ଇଂଲଣ୍ଡ ୨୭୭: ଇଣ୍ଡିଜ୍‌ର ବିପର୍ଯ୍ୟୟ

ସେଣ୍ଟ୍ ଲ୍ୟୁସିଆ: ଶୃଙ୍ଖଳାକୁ ହାରି ସାରିଥିବା ଇଂଲଣ୍ଡ ତୃତୀୟ ତଥା ଶେଷ ଟେଷ୍ଟ୍‌ରେ ବି ନାଟକୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ପାଳିରେ ମାତ୍ର ୨୭୭ ରନ୍ କରି ସମସ୍ତ ୱିକେଟ୍ ହରାଇଛି। ତେବେ ଦ୍ବିତୀୟ ଦିନ ଚା’ପାନ ବିରତି ବେଳକୁ ଘରୋଇ ୱେଷ୍ଟ୍‌ଇଣ୍ଡିଜ୍‌ ୭୪ ରନ୍‌ରେ ଅଧା (୫ ୱିକେଟ୍‌) ଖେଳାଳିଙ୍କୁ ହରାଇ ଗଭୀର ସଙ୍କଟରେ ପଡ଼ିଛି। ମୋଇନ୍ ଅଲୀ ଏବଂ ମାର୍କ ଉଡ୍‌ ଦୁଇ ଥର ଲଗାତାର ବଲ୍‌ରେ ୱିକେଟ୍ ନେବାରୁ ଇଣ୍ଡିଜ୍ ହଠାତ୍‌ ୫୭/୦ରୁ ୫୯/୪ରେ ସଂଘର୍ଷ କରିଥିଲା। ଏହା ପରେ ହେଟମେୟରଙ୍କୁ ମାର୍କ ଉଡ୍ ନିଜର ତୃତୀୟ ଶିକାର କରିଥିଲେ। ଶନିବାର ଟସ୍ ହାରି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଘରୋଇ ୱେଷ୍ଟଇଣ୍ଡିଜ୍‌ ବୋଲରମାନେ ଏକଦା ଇଂଲଣ୍ଡକୁ ୬୯/୩ରେ ସଂଘର୍ଷ କରାଇଥିଲେ। ପ୍ରଥମ ଦିନ ଚା’ପାନ ବେଳକୁ ଏହା ୧୧୪/୪ରେ ପହଞ୍ଚିଯାଇଥିଲା। କିନ୍ତୁ ଏହି ସମୟରେ ଏକାଠି ହୋଇଥିବା ଦୁଇ ଅଭିଜ୍ଞ ଖେଳାଳି ଜୋସ୍ ବଟଲର୍ ଏବଂ ବେନ୍ ‌ଷ୍ଟୋକ୍ସ ୱିକେଟଶୂନ୍ୟ ଶେଷ ଅଧିବେଶନରେ ଶତକୀୟ ଭାଗୀଦାରି କରି ଭ୍ରମଣକାରୀ ଦଳ ପାଇଁ ଲଢ଼ିଥିଲେ। ରବିବାର ଦ୍ବିତୀୟ ଦିନ ସକାଳେ କିନ୍ତୁ ଯଥା ପୂର୍ବଂ ତଥା ପରଂ ଭଳି ଇଂଲଣ୍ଡ ୨୧ ରନ୍ ଭିତରେ ଶେଷ ୫ ୱିକେଟ୍ ହରାଇ ଦେଇଥିଲା। ବଟଲର୍ (୬୭, ୧୨୭ ବଲ, ୯ ଚୌକା) କୌଣସି ରନ୍ ନ ଯୋଡ଼ି ଆଉଟ୍ ହୋଇଥିଲେ। ଷ୍ଟୋକ୍ସ (୭୯, ୧୭୫ ବଲ, ୮ ଚୌକା) ବି ବିଶେଷ ଆଗକୁ ବଢ଼ି ପାରିନଥିଲେ। ରବିବାର ସକାଳେ କେମାର ରୋଚ୍‌ ପତନ ଘଟିଥିବା ୬ଟିରୁ ୪ଟି ଦଖଲ କରିଥିଲେ। ଦ୍ବିତୀୟ ଟେଷ୍ଟ୍‌ରେ ମନ୍ଥର ବୋଲିଂ ପାଇଁ ଅଧିନାୟକ ଜାସନ୍ ହୋଲ୍‌ଡର ନିଲମ୍ବିତ ହୋଇଥିବାରୁ କ୍ରେଗ୍ ବ୍ରାଥ୍‌ୱେଟ୍ ଘରୋଇ ଦଳର ନେତୃତ୍ବ ନେଉଛନ୍ତି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୧୦୧.୧ ଓଭରରେ ୨୭୭ (ବେନ୍ ଷ୍ଟୋକ୍ସ-୭୯, ଜୋସ୍ ବଟ୍‌ଲର-୬୭, ରୋରି ବର୍ନସ-୨୯, ଡେନଲି-୨୦, ଜୋ ରୁଟ୍‌-୧୫, କେମାର ରୋଚ୍‌-୪/୪୮, ସାନନ୍‌ ଗାବ୍ରିଏଲ୍‌-୨/୪୯, କିମୋ ପଲ୍‌-୨/୫୮, ଅଲଜାରି ଯୋସେଫ-୨/୬୧ )। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୨୭.୧ ଓଭରରେ ୭୪/୫ (ଜନ୍ କ୍ୟାମ୍ପ୍‌ବେଲ୍‌-୪୧, ମାର୍କ ଉଡ୍‌-୩/୧୨, ମୋଇନ୍ ଅଲୀ-୨/୧୧)।

ସମ୍ବନ୍ଧିତ ଖବର