ସାଉଦିଙ୍କୁ ୫: ଇଂଲଣ୍ଡ ୨୯୦/୮

କ୍ରାଏଷ୍ଟଚର୍ଚ: ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‍ରେ ପ୍ରଥମ ଦିନର ସମ୍ମାନକୁ ଉଭୟ ଦଳ ବାଣ୍ଟି ନେଇଛନ୍ତି। ଘରୋଇ ନ୍ୟୁଜିଲାଣ୍ଡ୍‌ ୮ ଓ୍ଵିକେଟ୍‌ ବାହର କରି ନେଇଥିବା ବେଳେ ଭ୍ରମଣକାରୀ ଇଂଲଣ୍ଡ ୨୯୦ ରନ୍‌ ସଂଗ୍ରହ କରିସାରିଛି। ବ୍ୟକ୍ତିଗତ ଭାବେ ଦେଖିଲେ ଟିମ୍‌ ସାଉଦିଙ୍କ ୫ ଓ୍ଵିକେଟ୍‌ ସଫଳତା ଏବଂ ଜନି ବେୟାରଷ୍ଟୋଙ୍କ ଅପରାଜିତ ୯୭* ରନ୍‌ ମୁଖ୍ୟ ଆକର୍ଷଣ ରହିଛି। କ୍ରାଏଷ୍ଟଚର୍ଚର ହଗ୍‌ଲେ ଓଭାଲ୍‌ରେ ଶୁକ୍ରବାର ସକାଳେ ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳର ଦ୍ରୁତ ବୋଲରମାନେ ମଧ୍ୟ ୧୦୦ ରନ୍‌ ଭିତରେ ଅତିଥି ଦଳର ୫ ଓ୍ଵିକେଟ୍‌ ଅକ୍ତିଆର କରି ନେଇଥିଲେ। ଆଲେଷ୍ଟର୍‌ କୁକ୍‌ (୨)ଙ୍କ ବିଫଳତା ଜାରି ରହିଥିବା ବେଳେ ଜେ ଭିନ୍‌ସ (୧୮), ଜୋ ରୁଟ୍‌ (୩୭), ଡେଭିଡ୍‌ ମଲାନ୍‌ (୦) ଏବଂ ମାର୍କ ଷ୍ଟୋନ୍‌ମ୍ୟାନ୍‌ (୩୫) ମଧ୍ୟ ଆଗକୁ ବଢ଼ି ପାରିନଥିଲେ। ଲଗାତାର ଓଭରରେ ରୁଟ୍‌, ମଲାନ୍‌ ଓ ଷ୍ଟୋନ୍‌ଙ୍କ ଓ୍ଵିକେଟ୍‌ ନେଇ ନ୍ୟୁଜିଲାଣ୍ଡ୍‌ ମଧ୍ୟ ଅତିଥି ଦଳର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଏହି ସମୟରେ ଓ୍ଵିକେଟରକ୍ଷକ ଜନି ବେୟାରଷ୍ଟୋ (୯୭*, ୧୫୪ ବଲ୍‌, ୧୧ ଚୌକା, ୧ ଛକା) ଦୁଇଟି ଭାଗୀଦାରିରେ ଇଂଲଣ୍ଡ ପାଇଁ ଲଢ଼େଇ କରିଥିଲେ। ବେନ୍‌ ଷ୍ଟୋକ୍‌ସ (୨୫, ୬୩ ବଲ୍‌, ୪ ଚୌକା)ଙ୍କୁ ସାଥୀ କରି ଷଷ୍ଠ ଓ୍ଵିକେଟ୍‌ରେ ୫୭ ରନ୍‌ ଯୋଡ଼ିବା ପରେ ମାର୍କ ଉଡ୍‌ (୫୨, ୬୨ ବଲ୍‌, ୭ ଚୌକା, ୧ ଛକା)ଙ୍କୁ ନେଇ ଅଷ୍ଟମ ଓ୍ଵିକେଟ୍‌ ଯୋଡ଼ିରେ ୯୫ ରନ୍‌ ସଂଗ୍ରହ କରଥିଲେ। ମାର୍କ ଉଡ୍‌ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଇଂଲଣ୍ଡ ପାଳିକୁ ସୁଧାରି ନେଇଥିଲା। ଏପରିକି ଅତୁଟ ନବମ ଓ୍ଵିକେଟ୍‌ ପାଇଁ ପଦାର୍ପଣକାରୀ ଜ୍ୟାକ୍‌ ଲିଚ୍‌ (୧୦*, ୩୩ ବଲ୍‌, ୧ ଚୌକା)ଙ୍କୁ ସାଥୀ କରି ବେୟାରଷ୍ଟୋ ମଧ୍ୟ ଆଉ ୩୧ ରନ୍‌ ଯୋଡ଼ି ସାରିଛନ୍ତି। ଏଥି ସହ ବେୟାରଷ୍ଟୋ ମଧ୍ୟ ନିଜର ପଞ୍ଚମ ଟେଷ୍ଟ୍‍ ଶତକ (୯୭*) ଦ୍ୱାରରେ ଛିଡ଼ା ହୋଇଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର୍‌ ଅଭିଜ୍ଞ ଦ୍ରୁତ ବୋଲିଂ ଯୋଡ଼ି ଟିମ୍‌ ସାଉଦି (୨୩-୬-୬୦-୫) ଏବଂ ଟ୍ରେଣ୍ଟ୍‌ ବୋଲ୍‌ଟ (୨୫-୫-୭୯-୩) ସମସ୍ତ ୮ ଓ୍ଵିକେଟ୍‌କୁ ବାଣ୍ଟି ନେଇଛନ୍ତି। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ୍‍କୁ ନ୍ୟୁଜିଲାଣ୍ଡ୍‌ ଜିତି ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୯୦ ଓଭରରେ ୨୯୦/୮ (ଜୋ ରୁଟ୍‌-୩୭, ମାର୍କ ଷ୍ଟୋନ୍‌ମ୍ୟାନ୍‌-୩୫, ମାର୍କ ଉଡ୍‌-୫୨, ଜନି ବେୟାରଷ୍ଟୋ-୯୭*, ଜ୍ୟାକ୍‌ ଲିଚ୍‌-୧୦*, ସାଉଦି-୫/୬୦, ଟ୍ରେଣ୍ଟ୍‌ ବୋଲ୍‌ଟ-୩/୭୯)।

ସମ୍ବନ୍ଧିତ ଖବର