୨ୟ ଟି-୨୦ : ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ

ଅହମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୨ୟ ଟି-୨୦ରେ ଇଂଲଣ୍ଡ ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଇଂଲଣ୍ଡ ଦଳ ଆରମ୍ଭରୁ ଅଭିଜ୍ଞ ଜସ ବଟଲରଙ୍କୁ ହରାଇଥିଲେ ମଧ୍ୟ ଜାସନ ରଏ ଓ ଡେଓ୍ବିଡ୍ ମଲାନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରଏ ୪୬ ରନ କରି ଓ୍ବାସିଂଟନ ସୁନ୍ଦରଙ୍କ ବଲରେ ଆଉଟ ହୋଇଥିବାବେଳେ ମଲାନ ୨୪ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ୨୦ ରନ ଓ ଇଅନ ମର୍ଗାନ ୨୮ ରନର ଯୋଗଦାନ ଦେଇଥିଲେ ।  ସେହିପରି ବେନ ଷ୍ଟୋକ୍ସ ୨୪ ରନ କରିଥିଲେ । ଫଳରେ ଇଂଲଣ୍ଡ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୪ ରନ କରିଥିଲା । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ୨ଟି ଲେଖାଏଁ, ଯୁଜବେନ୍ଦ୍ର ଚହଲ ଓ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସିରିଜର ପ୍ରଥମ ଟି-୨୦ରେ ଇଂଲଣ୍ଡ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଥିଲା । ଫଳରେ ସିରିଜରେ ଇଂଲଣ୍ଡ ୧-୦ରେ ଆଗୁଆ ଅଛି ।

ସମ୍ବନ୍ଧିତ ଖବର