ସାଉଥାମ୍ପଟନ୍: ଭାରତୀୟ ବୋଲର୍ ବଢ଼ିଆ ଆରମ୍ଭ ଦେଲେ, ଇଂଲଣ୍ଡ ମଧ୍ୟକ୍ରମରେ ଲଢ଼ି ପ୍ରତ୍ୟାବର୍ତନ କଲା, ଶେଷକୁ ପ୍ରଥମ ଦିନରେ ସମ୍ମାନକୁ ବାଣ୍ଟି ନେଲେ ଉଭୟ ଦଳ। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟ୍ର ପ୍ରଦର୍ଶନ ରହିଛି ଏମିତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ପାଳିରେ ୨୪୬ ରନ୍ କରିଛି। ଜବାବରେ ପ୍ରଥମ ଦିନ ଖେଳ ଶେଷ ବେଳକୁ ଭାରତ ୪ ଓଭରରେ କୌଣସି ଓ୍ଵିକେଟ୍ ନହରାଇ ୧୯ ରନ୍ ସଂଗ୍ରହ କରିନେଇଛି। ଷ୍ଟମ୍ପ୍ସ ବେଳକୁ ଶିଖର ଧାଓ୍ଵନ (୩*) ଏବଂ ଲୋକେଶ ରାହୁଲ (୧୧*) ବ୍ୟାଟିଂ କରୁଥିଲେ।
ପୂର୍ବ ସୂଚନା ଅନୁସାରେ ଭାରତ ବିନା ପରିବର୍ତନରେ ଏହି ଟେଷ୍ଟ୍କୁ ଖେଳୁଛି। ଇଂଲଣ୍ଡ କିନ୍ତୁ ଓଲି ପୋପ୍ ଏବଂ କ୍ରିସ୍ ଓ୍ଵକ୍ସଙ୍କ ବଦଳରେ ସାମ୍ କରନ୍ ଏବଂ ମୋଇନ୍ ଅଲୀଙ୍କୁ ନେଇଛି। ଫଳରେ ଇଂଲଣ୍ଡ ଦୁଇ ଜଣିଆ ସ୍ପିନ୍ ଆକ୍ରମଣରେ ବିଶ୍ୱାସ ରଖିଛି। ଟସ୍ ଜିତିବା ପରେ ଜୋ ରୁଟ୍ କିନ୍ତୁ ଟ୍ରେଣ୍ଟ୍ବି୍ରଜ୍ ଭୁଲ୍ ଭଳି ଆଉ ପ୍ରଥମେ କ୍ଷେତ୍ରରକ୍ଷଣ କରିନଥିଲେ। ତଥାପି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳକୁ ଭାରତୀୟ ଦ୍ରୁତ ବୋଲର ଅସ୍ତବ୍ୟସ୍ତ କରି ଦେଇଥିଲେ। ବିଶେଷ କରି ଯଶପ୍ରୀତ୍ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ହାର୍ଦିକ ପାଣ୍ଡ୍ୟାଙ୍କ ନିରଂତର ପ୍ରଭାବ କାରଣରୁ ଇଂଲଣ୍ଡ ୧୮ ଓଭର ବେଳକୁ ୩୬ ରନ୍ରେ ୪ ଓ୍ଵିକେଟ୍ ହରାଇ ଦେଇଥିଲା। ଜେନିଙ୍ଗ୍ସ ଏବଂ ବେୟାରଷ୍ଟୋଙ୍କ ଓ୍ଵିକେଟ୍ ନେଇ ବୁମରା ପ୍ରାରମ୍ଭିକ ଝଟ୍କା ଦେଇଥିଲେ। ମଝିରେ ଈଶାନ୍ତ ଅଧିନାୟକ ଜୋ ରୁଟ୍ଙ୍କ ଓ୍ଵିକେଟ୍ ବାହାର କରିବା ଏବଂ କୁକ୍ଙ୍କୁ ପାଣ୍ଡ୍ୟା କୋହଲିଙ୍କୁ ସ୍ଲିପ୍ କ୍ୟାଚ୍ ଧରିବାର ସୁଯୋଗ ଦେବା ଭାରତର ଆତ୍ମବିଶ୍ୱାସକୁ ଉପରକୁ ନେଇଥିଲା। ଏହି ସମୟରେ ବେନ୍ ଷ୍ଟୋକ୍ସ ଏବଂ ଜୋସ୍ ବଟଲର୍ ଭଲ ଭାଗୀଦାରି କରିଥିଲେ ମଧ୍ୟ ମହମ୍ମଦ ସାମି ତାଙ୍କ ଦ୍ୱିତୀୟ ସ୍ପେଲ୍ରେ ଉଭୟଙ୍କୁ ଆଉଟ୍ କରି ଦେଇଥିଲେ। ଫଳରେ ଇଂଲଣ୍ଡ ୮୬/୬ରେ ସଂଘର୍ଷ କରିଥିଲା। ଏତିକିବେଳେ ଦଳକୁ ଫେରିଥିବା ଦୁଇ ଖେଳାଳି ମୋଇନ୍ ଅଲୀ (୪୦) ଏବଂ ସାମ୍ କରନ୍ (୭୮)ଙ୍କ ମଧ୍ୟରେ ହୋଇଥିବା ୮୧ ରନ୍ ଭାଗୀଦାରି ଇଂଲଣ୍ଡକୁ ୨୦୦ ଟପିବାର ସୁଯୋଗ ଦେଇଥିଲା। ଅଶ୍ୱିନ୍ ଉଭୟଙ୍କ ଓ୍ଵିକେଟ୍ ନେବା ଇଂଲଣ୍ଡ୍କୁ ଦ୍ୱିତୀୟ ନୂଆ ବଲ୍ ପୂର୍ବରୁ ହିଁ ୨୪୬ ରନ୍ରେ ସୀମିତ ରଖିଥିଲା। ଷ୍ଟୁଆର୍ଟ ବ୍ରଡ୍ଙ୍କୁ ଆଉଟ୍ କରି ବୁମରା ନିଜର ତୃତୀୟ ଓ୍ଵିକେଟ୍ ଦଖଲ କରିବା ସହ ନବମ ଓ୍ଵିକେଟ୍ ପାଇଁ ହୋଇଥିବା ୬୩ ରନ୍ ଭାଗୀଦାରିକୁ ଭାଙ୍ଗିଥିଲେ। ବୁମରା ସର୍ବାଧିକ ୩ ଓ୍ଵିକେଟ୍ ନେଇଥିବାବେଳେ ଈଶାନ୍ତ ଶର୍ମା, ମହମ୍ମଦ ସାମି, ଆର୍ ଅଶ୍ୱିନ୍ ପ୍ରତ୍ୟେକ ୨ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ହାର୍ଦିକ ପାଣ୍ଡ୍ୟା ଗୋଟିଏ ଓ୍ଵିକେଟ୍ ନେଇ ସବୁ ବୋଲରଙ୍କୁ ଓ୍ଵିକେଟ୍ ମିଳିବା ଅବସର ଆଣିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/11-BUMRAH.jpg)