ଇଂଲଣ୍ଡ ୮୫ରେ ଆଉଟ୍‌

ବିଶ୍ବ ବିଜୟର ସପ୍ତାହକ ପରେ ବିପର୍ଯ୍ୟୟ : ଲର୍ଡସ୍‌ରେ ମୁର୍ତାଗ୍‌ଙ୍କ ଘାତକ ବୋଲିଂ ଆୟର୍ଲାଣ୍ଡ୍‌ ୧୨୨ ରନ୍‌ରେ ଆଗୁଆ

ଲର୍ଡସ୍‌: ମାତ୍ର ୧୦ ଦିନ ତଳେ ଯେଉଁ ଐତିହାସିକ ଲର୍ଡସ୍‌ ପଡ଼ିଆରେ ଇଂଲଣ୍ଡ କ୍ରିକେଟ୍‌ ଦଳ ଦିନିକିଆ ବିଶ୍ବକପ୍‌ ବିଜେତା ହେବାର ଗୌରବ ବହନ କରିଥିଲା ସେହି ପଡ଼ିଆରେ ବୁଧବାର ଆୟର୍ଲାଣ୍ଡ୍‌ ବିପକ୍ଷ ଏକମାତ୍ର ଟେଷ୍ଟ୍‌ରେ ଶୋଚନୀୟ ପ୍ରଦର୍ଶନ କରିଛି। ଆୟର୍ଲାଣ୍ଡ ଭଳି ଦୁର୍ବଳ ଦଳ ବିପକ୍ଷରେ ମାତ୍ର ୮୫ ରନ‌୍‌ରେ ପ୍ରଥମ ପାଳିର ସବୁ ୱିକେଟ୍‌ ହରାଇଛି। ଫର୍ମାଟ୍‌ ବଦଳିଯିବା ପରେ ହଠାତ୍‌ ଇଂଲଣ୍ଡର ପ୍ରଦର୍ଶନରେ ଏଭଳି ପରିବର୍ତନ କ୍ରିକେଟ୍ ଦୁନିଆକୁ ଚକିତ କରିଛି।
ଆୟର୍ଲାଣ୍ଡ ଏହାର ଜବାବରେ ୫୮.୨ ଓଭର ଖେଳି ସମସ୍ତ ୱିକେଟ୍ ବିନିମୟରେ ୨୦୭ ରନ୍‌ କରିଛି। ଫଳରେ ନିଜ କ୍ରିକେଟ୍ ଇତିହାସକୁ ଗୌରବମୟ କରି କ୍ରିକେଟର ସ୍ରଷ୍ଟା ଇଂଲଣ୍ଡ ବିପକ୍ଷରେ ପ୍ରଥମ ପାଳି ଅଗ୍ରଣୀ ଲାଭ କରିଛି। ବୁଧବାରର ଖେଳ ଶେଷ ଆଡ଼କୁ ଇଂଲଣ୍ଡ ଦ୍ବିତୀୟ ପାଳି ଆରମ୍ଭ କରି ମାତ୍ର ଗୋଟିଏ ଓଭର ଖେଳିଛି। ବୋର୍ଡରେ କୌଣସି ରନ୍ ଯୋଡ଼ି ନଥିଲା ବେଳେ ୧୦ଟି ଯାକ ୱିକେଟ୍ ମହଜୁଦ ରଖିଛି।
ଆଣ୍ଡି ବଲ୍‌ବିର୍ନେ (୫୫) ଅର୍ଧଶତକ ଜମାଇଥିଲା ବେଳେ ପଲ୍‌ ଷ୍ଟିର୍ଲିଂ (୩୬), କେଭିନ୍‌ ଓବ୍ରାଏନ୍‌ (୨୮*), ଜେମ୍‌ସ ମ୍ୟାକଲୋମ (୧୯), ଅଧିନାୟକ ୱିଲିୟମ୍‌ ପୋଟରଫିଲ୍‌ଡ (୧୪), ମୁର୍ତାଗ୍‌ (୧୬) ଓ ଆଣ୍ଡି ମ୍ୟାକ୍‌ବ୍ରିନେ (୧୧) ଦୁଇ ‌ଅଙ୍କ ଛୁଇଁଥିଲେ। ଏଥି ସହିତ ପ୍ରଥମ ଦିନ ୨୦ ୱିକେଟ୍‌ ଝଡ଼ି ଯାଇଥିଲା ବେଳେ ଆୟର୍ଲାଣ୍ଡ୍‌ ୧୨୨ ରନ୍‌ରେ ଅାଗୁଆ ହୋଇଯାଇଛିି। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌, ସାମ୍‌ କରନ ଓ ପଦାର୍ପଣକାରୀ ଓଲି ‌ଷ୍ଟାନ୍‌ ୩ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ମୋଇନ୍‌ ଅଲ୍ଲୀଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।
