ଇଂଲଣ୍ଡ ୪୦୦: ଦକ୍ଷିଣ ଆଫ୍ରିକା ୮୮/୬

ଇଂଲଣ୍ଡର ୫ ଲକ୍ଷ ଟେଷ୍ଟ୍‌ ରନ୍‌

ଜୋହାନ୍ସବର୍ଗ: ସ୍ଥାନୀୟ ୱଣ୍ଡରର୍ସ ଷ୍ଟାଡିୟମ୍‌ରେ ଚାଲିଥିବା ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ଚତୁର୍ଥ ତଥା ଶେଷ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ୧୨ ୱିକେଟ୍‌ର ପତନ ଘଟିଛି। ଇଂଲଣ୍ଡର ୪୦୦ ରନ୍ ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ଶନିବାର ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ମାତ୍ର ୮୮ ରନ୍ କରି ସଙ୍କଟ ଭିତରେ ରହିଛି। ମାର୍କ ଉଡ୍‌ ୩ ୱିକେଟ୍ ନେଇ ଏହି ବିପର୍ଯ୍ୟୟ ଘଟାଇଛନ୍ତି। ଫଳରେ ମାତ୍ର ୪ ୱିକେଟ୍ ହାତରେ ଥାଇ ଘରୋଇ ଦଳ ୩୧୨ ରନ୍‌ ପଛରେ ପଡ଼ିଛି। ଶନିବାର ଇଂଲଣ୍ଡ ୧୯୨/୪ରୁ ଖେଳିବା ପରେ ୨୬୯ ରନ୍‌ରେ ୭ ୱିକେଟ୍ ହରାଇ ଦେଇଥିଲା। ‌ଜୋ ରୁଟ୍‌ ଏବଂ ଓଲି ପୋପ୍‌ ପଞ୍ଚମ ୱିକେଟ୍ ଭାଗୀଦାରିରେ ୧୦୧ ରନ୍‌ ଯୋଡ଼ିଥିଲେ। ତେବେ ଭ୍ରମଣକାରୀ ଦଳର ଶେଷ ୩ ବ୍ୟାଟସମ୍ୟାନ୍‌ କ୍ରିସ୍ ୱକ୍ସ, ମାର୍କ ଉଡ୍‌, ଷ୍ଟୁଆର୍ଟ ବ୍ରଡ୍‌ ମିଳିତ ଭାବେ ୧୩୧ ରନ୍ ଯୋଡ଼ି ନେଇଥିଲେ। ଦ୍ରୁତ ବୋଲର ଅନରିଚ୍ ନର୍ଜେ (୨୪-୧-୧୧୦-୫) ନିଜ ପ୍ରଥମ ୫ ୱିକେଟ୍‌ ସଫଳତା ପାଇଥିଲେ। ସୂଚନାଯୋଗ୍ୟ, ଶୃଙ୍ଖଳାରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୯୮.୨ ଓଭରରେ ୪୦୦ (ଜ୍ୟାକ୍ କ୍ରଲି-୬୬, ଜୋ ରୁଟ୍‌-୫୯, ଓଲି ପୋପ୍‌-୫୬, ଷ୍ଟୁଆର୍ଟ ବ୍ରଡ୍‌-୪୩, ମାର୍କ ଉଡ୍‌-୩୫*, କ୍ରିସ୍‌ ୱକ୍ସ-୩୨, ଅନରିଚ୍ ନର୍ଜେ-୫/୧୧୦, ଭର୍ନାନ ଫିଲାଣ୍ଡର୍‌-୨/୫୦, ଡାନ୍ ପିଟରସନ୍‌-୨/୮୬, ବିରନ୍‌ ହେଣ୍ଡ୍ରିକ୍ସ-୧/୧୧୧ )। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୪୧.୫ ଓଭରରେ ୮୮/୬ (ଡିନ୍ ଏଲଗାର-୨୬, କ୍ବିଣ୍ଟନ୍ ଡି’କକ୍‌-୩୨*, ମାର୍କ ଉଡ୍‌-୩/୨୧, ସାମ୍ କରନ୍‌-୧/୧୧, କ୍ରିସ୍‌ ୱକ୍ସ-୧/୧୬, ବେନ୍ ଷ୍ଟୋକ୍ସ-୧/୨୭)।

