ଲଣ୍ଡନ : କେନିଙ୍ଗଟନ ଓଭାଲ ଟେଷ୍ଟରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛି ଟିମ ଇଣ୍ଡିଆ । ୨୨୪ ରନରେ ଅଲ ଆଉଟ ହେବା ପରେ ଲାଗୁଥିଲା ଯେ ମ୍ୟାଚ ହାତଛଡ଼ା ହୋଇଯିବ ବୋଲି । କିନ୍ତୁ ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଫଳରେ ମ୍ୟାଚକୁ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛି ଭାରତ । ସର୍ବଶେଷ ସୂଚନା ଅନୁସାରେ ଇଂଲଣ୍ଡ ୭ ଓ୍ବିକେଟ ହରାଇ ୨୧୫ ରନ କରିଛି । ଇଂଲଣ୍ଡ ପକ୍ଷରୁ ଜାକ୍ କ୍ରାଉଲି ଓ ବେନ ଡକେଟ୍ ଭଲ ଆରମ୍ଭ କରିଥିଲେ ବି ପରବର୍ତ୍ତି ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । କ୍ରାଉଲି ୬୪ ରନ ଓ ଡକେଟ୍ ୪୩ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।  

Advertisment

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଯଶସ୍ବୀ ଜୟସ୍ବାଲ ମାତ୍ର ୨ ରନ କରି ଆଉଟ ହୋଇଥିବାବେଳେ କେଏଲ ରାହୁଲ ୧୪ ରନ କରି ଆଉଟ ହୋଇଥିଲେ । ସେହିପରି ସାଇ ସୁଦର୍ଶନ ୩୮ ରନ କରିଥିବାବେଳେ ଅଧିନାୟକ ଶୁବମନ ଗିଲ୍ ୨୧ ରନ କରିଥିଲେ । ଗତ ମ୍ୟାଚରେ ଶତକ ହାସଲ କରିଥିବା ରବୀନ୍ଦ୍ର ଜାଦେଜା ମାତ୍ର ୯ ରନ କରିଥିଲେ । ତେବେ କରୁନ ନାୟାର ଇଂଲଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ଏକ ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ ।  ସେ ୫୭ ରନ କରିଥିବାବେଳେ ଧ୍ରୁବ ଜୁରେଲ ୧୯ ଓ ଓ୍ବାସିଂଟନ ସୁନ୍ଦର ୨୬ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଗସ୍ ଅଟକିନସନ ୫ଟି ଓ ଜୋସ୍ ଟଙ୍ଗ୩ଟି ଓ୍ବିକେଟ ନେଇଥିଲେ ।