ପାକିସ୍ତାନକୁ ଦଳ ପଠାଇବାକୁ ମନାକଲା ବିସିସିଆଇ

ଏମର୍ଜିଂ ନେସନ୍‌ସ କପ୍‌: ଶ୍ରୀଲଙ୍କାରେ ସବୁ ମ୍ୟାଚ୍‌ ଖେଳିବ ଭାରତ

ନୂଆଦିଲ୍ଲୀ: ଡିସେମ୍ବର ମାସ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଏମର୍ଜିଂ ନେସନ୍‌ସ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତ ଭାଗନେବ। ହେଲେ ପାକିସ୍ତାନରେ କୌଣସି ମ୍ୟାଚ୍‌ ଖେଳିବ ନାହିଁ। ଦଳ ପାକିସ୍ତାନ ପଠାଯିବ ନାହିଁ ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ରୋକ୍‌ଠୋକ୍‌ ମନା କରିଦେଇଛି। ୨୦୦୮ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ କେତେକ ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ କରିବାକୁ ଯାଉଥିଲା ବେଳେ ଭାରତ ସେହି ଦେଶକୁ ଦଳ ପଠାଇବାକୁ ମନା କରିଦେଇଛି। ଭ୍ରମଣକାରୀ ଦଳମାନଙ୍କ ପାଇଁ  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଏବଂ କରାଚି ରହଣୀ ସମୟରେ ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦେବାକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପ୍ରସ୍ତାବ ଦେଇଥିଲା ବେଳେ ଭାରତ କିନ୍ତୁ ସେଠାକୁ ଦଳ ପଠାଇବାକୁ ଆଗ୍ରହ ଦେଖାଇନାହିଁ। ଭାରତ ଏବେ ବି କୌଣସି ଦଳ ସହ ପାକିସ୍ତାନରେ ମ୍ୟାଚ୍‌ ଖେଳିବା ପାଇଁ ପ୍ରସ୍ତୁତ ନାହିଁ ବୋଲି ବିସିସିଆଇ ପ୍ରତିପକ୍ଷ ପାକ୍ କ୍ରିକେଟ୍‌ ବୋର୍ଡ (ପିସିବି)କୁ ଜଣାଇ ଦେଇଛି। ଫଳରେ ଏମର୍ଜିଂ ନେସନ୍‌ସ କପ୍‌ରେ ଭାରତର ତା’ର ସବୁଯାକ ମ୍ୟାଚ୍‌ ଶ୍ରୀଲଙ୍କାରେ ହିଁ ଖେଳିବ ବୋଲି ସ୍ପଷ୍ଟ ହୋଇଛି। କଲମ୍ବୋରେ ଫାଇନାଲ୍‌ ଖେଳାଯିବାକୁ ଥିବାରୁ ଭାରତ ପାଇଁ ଅସୁବିଧା ହେବନି ବୋଲି ବିସିସିଆଇ କହିଛି। ଏମର୍ଜିଂ ନେସନ୍‌ସ କପ୍‌ ପାଇଁ ପାକିସ୍ତାନ ସହ ବାଂଲାଂଦେଶ, ୟୁଏଇ ଓ ହଂକଂ ଗୋଟିଏ ଗ୍ରୁପ୍‌ରେ ରହିଛନ୍ତି। ପ୍ରତିଯୋଗିତାର କରାଚି ଚରଣରେ ହିଁ ଏହି ୪ ଦଳ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ପ୍ରତିଯୋଗିତାରେ ପାକିସ୍ତାନ ୬ ମ୍ୟାଚ୍‌ ଆୟୋଜକ କରିବାକୁ ଥିଲା ବେଳେ ୩ କରାଚି ନ୍ୟାସ୍‌ନାଲ୍‌ ଷ୍ଟାଡଇୟମ୍‌ ଏବଂ  ଅନ୍ୟ ୩ ସାଉଥ୍‌ଏଣ୍ଡ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ଅନ୍ୟଗ୍ରୁପ୍‌ରେ ଶ୍ରୀଲଙ୍କା, ଆଫ୍‌ଗାନିସ୍ତାନ ଓ ଭାରତ କଲମ୍ବୋ ଚରଣରେ ପ୍ରତିଦ୍ବନ୍ଦ୍ବିତା କରିବେ।

ସମ୍ବନ୍ଧିତ ଖବର