ବିଶ୍ବ କ୍ରିକେଟ୍‌ର ପ୍ରଥମ ଦଳ ଭାବେ ଇଂଲଣ୍ଡ ଟେଷ୍ଟ୍‌ କ୍ରିକେଟ୍‌ରେ ୫,୦୦,୦୦୦ ରନ୍‌ ଅତିକ୍ରମ କରିଛି। ୫ ଲକ୍ଷତମ ରନ୍‌ଟି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ସିଙ୍ଗଲ୍‌ରୁ ଆସିଥିଲା। ଇଂଲଣ୍ଡ ନିଜର ୧୦୨୨ତମ ଟେଷ୍ଟ୍‌ ଖେଳି ଏହି ଲକ୍ଷ୍ୟରେ ପହଞ୍ଚିଛି। ମୋଟ ଟେଷ୍ଟ୍ ରନ୍ ତାଲିକାରେ ଇଂଲଣ୍ଡ ପଛକୁ ଅଷ୍ଟ୍ରେଲିଆ (୪,୩୨,୭୦୬ ରନ୍‌, ୮୩୦ ଟେଷ୍ଟ୍‌), ଭାରତ (୨, ୭୩, ୫୧୮ ରନ୍‌, ୫୪୦ ଟେଷ୍ଟ୍‌) ଏବଂ ୱେଷ୍ଟଇଣ୍ଡିଜ୍ (୨, ୭୦, ୪୪୧ ରନ୍‌, ୫୪୫ ଟେଷ୍ଟ୍‌) ରହିଛନ୍ତି। ଗତ ସପ୍ତାହରେ ଇଂଲଣ୍ଡ ମଧ୍ୟ ପ୍ରଥମ ଦେଶ ଭାବେ ବିଦେଶ ମାଟିରେ ୫୦୦ ଟେଷ୍ଟ୍ ଖେଳିବାର‌ ଗୌରବକୁ ବିଜୟରେ ଶେଷ କରିଥିଲା। ଅଷ୍ଟ୍ରେଲିଆ ବିଦେଶ ମାଟିରେ ୪୦୪ ଖେଳି ଦ୍ବିତୀୟରେ ରହିଛି। ଭାରତ ବିଦେଶରେ ୨୬୮ ଖେଳି ୫୧ ବିଜୟ, ୧୧୩ ପରାଜୟ ଏବଂ ୧୦୪ ଅମୀମାଂସିତ ପାଇଛି।

କ୍ଷମା ମାଗିବା ସତ୍ତ୍ବେ ଷ୍ଟୋକ୍ସ ଦଣ୍ଡିତ
ଜଣେ ପ୍ରଶଂସକଙ୍କ ସହ ‌ଅଶୋଭନୀୟ ଯୁକ୍ତିତର୍କ କରିବା ଅଭିଯୋଗରେ ଇଂଲଣ୍ଡ ଅଲରାଉଣ୍ଡର୍‌ ବେନ୍‌ ‌ଷ୍ଟୋକ୍ସ ଆଇସିସି ଦ୍ବାରା ଦଣ୍ଡିତ ହୋଇଛନ୍ତି। ତାଙ୍କ ଉପରେ ଗୋଟିଏ ଡିମେରିଟ୍ ପଏଣ୍ଟ୍ ଲଦି ଦିଆଯିବା ସହିତ ମ୍ୟାଚ୍‌ ପାଉଣାର ୧୫ ପ୍ରତିଶତ କାଟି ନିଆଯାଇଛି। ଷ୍ଟୋକ୍‌ସ କିନ୍ତୁ ବିଗତ ୨୪ ମାସ ମଧ୍ୟରେ କୌଣସି ଡିମେରିଟ୍‌ ପଏଣ୍ଟ୍ ପାଇନଥିବାରୁ ନିଲମ୍ବନରୁ ବର୍ତିଯାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଚତୁର୍ଥ ଟେଷ୍ଟ୍‌ର ପ୍ରଥମ ଦିବସରେ ଷ୍ଟୋକ୍ସ ଆଉଟ୍ ହୋଇ ଫେରୁଥିବା ବେଳେ ଜଣେ ପ୍ରଶଂସକ କ’ଣ କହିବାରୁ ଷ୍ଟୋକ୍ସ ଏହାର ଉତ୍ତରରେ କହିଥିଲେ ‘ପଡ଼ିଆ ବାହାରକୁ ଆସି ମୋ‌ତେ ସେ କଥା କୁହ, ତୁମେ ଚାରି ଆଖିଆ ଭଳି ଲାଗୁଛ’। ଏସବୁ ଗଣମାଧ୍ୟମରେ ଖେଳିଯିବା ପରେ ଷ୍ଟୋକ୍ସ ଏଭଳି ଅଣପେସାଦାର ଆଚରଣ ଲାଗି କ୍ଷମା ମାଗି ନେଇଥିଲେ। ମୁଁ ନିଜ ଭୁଲକୁ ସ୍ବୀକାର କରିନେଉଛି। ବିଶେଷ କରି ଯୁବ ଖେଳାଳିମାନେ ଏହାର ସିଧାପ୍ରସାରଣ ଦେଖୁଥିବାରୁ ସେମାନଙ୍କ ପାଇଁ ମୁଁ ଦୁଃଖିତ ବୋଲି ଷ୍ଟୋକ୍ସ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର