ବର୍ମିଂହାମ୍: ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ରେ ବିଜେତା ହେବା ପରେ ଅଷ୍ଟ୍ରେଲିଆର ଆସେସ୍ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହୋଇଛି। ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଏହି ଐତିହାସିକ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଘରୋଇ ଦଳ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ପ୍ରଥମ ଦିନରେ ୩୯୩/୮ ରେ ପାଳି ଘୋଷଣା କରିଛି। ଜୋ ରୁଟ୍ ୩୦ତମ ଶତକ ଅଜର୍ନ କରି ୧୧୮* ରନ୍ରେ ଅପରାଜିତ ରହିଥିଲେ। ୨୦୧୫ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ପ୍ରଥମ ଶତକ ହୋଇଥିଲା। ଏଥିସହ ଆସେସ୍ରେ ଚତୁର୍ଥ ଶତକ ଅର୍ଜନ କରିଥିଲେ। ନାଥନ୍ ଲାୟନ୍ (୪/୧୪୯) ସଫଳ ବୋଲର ହୋଇଥିଲା ବେଳେ ଜୋସ୍ ହାଜଲଉଡ୍ (୨/୬୧), ସ୍କଟ ବୋଲାଣ୍ଡ (୧/୮୬) ଓ କାମେରୁନ୍ ଗ୍ରିନ୍ (୧/୩୨) ପରସ୍ପର ଭିତରେ ଅନ୍ୟ ୱିକେଟ୍ଗୁଡ଼ିକ ବାଣ୍ଟିନେଇଛନ୍ତି। ଷ୍ଟମ୍ପସ୍ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୧୪/୦ କରିଛି। ଡେଭିଡ୍ ୱାର୍ଣ୍ଣର ୮*, ଉସ୍ମାନ ଖୱାଜା ୪* ରନ୍ କରି ଅପରାଜିତ ଅଛନ୍ତି।
ଏଥିପୂର୍ବରୁ ପ୍ରଥମ ମ୍ୟାଚ୍ ପାଇଁ ମିଚେଲ ଷ୍ଟାର୍କଙ୍କୁ ବିଶ୍ରାମ ଦିଆଯାଇ ଜୋସ୍ ହାଜଲଉଡ୍ଙ୍କୁ ଖେଳାଯାଇଥିଲା ଏବଂ ଚତୁର୍ଥ ଓଭରରେ ହିଁ ସେ ସଫଳତା ପାଇଥିଲେ। ବେନ୍ ଡକେଟ୍ ୧୨ ରନ୍ କରି ଆଉଟ୍ ହେବା ପରେ ଜାକ୍ କ୍ରଲି (୬୧) ଓ ଓଲି ପୋପ୍ (୩୧) ଦ୍ବିତୀୟ ୱିକେଟ୍ରେ ୭୦ ରନ୍ ଯୋଡ଼ି ଅଷ୍ଟ୍ରେଲିଆକୁ ଜବାବ୍ ଦେଇଥିଲେ। ଚତୁର୍ଥ ସ୍ଥାନରେ ଆସିଥିବା ରୁଟ୍ ଇଂଲଣ୍ଡ ମଙ୍ଗ ସମ୍ଭାଳିବା ସହ ହାରି ବ୍ରୁକ୍ (୩୨)ଙ୍କ ସହ ୫୧ ରନ୍ ଯୋଡ଼ି ଦଳକୁ ମଜବୁତ୍ କରିଥିଲେ। କିନ୍ତୁ ୬ ବଲ୍ ବ୍ୟବଧାନରେ ବ୍ରୁକ୍ ଓ ବେନ୍ ଷ୍ଟୋକ୍ସ (୧) ଆଉଟ୍ ହେବାରୁ ଜନି ବେୟାରଷ୍ଟୋଙ୍କ ସହ ମିଶି ରୁଟ୍ ରକ୍ଷଣାତ୍ମକ ଖେଳିଥିଲେ। କିନ୍ତୁ ଚା’ ପାନ ବିରତି ପରେ ଉଭୟ ଦ୍ରୁତ ଖେଳିଥିଲେ। ଷଷ୍ଠ ୱିକେଟ୍ରେ ରୁଟ୍ ଓ ବେୟାରଷ୍ଟୋ (୭୮) ୧୨୧ ରନ୍ ଉଠାଇଥିଲା ବେଳେ ଲାୟନ୍ ଏହି ଯୋଡ଼ିକୁ ଭାଙ୍ଗିଥିଲେ। ରୁଟ୍ କିନ୍ତୁ ପାଳି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖି ୧୪୫ ବଲ୍ରୁ ଶତକ ଅର୍ଜନ କରିଥିଲେ।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି ୭୮ ଓଭରରେ ୩୯୩/୮ ଘୋଷିତ (ଜୋ ରୁଟ୍ ୧୧୮*, ଜନି ବେୟାରଷ୍ଟୋ ୭୮, ଜାକ୍ କ୍ରଲି ୬୧, ନାଥନ୍ ଲାୟନ ୪/୧୪୯, ଜୋସ ହାଜଲଉଡ୍ ୨/୬୧)। ଅଷ୍ଟ୍ରେଲିଆ ପ୍ରଥମ ପାଳି ୪ ଓଭରରେ ୧୪/୦ (ଡେଭିଡ୍ ୱାର୍ଣ୍ଣର ୮*, ଉସ୍ମାନ ଖୱାଜା ୪*, ଷ୍ଟୁଆର୍ଟ ବ୍ରଡ୍ ୦/୯, ଓଲି ରବିନସନ୍ ୦/୫)।