କବାଡ଼ି ଆଧିପତ୍ୟ ଶେଷ

ଜାକର୍ତା/ପାଲେମବାଙ୍ଗ: ୧୯୯୦ ମସିହାରେ ଏସୀୟ କ୍ରୀଡ଼ାରେ କବାଡ଼ି ସାମିଲ ହେବା ପରଠାରୁ ଭାରତ ବିଜେତା ହୋଇ ଆସୁଥିଲା। ଏହି ଦେଶୀ ଖେଳରେ ଆମ ଦେଶ ଲଗାତାର ସାତ ଥର ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ କିନ୍ତୁ ଏହି ଧାରା ଭାଙ୍ଗିଛି। କବାଡ଼ି ମହାଶକ୍ତି ଭାରତ ଚଳିତ ଥର ସେମିଫାଇନାଲରେ ଅଟକି ଯାଇଛି। ଲିଗ୍‌ ପର୍ଯ୍ୟାୟରେ ଦକ୍ଷିଣ କୋରିଆଠାରୁ ଅପ୍ରତ୍ୟାଶିତ ଭାବେ ହାରିଥିବା ଭାରତୀୟ ପୁରୁଷ କବାଡ଼ି ଦଳ ଗୁରୁବାର ସେମିଫାଇନାଲରେ ଇରାନଠାରୁ ୧୭-୨୮ରେ ହାରି ଯାଇଛି । ଫଳରେ ପ୍ରଥମ ଥର ପାଇଁ ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଛି। ଗତ ଦୁଇ ସଂସ୍କରଣରେ ଉପବିଜେତା ହୋଇଥିବା ଇରାନ ଲଗାତାର ତୃତୀୟ ଥର ପାଇଁ ଫାଇନାଲ୍‌ ଯାଇଛି। ସେପଟେ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟ ଅନୁରୂପ ଭାବେ ସେମିଫାଇନାଲ୍‌ ବାଧା ପାର କରି ପାରି ନାହିଁ। ପାକିସ୍ତାନ ଆଜିର ଅନ୍ୟ ଏକ ସେମିଫାଇନାଲରେ ଦକ୍ଷିଣ କୋରିଆଠାରୁ ୨୪-୨୭ରେ ହାରି ଯାଇଛି। କବାଡ଼ିରେ ଦୁଇ ପରାଜିତ ସେମିଫାଇନାଲିଷ୍ଟଙ୍କୁ କାଂସ୍ୟ ମିଳୁଥିବାରୁ ଉଭୟ ଭାରତ ଓ ପାକିସ୍ତାନ ସେଥିରେ ସନ୍ତୁଷ୍ଟ ରହିଛନ୍ତି।

ଫାଇନାଲରେ ମହିଳା
ପୁରୁଷ ଦଳ ନିରାଶ କରିଥିଲେ ମଧ୍ୟ ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କବାଡ଼ି ଦଳ ଲଗାତାର ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଫଳରେ ସ୍ୱର୍ଣ୍ଣ ଜିତିବା ଆଶା ଉଜ୍ଜୀବିତ ରହିଛି। ଗୁରୁବାରର ସେମିଫାଇନାଲରେ ଭାରତୀୟ ମହିଳା ଦଳ ଚାଇନିଜ୍‌ ତାଇପେକୁ ୨୭-୧୪ରେ ହରାଇ ଦେଇଛି। ୨୦୧୨, ୧୩ ଏବଂ ୧୪ରେ ତିନି ଥର ବିଶ୍ୱକପ୍‌ ଜିତିଥିବା ଭାରତୀୟ ମହିଳା କବାଡ଼ି ଦଳ ଫାଇନାଲରେ ଇରାନକୁ ଭେଟିବ। ଭାରତୀୟ ମହିଳା ଦଳ ନିଜ ଗ୍ରୁପର ଶୀର୍ଷ ସ୍ଥାନରେ ରହି ସେମିଫାଇନାଲ୍‌ ଯାଇଥିଲା।

ସମ୍ବନ୍ଧିତ ଖବର