬-୪, ୪-୬, ୬-୪ ସେଟ୍‌ରେ ହରାଇ କାଜାଖସ୍ତାନର ଏଲିନା ରିବାକିନା ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି।

Advertisment

ଏହା ରିବାକିନାଙ୍କ ଘଟଣା ବହୁଳ ପେସାଦାର ଟେନିସ୍‌ କ୍ୟାରିୟର୍‌ର ପ୍ରଥମ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି। ତା’ ସହିତ ୩ବର୍ଷ ତଳେ ସାବାଲେଙ୍କାଙ୍କଠାରୁ ଉପବିଜେତାରେ ସନ୍ତୁଷ୍ଟ ରହିବାର ପ୍ରତିଶୋଧ ମଧ୍ୟ ନେଇଛନ୍ତି ସେ। ଶନିବାରର ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଉଭୟ ଖେଳାଳି ଗୋଟିଏ ଲେଖାଏଁ ସେଟ୍‌ ଜିତି ବରାବର ସ୍ଥିତି‌ରେ ରହିଥିଲେ। ତୃତୀୟ ସେଟ୍‌ରେ ସାବାଲେଙ୍କା ୩-୦ରେ ଆଗୁଆ ହୋଇ ତୃତୀୟ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଥିଲେ। ହେଲେ ପଞ୍ଚମ ସିଡ୍‌ ରିବାକିନା ଅପୂର୍ବ ଏକାଗ୍ରତା ଓ ଅସାଧାରଣ ସାହସର ପରିଚୟ ଦେଇ ୨ ପଏଣ୍ଟ୍‌ ବ୍ୟବଧାନରେ ଏହକୁ ଜିତି ନେଇ ମ୍ୟାଚ୍‌ ଓ କ୍ୟାରିୟର୍‌ର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍ କବ୍‌ଜା କରି ନେଇଥିଲେ। ଶେଷ ଥର ପାଇଁ ସେ ୨୦୨୨ ମସିହାରେ ୱିମ୍ବିଲଡନ୍ ଓପନ୍‌ ଜିତି ନିଜ ଜୀବନର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ: Shehbaz said about Pakistan: ମୋତେ ଓ ମୁନିରଙ୍କୁ ବିଭିନ୍ନ ଦେଶକୁ ଭିକାରୀଙ୍କ ପରି ଋଣ ମାଗିବାକୁ ପଡ଼ିଛି: ଶେହବାଜ

ଅନ୍ୟପକ୍ଷରେ ୨୦୨୩ ଓ ୨୦୨୪ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଥିବା ବେଲାଋଷ ଲଳନା ସାବାଲେଙ୍କା ମ୍ୟାଚ୍‌ ଶେଷ ଆଡ଼କୁ ଫର୍ମ ହରାଇ ତୃତୀୟ ଥର ଲାଗି ଏଠାରେ ବିଜେତା ହେବାରୁ ବଞ୍ଚିତ ହୋଇଥିଲେ। ରବିବାର ପୁରୁଷ ଏକକ ଫାଇନାଲ୍‌ରେ ରେକର୍ଡ ୨୫ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟ ଲକ୍ଷ୍ୟରେ ଥିବା ସର୍ବିୟାର ମହାନ ତାରକା ନୋଭାକ ଜୋକୋଭିକ ଟପ୍‌ ସିଡ୍‌ ସ୍ପେନ୍‌ର କାଲୋର୍ସ୍‌ ଆଲ୍‌କାରାଜଙ୍କୁ ଭେଟିବେ। ଏହା ମହାଲେଢ଼ଇ ଉପରେ ପୂରା ଟେନିସ୍‌ ଜଗତର ନଜର ରହିବ।