ବିଶ୍ବକପ୍‌ ପରେ ଇଂଲଣ୍ଡର ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍‌ ଲର୍ଡସ୍‌ରେ ବୁଧବାରଠୁ ଆରମ୍ଭ ହୋଇଛି। ଏଥିରେ ଟସ୍‌ ଜିତି ଘରୋଇ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆୟର୍ଲାଣ୍ଡ୍‌ ମଧ୍ୟ ଲର୍ଡସ୍‌ ପଡ଼ିଆରେ ପ୍ରଥମ ଥର ଲାଗି ଟେଷ୍ଟ୍‌ ଖେଳିଛି। ବିଶ୍ବକପ୍‌ ବିଜେତା ଦଳର ପ୍ରା‌ୟ ଅଧଡଜନ୍‌ ଖେଳାଳି ଟେଷ୍ଟ୍‌ ଦଳରେ ସାମିଲ ଅଛନ୍ତି। ହେଲେ ଆୟର୍ଲାଣ୍ଡ୍‌ ଦ୍ରୁତ ବୋଲର ଟିମ୍‌ ମୁର୍ତାଗଙ୍କ ଘା‌ତକ ବୋଲିଂ ନିକଟରେ ଦିନିକିଆ ବିଶ୍ବବିଜେତା ଦଳ ସଂପୂର୍ଣ୍ଣ ଆତ୍ମ ସମର୍ପଣ କରିଛି। ନୂଆ ବଲ୍‌ ବୋଲର ମୁର୍ତାଗ ୯ ଓଭର ବୋଲିଂ କରି ୨ ମେଡେନ୍‌ ଓଭର୍‌ ସହ ମାତ୍ର ୧୩ ରନ୍‌ ବ୍ୟୟ କରି ୫ ୱିକେଟ୍‌ ଦଖଲ କରିନେବାରୁ ଇଂଲଣ୍ଡ ପ୍ରଥମ ପାଳି ୮୫ ରନ୍‌ରେ ସଫା ହୋଇଯାଇଥିଲା। ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରିରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମଧ୍ୟ ଇଂଲଣ୍ଡ ଗୋଟିଏ ପାଳିରେ ୭୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ତେବେ ଟେଷ୍ଟ୍‌ର ଗୋଟିଏ ପାଳିରେ ଇଂଲଣ୍ଡର ସର୍ବନିମ୍ନ ସ୍କୋର୍‌ ୪୫ ରହିଛି। ହେଲେ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଲର୍ଡସ୍‌ ପଡ଼ିଆରେ ଇଂଲଣ୍ଡ ଦଳ ପ୍ରଥମ ଥର ପାଇଁ ପ୍ରଥମ ସେସନ୍‌ରେ ହିଁ ସମସ୍ତ ୱିକେଟ୍‌ ହରାଇବାର ଅଲୋଡା କିର୍ତିମାନ ପାଇଛି। ପୁଣି ୩ ବର୍ଷ ବ୍ୟବଧାନରେ କୌଣସି ଟେଷ୍ଟ୍‌ର ପ୍ରଥମ ସେସନ୍‌ରେ ଚତୁର୍ଥ ଥର ପାଇଁ ୧୦ ୱିକେଟ୍‌ ହରାଇଛି। ଏହା ପୂର୍ବରୁ ଢାକା (୨୦୧୬ ଅକ୍ଟୋବର), ଅକ୍‌ଲାଣ୍ଡ (୨୦୧୮ ମାର୍ଚ) ଏବଂ ବ୍ରିଜ୍‌ଟାଉନ୍‌ (୨୦୧୯ ଜାନୁଆରି)ରେ ଗୋଟିଏ ସେସନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।
ଜାସନ୍‌ ରୟ ଏବଂ ଓଲି ଷ୍ଟୋନ୍‌ ଏହି ମ୍ୟାଚ୍‌ ଜରିଆରେ ଟେଷ୍ଟ ପଦାର୍ପଣ କରିଥିଲେ। ହେଲେ ଜାସନ୍‌ ରୟ (୫) ଏକ ଅଙ୍କ ଟପିବାରେ ସମର୍ଥ ହୋଇନଥିଲା ବେଳେ ଷ୍ଟୋନ୍‌ (୧୯) ଦୁଇଅଙ୍କ ଛୁଇଁଥିଲେ। ରୋରି ବର୍ନସ୍‌ (୬), ଅଧିନାୟକ ଜୋ ରୁଟ୍‌ (୨), ୱିକେଟ୍‌ରକ୍ଷକ ଜନି ବେୟାରଷ୍ଟୋ (୦), ମୋଇନ୍‌ ଅଲ୍ଲୀ (୦), କ୍ରିସ୍‌ ୱକ୍‌ସ (୦) ଓ ଷ୍ଟୁଆର୍ଟ ବ୍ରଡ୍‌(୩) ସଂପୂର୍ଣ୍ଣ ବିଫଳ ହୋଇଥିଲା ବେଳେ ଜୋଏ ଡେନ୍‌ଲି (୨୩) ଓ ସାମ୍‌ କରନ (୧୯) ଏକ ଅଙ୍କ ଅତିକ୍ରମ କରିଥିଲେ। ଇଂଲଣ୍ଡ ଦଳ ୨୩.୪ ଓଭର କ୍ରିଜ୍‌ରେ ତିଷ୍ଠି ପାରିଥିଲା। ମୁର୍ତାଗ୍‌ଙ୍କ ବ୍ୟତୀତ ମାର୍କ ଆଦେର୍‌ (୭.୪-୧-୩୨-୩) ଏବଂ ବୋୟଡ୍‌ ରାଙ୍କିନ୍‌ (୩-୧-୫-୨) ଅବଶିଷ୍ଟ ୫ ୱିକେଟ୍‌ ବାଣ୍ଟି ନେଇଥିଲେ। ବୁଧବାର ଆୟର୍ଲାଣ୍ଡ୍‌ ବିପକ୍ଷ ୮୫ ରନ୍‌ ଇଂଲଣ୍ଡ ପାଇଁ ଘରୋଇ ମାଟିରେ ସର୍ବନିମ୍ନ ଟେଷ୍ଟ ପାଳି। ଏହି ପାଳିର ବିପର୍ଯ୍ୟୟ ପାଇଁ ନାୟକ ସାଜିଥିବା ମୁର୍ତାଗ୍‌ ଲର୍ଡସ୍‌ ପଡ଼ିଆରେ ମଧ୍ୟ ଇତିହାସ ରଚିଛନ୍ତି। ଲର୍ଡସ୍‌ ପଡ଼ିଆରେ ଟେଷ୍ଟ କ୍ରିକେଟ୍‌ ଇତିହାସରେ ବୋଲିଂ କରିଥିବା ବଲ୍‌ ସଂଖ୍ୟା ଏବଂ କମ୍‌ ରନ୍‌ ବ୍ୟୟରେ ଦ୍ରୁତତମ ୫ ୱିକେଟ୍‌ ଦଖଲ କରିବାର କୀର୍ତି ମୁର୍ତାଗ୍‌ଙ୍କ ନାମକୁ ଯାଇଛି। ମୁର୍ତାଗ୍‌ ଏହି ମ୍ୟାଚ୍‌ରେ ଘଣ୍ଟାକୁ ପାଖାପାଖି ୭୫ ମାଇଲ ବେଗରେ ବୋଲିଂ କରି ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଘାଇଲା କରିଦେଇଥିଲେ।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୨୩.୪ ଓଭରରେ ୮୫ (ଜୋ ଡେନଲି ୨୩, ଓଲି ଷ୍ଟୋନ ୧୯, ସାମ୍ କୁରାନ ୧୮, ଜୋ ରୁଟ୍ ୨, ଜାସନ ରୟ ୫, ଜନି ବେୟାରଷ୍ଟୋ ୦, ଟିମ୍ ମୁର୍ତାଗ ୫/୧୩, ମାର୍କ ଆଦେର ୩/୩୨, ବଏଡ୍ ରାଙ୍କିନ ୨/୫। ଆୟର୍ଲାଣ୍ଡ ୫୮.୨ ଓଭରରେ ୨୦୭ (ଆଣ୍ଡି ବଲବିରିନ ୫୫, ପଲ୍ ଷ୍ଟ୍ରିଙ୍ଗ ୩୬, କେଭିନ ଓ’ବ୍ରାଏନ ୨୮*, ଜେମ୍ସ ମ୍ୟା‌େକାଲମ୍ ୧୯, ଷ୍ଟୁଆର୍ଟ ବ୍ରଡ୍ ୩/୬୦, ସାମ୍ କୁରାନ ୩/୨୮, ଓଲି ‌ଷ୍ଟୋନ ୩/୨୯)। ଇଂଲଣ୍ଡ ଦ୍ବିତୀୟ ପାଳି ୧ ଓଭରରେ ୦/୦ (ଜ୍ୟାକ୍ ଲିଚ୍ ୦, ରଏ ବର୍ନସ ୦ )

ସମ୍ବନ୍ଧିତ ଖବର