‘ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଉପରେ ଜୋର ଦିଆଯାଉ’

ଦ୍ରୋଣାଚାର୍ଯ୍ୟ ଏସ୍. ପ୍ରଦୀପ କୁମାରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ଭୁବନେଶ୍ବର (ଦେବାଶିଷ ସୁ୍ନ୍ଦରାୟ): ଭାରତୀୟ ସନ୍ତରଣ କଥା ପଡ଼ିଲେ ଆପେଆପେ ଦ୍ରୋଣାଚାର୍ଯ୍ୟ ଏସ୍. ପ୍ରଦୀପ କୁମାରଙ୍କ କଥା ମନକୁ ଆସିଯାଏ। ନିଜ ଲମ୍ବା ପ୍ରଶିକ୍ଷଣ ଜୀବନରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ସନ୍ତରଣ ଲାଗି ୮,୦୦୦ରୁ ଅଧିକ ପିଲା ଗଢ଼ିଛନ୍ତି ସେ। ପ୍ରଦୀପଙ୍କ ପ୍ରଶିକ୍ଷଣରେ ତାଙ୍କ ପ୍ରଶିକ୍ଷାର୍ଥୀମାନେ ବିଭିନ୍ନ ବୟସ ବର୍ଗରେ ୪,୦୦୦ରୁ ଅଧିକ ପଦକ ଜିତିଛନ୍ତି। ସେଥିମଧ୍ୟରେ ରହିଛି ୧୮୦୦ରୁ ଅଧିକ ସ୍ବର୍ଣ୍ଣ ପଦକ। ତାଙ୍କ ନିରନ୍ତର ପ୍ରୟାସ ଓ ବଳିଷ୍ଠ ମାର୍ଗଦର୍ଶନ ପାଇଁ ସନ୍ତରଣରେ ୨୫୦ରୁ ଅଧିକ ଜାତୀୟ କୀର୍ତ୍ତିମାନ ସ୍ଥାପିତ ହୋଇଛନ୍ତି। ସନ୍ତରଣରେ ନିଶା ମିଲେଟଙ୍କଠାରୁ ଅରମ୍ଭ କରି ସଜନ ପ୍ରକାଶଙ୍କ ପର୍ଯ୍ୟନ୍ତ, ୫ ଜଣ ଅଲିମ୍ପିଆନ୍ ଏବଂ ୪ ଜଣ ଅର୍ଜୁନ ପୁରସ୍କାର ବିଜେତା ସୃଷ୍ଟି କରିଛନ୍ତି ପ୍ରଦୀପ। କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଆୟୋଜିତ ୪୮ତମ ଜାତୀୟ କନିଷ୍ଠ ଜଳକ୍ରୀଡ଼ା ପ୍ରତିଯୋଗିତା ଲାଗି ଭୁବନେଶ୍ବର ଆ‌ସିଥିଲା ବେଳେ ଏହି ମହାନ ପ୍ରଶିକ୍ଷକ ‘ସମ୍ବାଦ’କୁ ଦେଇଥିଲେ ସ୍ବତନ୍ତ୍ର ସାକ୍ଷାତକାର।

-ସନ୍ତରଣ ପ୍ରଶିକ୍ଷଣକୁ କେମିତି ଆସିଲେ? ସଂପ୍ରତି ଭାରତରେ ସନ୍ତରଣ ଯେଉଁ ସ୍ଥିତିରେ ଅଛି, ସେଥିନେଇ ଖୁସି ଅଛନ୍ତି କି?
-କେରଳର ତିରୁଅନନ୍ତପୂରମ ଜିଲ୍ଲାର ନାନିୟୋଗ ଗ୍ରାମରେ ମୋର ଜନ୍ମ। ପାରମ୍ପରିକ ଭାବେ କେରଳ ଭାରତୀୟ ସନ୍ତରଣର ପେଣ୍ଠସ୍ଥଳୀ ହୋଇ ରହିଆସିଛି। ଏଣୁ ସ୍ବାଭାବିକ ଭାବେ ମୁଁ ସନ୍ତରଣ ଆଡ଼କୁ ଢଳିଥିଲି। ନିଜ ସମୟରେ ମୁଁ ଜଣେ ଜାତୀୟସ୍ତରର ସନ୍ତରଣ ତାରକା ଥିଲି। କିଛି ଦିନ ଅଭିନୟ ବି କରିଥିଲି। ହେଲେ ପ୍ରଶିକ୍ଷଣରେ ମୁଁ ଅଧିକ ସଫଳତା ପାଇଛି। ପତିଆଲାସ୍ଥିତ ଜାତୀୟ କ୍ରୀଡ଼ା ସଂସ୍ଥାନରୁ ପାଠ୍ୟକ୍ରମ ଶେଷ କରିବା ପରେ ମୁଁ ପ୍ରଶିକ୍ଷଣ ଦୁନିଆରେ ପାଦ ଥାପିଥିଲି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇ ସାରିଛି। ଭାରତ ଏପର୍ଯ୍ୟନ୍ତ ସନ୍ତରଣରେ ଅଲିମ୍ପିକ୍ସ ପଦକ ଜିତିନପାରିବା ମୋ ଜୀବନର ଏକମାତ୍ର ଅବସୋସ।
-ଆପଣଙ୍କ ପ୍ରଶିକ୍ଷଣରେ ସଜନ ପ୍ରକାଶ ଅଲିମ୍ପିକ୍ସର ‘ଏ’ ଯୋଗ୍ୟତା ହାସଲ କରିବାରେ ପ୍ରଥମ ଭାରତୀୟ ହୋଇଥିଲେ। ଟୋକିଓ ଅଲିମ୍ପିକ୍ସର ୨୦୦ ମିଟର ବଟରଫ୍ଲାଏରେ ଅଂଶଗ୍ରହଣ କରି ଦେଶ ପାଇଁ ସୁନାମ ଆଣିଥିଲେ।

ଏବେକାର ପିଲାଙ୍କ ଭିତରେ କାହା ପାଖରେ ସେହିଭଳି ପ୍ରତିଭା ଦେଖୁଛନ୍ତି?
-କେବଳ ସଜନ ପ୍ରକାଶ ନୁହନ୍ତି। ମୋ ପ୍ରଶିକ୍ଷଣରେ ପାଞ୍ଚ ଜଣ ଖେଳାଳି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି। ଏବେକାର ପିଲାଙ୍କ ଭିତରେ ବହୁ ପ୍ରତିଭାବାନ ସନ୍ତରଣ ତାରକା ଅଛନ୍ତି। ତେବେ ସେମାନଙ୍କୁ ନିରନ୍ତର କଠିନ ପରିଶ୍ରମ କରିବାକୁ ହେବ। ବିଶ୍ବସ୍ତରରେ ଭାରତୀୟ ସନ୍ତରଣ ତାରକା ଭଲ କରିବାକୁ ହେଲେ ଆମକୁ ଡ୍ରପ ଆଉଟ୍ ହାର କମାଇବାକୁ ହେବ। ଅର୍ଥାତ୍ କନିଷ୍ଠରୁ ବରିଷ୍ଠ ବର୍ଗକୁ ଗଲା ବେଳେ ଖେଳାଳି ଯେମିତି ଖେଳ ଛାଡ଼ି ନଦିଅନ୍ତି, ତା ଉପରେ ଧ୍ୟାନ ଦେବାକୁ ହେବ। ଏହା ଛଡ଼ା ପରିବର୍ତ୍ତିତ ପରିସ୍ଥିତି ତଥା ଦିନକୁ ଦିନ ବଦଳି ଚାଲିଥିବା ପ୍ରଶିକ୍ଷଣ ପଦ୍ଧତି ସହ ଆମ ପ୍ରଶିକ୍ଷକମାନଙ୍କୁ ପରିଚିତ କରିବାକୁ ହେବ। ପ୍ରଥମେ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଉପରେ ଧ୍ୟାନ ଦେବାକୁ ହେବ। ପ୍ରଶିକ୍ଷକ ଦକ୍ଷ ହେଲେ ଯାଇ ଭାରତ ତଥା ଓଡ଼ିଶାରୁ ଭଲ ପିଲା ସୃଷ୍ଟି ହୋଇପାରିବେ।

