ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ : ରୁଟଙ୍କ ଦ୍ବିଶତକ, ୨ୟ ଦିନ ଖେଳ ଶେଷସୁଦ୍ଧା ଇଂଲଣ୍ଡ  ୫୫୫/୮

ଚେନ୍ନାଇ : ସ୍ଥାନୀୟ ଏମ. ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ଟେଷ୍ଟର ୨ୟ ଦିନର ଖେଳ ସମାପ୍ତି ସୁଦ୍ଧା ଇଂଲଣ୍ଡ ୫୫୫ ରନର ବିଶାଳ ସ୍କୋର ସହ ନିଜ ସ୍ଥିତିକୁ ସୁଦୃଢ କରିଛି ।  ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳୁଥିବା ଇଂଲଣ୍ଡ ଅଧିନାୟକ ଦ୍ବିଶତକ ହାସଲ କରିଛନ୍ତି।

ଇଂଲଣ୍ଡ ଆଜି ଗତକାଲିର ସ୍କୋର ୨୬୨/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା । ରୁଟ ନିଜର ଲଢୁଆ ବ୍ୟାଟିଂ ଜାରି ରଖି ୨୧୮ ରନ କରିଥିଲେ । ସେ ବେନ ଷ୍ଟୋକ୍ସଙ୍କ ସହ ମିଶି ୧୨୪ ରନର ପାର୍ଟନରସିପ କରିଥିଲେ । ଷ୍ଟୋକ୍ସ ଆଉଟ ହେବା ପରେ ଇଂଲଣ୍ଡର ବ୍ୟାଟିଂ ଧାରା ଆଗକୁ ବଢ଼ାଇବାକୁ ପଡ଼ିଆକୁ ଆସିଥିବା ପୋପ ଓ ବଟଲର ଯଥାକ୍ରମେ ୩୪ ଓ ୩୦ ରନ କରିଥିଲେ । ଆଜି ଷ୍ଟମ୍ସ ଅପସାରଣ ବେଳକୁ ଇଂଲଣ୍ଡ ୮ ଓ୍ବିକେଟ ହରାଇ ୫୫୫ ରନ କରିଥିଲା।

ଗତକାଲି ଇଂଲଣ୍ଡ ଟସ ଜିଣି ପ୍ରଥମେ  ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ରୋରି ବର୍ନସ ଓ ଡୋମିନିକ ସିବଲି ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ବର୍ନସ ମାତ୍ର ୩୩ ରନ କରି ଆର. ଅଶ୍ବିନଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ଡାନିଏଲ ଲରେନ୍ସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ସିବଲି ସତର୍କତାର ସହ ନିଜର ବ୍ୟାଟିଂ ଜାରି ରଖି ଜୋ ରୁଟଙ୍କ ସହ ମିଶି ଦଳର ସ୍ଥିତିକୁ ସୁଦୃଢ କରିଥିଲେ ।

ଭାରତ ତରଫରୁ ଜସପ୍ରୀତ ବୁମରା, ଆର. ଅଶ୍ବିନ, ଇଶାନ୍ତ ଶର୍ମା ଓ ସାହାବାଜ ନଦିମ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର