ମାଞ୍ଚେଷ୍ଟର : କୋଭିଡ୍-୧୯ ପରବର୍ତୀ ଆନ୍ତର୍ଜାତିକ କ୍ରିକେଟ୍ ଜରିଆରେ ଇଂଲଣ୍ଡ ଏବଂ ୱେଣ୍ଟଇଣ୍ଡିଜ୍ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହୋଇଯାଇଛି। ସାଉଥମ୍ପଟନ୍ରେ ପ୍ରଥମ ଟେଷ୍ଟ୍ ମୀମାଂସା ହୋଇଯାଇଥିଲା ବେଳେ ଆସନ୍ତାକାଲିଠାରୁ ମାଞ୍ଚେଷ୍ଟରରେ ଦ୍ବିତୀୟ ଟେଷ୍ଟ୍ ଆରମ୍ଭ ହେବ। ଘରୋଇ ମାଟିରେ କିନ୍ତୁ ଇଂଲଣ୍ଡ ଦଳ ପ୍ରଥମ ଟେଷ୍ଟ୍କୁ ହାରିସାରିଛି। ନିୟମିତ ଅଧିନାୟକ ଜୋ ରୁଟ୍ ପିତୃତ୍ବ ଲାଭ ପାଇଁ ଏହି ଟେଷ୍ଟ୍ରୁ ବିରତି ନେଇଥିଲେ। ତାଙ୍କ ସ୍ଥାନରେ ଦଳର ନେତୃତ୍ବ ଭାର ସମ୍ଭାଳିଥିଲେ ଅଲ୍ରାଉଣ୍ଡର ତଥା ବିଶ୍ବକପ୍ ବିଜୟର ପ୍ରମୁଖ ନାୟକ ବେନ୍ ଷ୍ଟୋକ୍ସ। ହେଲେ ଷ୍ଟୋକ୍ସ ତାଙ୍କୁ ମିଳିଥିବା ପ୍ରଥମ ସୁଯୋଗରେ ବିଫଳତାର ସ୍ବାଦ ଚାଖିଛନ୍ତି। ଜାସନ୍ ହୋଲ୍ଡରଙ୍କ ନେତୃତ୍ବାଧୀନ ୱେଷ୍ଟ୍ଇଣ୍ଡିଜ୍ ଦଳ ସାଉଥମ୍ପଟନ୍ରେ ବର୍ଷା ବାଧାପ୍ରାପ୍ତ ପ୍ରଥମ ଟେଷ୍ଟ୍କୁ ୪ ୱିକେଟ୍ରେ ଜିତି ନେଇଥିଲା। ଏଥି ସହିତ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଯାଇଥିଲା। ତେଣୁ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଇଥିବା ଦ୍ବିତୀୟ ଟେଷ୍ଟ୍କୁ ଜିତି ଆଗୁଆ ଶୃଙ୍ଖଳା କବ୍ଜା କରିବା ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଇଣ୍ଡିଜ୍ ଦଳ। ସେହି ଦୃଷ୍ଟିରୁ ବିଜୟ ପଥରେ ଥିବା ଇଣ୍ଡିଜ୍ ଦଳରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ। ଯଦି ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋଡ୍ରେ ଖେଳାଯିବାକୁ ଥିବା ଅବଶିଷ୍ଟ ଦୁଇଟିଯାକ ଟେଷ୍ଟ୍ରୁ ଗୋଟିଏ ବି ଜିତିନିଏ, ତାହାଲେ ୱେଷ୍ଟଇଣ୍ଡିଜ୍ ୩୨ ବର୍ଷ ପରେ ଇଂଲଣ୍ଡ ମାଟିରେ ପ୍ରଥମ ଶୃଙ୍ଖଳା ବିଜୟର ଗୌରବ ବହନ କରିବ।
ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟ୍ ଖେଳିନଥିବା ରୁଟ୍ ଦଳକୁ ଫେରିଛନ୍ତି। ଶୃଙ୍ଖଳାରେ ତିଷ୍ଠି ରହିବାକୁ ହେଲେ ଏହି ଟେଷ୍ଟ୍ ଘରୋଇ ଦଳ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ସେହି ଦୃଷ୍ଟିରୁ ରୁଟ୍ଙ୍କ ପ୍ରତ୍ୟାବର୍ତନ ଇଂଲଣ୍ଡ ଦଳ ପାଇଁ ଶକ୍ତିବର୍ଦ୍ଧକ ହୋଇଛି। ତେବେ ଅଷ୍ଟ୍ରେଲିଆରେ ୨୦୧୭-୧୮ ଆସେସ୍ ପରଠାରୁ ଇଂଲଣ୍ଡ ମଧ୍ୟ ୧୦ ମୁକାବିଲାରେ ୮ ଥର କୌଣସି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାରିଯାଇଛି। ଅବଶ୍ୟ ନିକଟରେ ଦକ୍ଷିଣ ଆଫ୍ରିକାରେ ରୁଟ୍ଙ୍କ ଦଳ ପ୍ରଥମ ଟେଷ୍ଟ୍ ହାରିବା ପରେ ଚମତ୍କାର ପ୍ରତ୍ୟାବର୍ତନ କରି ଶୃଙ୍ଖଳାକୁ ୩-୧ରେ ଜିତି ନେଇଥିଲା। ତେଣୁ ରୁଟ୍ଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ ଏବଂ ଘରୋଇ ମାଟିରେ ଶୃଙ୍ଖଳା ପରାଜୟରୁ ବର୍ତିପାରିବ। ଏପରିକି ଦକ୍ଷିଣ ଆଫ୍ରିକାରେ ସେହି ସଫଳତାକୁ ଦୋହରାଇବା ଆଶା ରଖିଛନ୍ତି ଇଂଲଣ୍ଡ ପ୍ରଶିକ୍ଷକ କ୍ରିସ୍ ସିଲ୍ଭରଉଡ୍।
ରୁଟ୍ ଦଳକୁ ଫେରିଥିଲା ବେଳେ ପ୍ରଥମ ଟେଷ୍ଟ୍ରେ ତିନି ନମ୍ବରରେ ବ୍ୟାଟି କରିଥିବା ଜୋଏ ଡେନ୍ଲି ବାଦ୍ ପଡ଼ିଛନ୍ତି। ଡେନ୍ଲି ମଧ୍ୟ ପ୍ରଥମ ଟେଷ୍ଟ୍ରେ କୌଣସି ପ୍ରଭାବର ଛାପ ଛାଡ଼ିନାହାନ୍ତି। ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟ୍ର ଦ୍ବିତୀୟ ପାଳିରେ ୭୬ ରନ୍ କରିଥିବା ଜାକ୍ କ୍ରଲି ସ୍ଥାନ ବଜାୟ ରଖିଛନ୍ତି। ଏକଦା ସେହି ପାଳିରେ ଇଂଲଣ୍ଡ ୩୦ ରନ୍ରେ ୫ ୱିକେଟ୍ ହରାଇ ଘୋର ସଂକଟରେ ପଡ଼ିଥିଲା ବେଳେ କ୍ରଲିଙ୍କ ପାଳି ବଳରେ ଦଳ ୩୦୦ ଟପି ପାରିଥିଲା। ଇଂଲଣ୍ଡ ପ୍ରଶିକ୍ଷକ ସିଲ୍ଭରଉଡ୍ ମଧ୍ୟ କ୍ରଲିଙ୍କ ପ୍ରଦର୍ଶନରେ ପୂରା ସନ୍ତୁଷ୍ଟ ରହିଛନ୍ତି। ସେହିପରି ରୁଟ୍ଙ୍କ ସହିତ ପ୍ରଥମ ଟେଷ୍ଟ୍ରୁ ବିବାଦୀୟ ନିଷ୍ପତ୍ତିକ୍ରମେ ବାଦ୍ ଦିଆଯାଇଥିବା ଦ୍ରୁତ ବୋଲର ଅଲ୍ରାଉଣ୍ଡର ଷ୍ଟୁଆର୍ଟ ବ୍ରଡ୍ ଏବଂ କରୋନା ସଂକ୍ରମିତ ସାମ୍ କରନ୍ ମଧ୍ୟ ଦ୍ବିତୀୟ ଟେଷ୍ଟ୍କୁ ଫେରିଛନ୍ତି। ଦୁଇ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ଏବଂ ମାର୍କ ଉଡ୍ଙ୍କୁ ବିଶ୍ରାମ ଦିଆଯାଇଛି। ମୋଟ ୭ ସପ୍ତାହ ମଧ୍ୟରେ ୬ ଟେଷ୍ଟ୍ (ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ପରେ ପାକିସ୍ତାନ ବିପକ୍ଷ ୩) ଖେଳିବାକୁ ଥିବାରୁ ଇଂଲଣ୍ଡ ଦ୍ରୁତ ବୋଲରଙ୍କୁ ଅବଳବଦଳ କରି ଖେଳାଇବାର ଚିନ୍ତା କରିଛି।
ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟ୍ରେ ଉଭୟ ବ୍ୟାଟିଂ ଓ ୱିକେଟ୍ରକ୍ଷଣରେ ନିରାଶ କରିଥିବା ଜୋସ୍ ବଟ୍ଟଲର୍ ସ୍ଥାନ ବଜାୟ ରଖିଛନ୍ତି। ୨୦୧୯ ଆରମ୍ଭରୁ ବଟ୍ଟଲର୍ ମାତ୍ର ୨୩.୨୨ ହାରରେ ରନ୍ କରିପାରିଛନ୍ତି। ପୁଣି ନିଜର ଶେଷ ୨୧ ପାଳିରେ ଗୋଟିଏ ମାତ୍ର ଅର୍ଧଶତକ ଏବଂ ଶେଷ ୭୫ ପାଳିରୁ ମାତ୍ର ଗୋଟିଏ ଶତକ ତାଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି। ଏହାସତ୍ତ୍ବେ ବଟ୍ଲର୍ଙ୍କୁ ଆଉ ଏକ ସୁଯୋଗ ଦେବାକୁ ପ୍ରଶିକ୍ଷକ ସିଲ୍ଭରଉଡ୍ ଚାହିଁଥିଲେ।
ଇଂଲଣ୍ଡ ଦଳ: ଜୋ ରୁଟ୍ (ଅଧିନାୟକ), ଜୋଫ୍ରା ଆର୍ଚର, ଡୋମିନିକ ବେସ, ଷ୍ଟୁଆର୍ଟ ବ୍ରଡ, ରୋରି ବର୍ନସ, ଜୋସ ବଟ୍ଟଲର, ଜାକ କ୍ରଲି, ସାମ କରନ, ଓଲି ପପ୍, ଓଲି ରବିନସନ୍, ଡମ ସିବ୍ଲେ, ବେନ୍ ଷ୍ଟୋକ୍ସ, କ୍ରିସ ୱକ୍ସ।