-ଆପଣ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ତେବେ ହଠାତ୍ ଦୁବାଇ ଚାଲିଯାଇ ସେଠାରେ ପ୍ରଶିକ୍ଷଣ ଦେଉଛନ୍ତି। ଏହାର କିଛି ବିଶେଷ କାରଣ ଅଛି କି?
-ବେଙ୍ଗାଲୁରୁସ୍ଥିତ ବାସବନାଗୁଡ଼ି ଜଳକ୍ରୀଡ଼ା କେନ୍ଦ୍ରରେ ମୁଁ ୨୯ ବର୍ଷ ଧରି ମୁଖ୍ୟ ପ୍ରଶିକ୍ଷକ ଥିଲି। ମୋ ଉପରେ ମୋ ପରିବାରର ବୋଝ ଥିଲା। ଆପଣ କହିପାରିବେ ଯେ ଆର୍ଥିକ କାରଣ ପାଇଁ ମୁଁ ଦୁବାଇ ଯିବାକୁ ବାଧ୍ୟ ହେଲି। ସତକଥା ହେଲା ପୁଅକୁ ପଢ଼ାଇବା ଲାଗି ମୁଁ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବାକୁ ବାଧ୍ୟ ହୋଇଥିଲି। କାରଣ ଏହା କରି ମୁଁ ମୋ ଭବିଷ୍ୟନିଧି ପାଣ୍ଠି ଓ ଅନ୍ୟାନ୍ୟ କ୍ଷେତ୍ରରୁ କିଛି ଅର୍ଥ ଯୋଗାଡ଼ କରିପାରିଥିଲି। ଏବେ ଦୁବାଇରେ ଏକାଡେମି ଚଳାଉଛି। ବେଦାନ୍ତ ମାଧବନଙ୍କ ଭଳି ବହୁ ପିଲା ମୋଠାରୁ ସନ୍ତରଣ ଶିଖୁଛନ୍ତି। ଆର୍ଥିକ ଦୃଷ୍ଟିରୁ ଟିକିଏ ଭଲ ସ୍ଥିତିରେ ଅଛି।

-ସୁଯୋଗ ମିଳିଲେ ଅପଣ ଓଡ଼ିଶା ଆସି ଏଠାରେ ପ୍ରଶିକ୍ଷଣ ଦେବାକୁ ଇଚ୍ଛୁକ ଅଛନ୍ତି କି?
-ହିଁ ନିଶ୍ଚିତ ଭାବେ। ହେଲେ ସଂପ୍ରତି ମୁଁ କୌଣସି ପ୍ରତିଶ୍ରୁତି ଦେଇ ପାରିବି ନାହିଁ। ମୁଁ ନିୟମିତ ପ୍ରଶିକ୍ଷଣ ଦେବା ପରିବର୍ତ୍ତେ ମାର୍ଗଦର୍ଶକ କିମ୍ବା ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାକୁ ଅଧିକ ପସନ୍ଦ କରିବି। ଏହା ଦ୍ବାରା ଓଡ଼ିଶାରେ ଅଧିକରୁ ଅଧିକ ସନ୍ତରଣ ପ୍ରଶିକ୍ଷକ ସୃଷ୍ଟି ହୋଇପାରିବେ। ମୁଁ ଏଥିଲାଗି ସମୟ ଦେଇ ପାରିବି। ସବୁ ଦିନ କିନ୍ତୁ ରହି ପାରିବି ନାହିଁ।

-ବିଜୁ ପଟ୍ଟନାୟକ ସନ୍ତରଣାଗାରର ସୁବିଧା ସୁଯୋଗକୁ ନେଇ ଆପଣ କ’ଣ କହିବେ?
-ମୁଁ ୪୫ ବର୍ଷ ଧରି ସନ୍ତରଣ ସହ ଜଡ଼ିତ ଅଛି। ପ୍ରଥମ ଥର ଓଡ଼ିଶା ଆସିଛି। ଏଠାରେ ଯେଉଁ ସୁବିଧା ସୁଯୋଗ ଅଛି, ତାହା ଭାରତର ଅନ୍ୟ କେଉଁଠାରେ ନାହିଁ ବୋଲି କହିପାରିବି। ବିଶେଷ କରି ସନ୍ତରଣାଗାରର ମାନ ଅତି ଉଚ୍ଚକୋଟୀର। ଏଠାକୁ ମୁଁ ପୁଣି ଥରେ ଆସିବାକୁ ନିଶ୍ଚିତ ଭାବେ ଚାହିବି। ଓଡ଼ିଶା ସରକାର ଭାରତୀୟ କ୍ରୀଡ଼ା ପାଇଁ ବହୁତ କିଛି କରୁଛନ୍ତି। ସନ୍ତରଣ ପାଇଁ ଏଠାକାର ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ।

ସମ୍ବନ୍ଧିତ ଖବର