ଲଣ୍ଡନ: ଲର୍ଡସରେ ଚାଲିଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ର ପ୍ରଥମ ପାଳିରେ ଇଂଲଣ୍ଡ ମାତ୍ର ୮୫ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ବିଶ୍ବକପ୍ ଜିତିବାର ମାତ୍ର ଗୋଟିଏ ସପ୍ତାହ ପରେ ସମ୍ମୁଖୀନ ହୋଇଥିବା ଏହି ଅପ୍ରତ୍ୟାଶିତ ବିପର୍ଯ୍ୟୟ ଓ ଲଜ୍ଜାକୁ ହଜମ କରିବା ତାରକା ଖଚିତ ଇଂଲଣ୍ଡ ପାଇଁ ଆଦୌ ସହଜ ନଥିଲା। ସେଥିପାଇଁ ନିର୍ଣ୍ଣାୟକ ଦ୍ବିତୀୟ ପାଳିରେ ସମ୍ମାନ ରଖିବା ଏହି ଦଳର ମୁଖ୍ୟ ଲକ୍ଷ୍ୟ ଥିଲା। ଗୁରୁବାର ଇଂଲଣ୍ଡ ଏହି ଲକ୍ଷ୍ୟକୁ କିଛି ମାତ୍ରାରେ ପୂରଣ କରି ପାରିଛି। ଶେଷ ୨ ୱିକେଟ୍‌ରେ ୫୦ରୁ ଅଧିକ ରନ୍ ସଂଗ୍ରହ କରିବା ସହ ଅସମାପ୍ତ ଦ୍ବିତୀୟ ପାଳିରେ ୯ ୱିକେଟ ହରାଇ ୩୦୦ ରନ୍ ଟପି ଯାଇଥିଲା।

Advertisment

ଫଳରେ ପ୍ରଥମ ପାଳିର ୧୨୨ ରନ୍‌ ନିଅଣ୍ଟକୁ ଭରଣା କରି ଦ୍ବିତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୧୮୧ ରନ୍‌ରେ ଆଗୁଆ ‌ହୋଇଛି। ଘରୋଇ ଦଳର ଏହି ସଫଳ ଲେଉଟାଣୀରେ ନାଇଟ୍‌ ୱାଚ୍‌ମ୍ୟାନ୍‌ ଭାବେ ଆସିଥିବା ମାର୍କ ଲିଚ୍ (୯୨) ଓ ଜାସନ ରୟ (୭୨) ପ୍ରମୁଖ ଭୂମିକା ତୁଲାଇଛନ୍ତି। ଉଭୟ ଅର୍ଧଶତକ ଅର୍ଜନ କରିବା ପରେ ଇଂଲଣ୍ଡ ଏକ ସମ୍ମାନଜନକ ସ୍କୋରର ଦ୍ବାର ଦେଶରେ ପହଞ୍ଚିଛି। ଆୟର୍ଲାଣ୍ଡର ପ୍ରଭାବୀ ପ୍ରଦର୍ଶନ କିନ୍ତୁ ଜାରି ରହିଛି। ଇଂଲଣ୍ଡର ୮୫ ରନ୍ ଜବାବରେ ୨୦୭ ରନ୍ କରି ଐତିହାସିକ ଅଗ୍ରଣୀ ଲାଭ କରିଥିବା ଆୟର୍ଲାଣ୍ଡ ଲଗାତାର ଦ୍ବିତୀୟ ପାଳି ପାଇଁ ଜନି ବେୟାରଷ୍ଟୋଙ୍କୁ ଖାତା ଖୋଲିବାର ସୁଯୋଗ ଦେଇନଥିଲା। ପ୍ରଥମ ପାଳିରେ ପାଞ୍ଚ ୱିକେଟ୍ ସଫଳତା ପାଇଥିବା ଟିମ୍ ମର୍ଗାତ୍ ଓ ମାର୍କ ଏଦେର, ବଏଡ ରାଙ୍କିନ ଶାଣିତ ବୋଲିଂ କରି ଦ୍ବିତୀୟ ପାଳିର ୭୭.୪ ଓଭର ଭିତରେ ଇଂଲଣ୍ଡର ୯ ୱିକେଟ୍ ଝଡ଼ାଇ ଦେଇଛନ୍ତି। ଗୁରୁବାର ଖେଳ ବନ୍ଦ ବେଳକୁ ଷ୍ଟୁଆର୍ଟ ବ୍ରଡ୍ ୨୧ ଓ ଓଲି ଷ୍ଟୋନ୍ କୌଣସି ନ କରି ଅପରାଜିତ ରହିଛନ୍ତି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି ୮୫। ଆୟର୍ଲାଣ୍ଡ ପ୍ରଥମ ପାଳି ୨୦୭। ଇଂଲଣ୍ଡ ଦ୍ବିତୀୟ ପାଳି ୭୭.୪ ଓଭରରେ ୩୦୩/୯ (ଜ୍ୟାକ୍ ଲିଚ୍ ୯୨, ଜାସନ ରୟ ୭୨, ଜୋ ରୁଟ୍ ୩୧, ସାମ୍ କରନ ୩୭, ଷ୍ଟୁଆର୍ଟ ବ୍ରଡ୍ ୨୧*, ମାର୍କ ଏଦେର ୩/୬୬ ବଏଡ ରାଙ୍କିନ ୨/୮୬, ଟିମ୍ ମର୍ତାଗ ୧/୫୨ )