ଓସିଏ ଆକାଉଣ୍ଟରୁ ବେଆଇନ ଟଙ୍କା ଉଠାଣ ଅଭିଯୋଗ

ସମସ୍ତ କାରବାର ଆଇନ ସମ୍ମତ ହୋଇଛି: ଓସିଏ

କଟକ: ଓଡ଼ିଶା କ୍ରିକେଟ ସ˚ଘକୁ ବିସିସିଆଇ ଅନୁଦାନ ବନ୍ଦ ହୋଇଯାଇଥିଲେ ବି ବିଭନ୍ନ ସମୟରେ ବୋର୍ଡର ମ୍ୟାଚ ପରିଚାଳନା ବାବଦ ଟଙ୍କା ସିଧାସଳଖ ବ୍ୟାଙ୍କକୁ ଆସୁଛି। କିନ୍ତୁ ଓସିଏ ଆକାଉଣ୍ଟରୁ ବେଆଇନ୍‌ ଭାବେ ଟଙ୍କା ଉଠାଯାଇଥିବା ସନ୍‌ରାଇଜ୍‌ କ୍ଲବ୍‌ ସମ୍ପାଦକ ତଡିତ କୁମାର ରାଉତ ଅଭିଯୋଗ କରିଛନ୍ତି। ୨୦୧୮ ମାର୍ଚ୍ଚ ମାସରେ ଓସିଏର ଏସ୍‌ବିଆଇ ଆକାଉଣ୍ଟରୁ ଆଇଓବି ବ୍ୟାଙ୍କ୍‌କୁ ୩ଲକ୍ଷ ଟଙ୍କାର ଆର‌୍‌ଟିଜିଏସ୍‌ ହୋଇଛି। ଯେଉଁ ବ୍ୟକ୍ତିଙ୍କ ପାଖକୁ ଏହି ଟଙ୍କା ଯାଇଛି ତାଙ୍କ ସହିତ ଓସିଏର କୌଣସି ବ୍ୟବସାୟିକ ସମ୍ପର୍କ ନଥିବା ଶ୍ରୀ ରାଉତ ଅଭିଯୋଗ କରିଛନ୍ତି। ତେଣୁ ଏହା ତଦନ୍ତ ସାପେକ୍ଷ ବୋଲି ସେ କହିଛନ୍ତି। ସେହିପରି ବୋର୍ଡ ମ୍ୟାଚ ପରିଚାଳନା ବାବଦକୁ ଏକଦା ୧୦ଲକ୍ଷ ଟଙ୍କା ଆସିଥିଲା। ହେଲେ ଉକ୍ତ ଟଙ୍କାକୁ ବିନା ଭାଉଚର କିମ୍ବା କାଗଜପତ୍ରରେ ଏକ ନିର୍ଦ୍ଧିଷ୍ଟ ଟ୍ରାଭେଲ୍‌ ଏଜେନ୍ସିକୁ ପ୍ରଦାନ କରାଯାଇଛି। କେଉଁ ସ୍ବାର୍ଥରେ ପରିଚାଳନା ସମିତି ଅଧ୍ୟକ୍ଷ ଏପରି କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏସ˚ପର୍କରେ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ଅଭିଯୋଗକୁ ଖଣ୍ତନ କରି କହିଛନ୍ତି ଯେ, ବେଆଇନ୍‌ କାରବାର କିଛି ହୋଇନାହିଁ। ବ୍ୟାଙ୍କରୁ ବ୍ୟାଙ୍କକୁ ଆର‌୍‌ଟିଜିଏସ୍‌ ହେଲେ ସବିଶେଷ ତଥ୍ୟ ବ୍ୟାଙ୍କ ପାଖରେ ଉପଲବ୍ଧ ଅଛି। ଯେକେହି ବି ଚାହିଁଲେ ପୂର୍ଣ୍ଣାଙ୍ଗ ତଥ୍ୟ ଆଣିପାରିବ। ସ˚ପୃକ୍ତ ବ୍ୟକ୍ତିଙ୍କ ସହିତ ବ୍ୟବସାୟିକ ସମ୍ପର୍କ ଅଛି କି ନାହିଁ ତାହା ଓସିଏ କାର୍ଯ୍ୟାଳୟରୁ ଜାଣିହେବ ବୋଲି ଧୀରେନ୍‌ କହିଛନ୍ତି। ଅନ୍ୟପକ୍ଷରେ ଟ୍ରାଭେଲ୍‌ ଏଜେନ୍ସିର ପାଖାପାଖି ୪୦ ଲକ୍ଷ ଟଙ୍କା ବାକି ରହିଛି। ସେଥିମଧ୍ୟରୁ ଯେଉଁ ଟଙ୍କା ତାଙ୍କୁ ପ୍ରଦାନ କରାଯାଇଛି, ତାହାକୁ ଭାଉଚର କରାଯାଇ ପ୍ରମାଣ ସହିତ ପ୍ରଦାନ କରାଯାଇଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବରୁ ବିସିସିଆଇ ପକ୍ଷରୁ ଓସିଏକୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୭କୋଟି ଟଙ୍କା ପ୍ରଦାନ କରାଯାଇଥିବା ସଦସ୍ୟମାନେ ଅଭିଯୋଗ କରିଥିଲେ। କିନ୍ତୁ ବିସିସିଆଇ ଯାହା ଅନୁଦାନ ଦେଇଛି ତାହା ସିଧାସଳଖ ଭେଣ୍ତର ପାଖକୁ ଯାଇଛି। ସେଥିରେ ଓସିଏର କୌଣସି ସ˚ପୃକ୍ତି ନଥିବା ଧୀରେନ୍‌ କହିଛନ୍ତି। ତଥାପି ଯେଉଁ ତାରିଖରେ ଟଙ୍କା ଆସିଛି ତାହାର ଏକ ତାଲିକ ଶ୍ରୀରାଉତ ଗଣମାଧ୍ୟମକୁ ଦେଇଛନ୍ତି। ୨୦୧୭ ଏପ୍ରିଲ ୨୪, ଅଗଷ୍ଟ ୨, ସେପ୍ଟେମ୍ବର ୨୭, ଅକ୍ଟୋବର ୯, ୨୦୧୮ ଜାନୁାରି ୧୮, ଫେବୁଆରି ୨୨, ମେ ୨୯, ଜୁଲାଇ ୯, ନଭେମ୍ବର ୨୭, ୨୦୧୯ ଜାନୁଆରି ୩୦ ତାରିଖରେ ମୋଟ ୭କୋଟି ୫୮ଲକ୍ଷ ୨୮୨ ଟଙ୍କା ଓସିଏ ଆକାଉଣ୍ଟକୁ ଆସିଛି। କ୍ରିକେଟର ଉନ୍ନତି ପାଇଁ ଏହି ଟଙ୍କା ଆସୁଥିଲେ ବି କୌଣସି କ୍ଲବ୍‌, ସ୍କୁଲ୍‌, କଲେଜ କିମ୍ବା ଜିଲ୍ଲା ସ˚ଘ ଏହି ଟଙ୍କା ପାଇନାହାନ୍ତି। ଏପରିକି ଟଙ୍କା ନଥିବା ଆଳରେ ଘରୋଇ କ୍ରିକେଟ ଆୟୋଜନ କରାଯାଉନଥିବା ଅଭିଯୋଗ ହୋଇଛି। ଓସିଏ ଉଦ୍ଦେଶ୍ୟମୂଳକ ଭାବେ କ୍ଲବ୍‌ ଓ ସ୍କୁଲ୍‌, କଲେଜମାନଙ୍କୁ ଉପେକ୍ଷା କରୁଥିବା କୁହାଯାଇଛି। ଏସବୁ ତାଲିକା ବାବଦରେ ଆକାଉଣ୍ଟ ବିଭାଗ ସହିତ ଆଲୋଚନା କରିବା ପରେ ସବିଶେଷ ତଥ୍ୟ ଦିଆଯାଇପାରିବ ବୋଲି ଧୀରେନ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର