ଦୋହା: ଇଂଲଣ୍ଡ ଓ ଆମେରିକା ଗ୍ରୁପ୍-ବି’ରେ ନିଜ ନିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଜିତି ଚଳିତ ବିଶ୍ବକପ୍ରେ ପ୍ରିକ୍ବାର୍ଟର ଫାଇନାଲ୍ (ରାଉଣ୍ଡ ୧୬) ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଅହମ୍ମଦ ବିନ୍ ଅଲ୍ଲୀ ଷ୍ଟାଡିୟମ୍ରେ ଇଂଲଣ୍ଡ ୩-୦ ଗୋଲ୍ରେ ୱେଲ୍ସକୁ ଏବଂ ଅଲ୍ ଥୁମାମା ଷ୍ଟାଡିୟମ୍ରେ ଆମେରିକା ୧-୦ ଗୋଲ୍ରେ ଇରାନକୁ ପରାସ୍ତ କରି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପ୍ରିକ୍ବାର୍ଟର ଫାଇନାଲ୍ରେ ଇଂଲଣ୍ଡ ଗ୍ରୁପ୍-ଏ ଉପବିଜେତା ସେନେଗାଲ ଏବଂ ଆମେରିକା ଗ୍ରୁପ୍-ଏ ବିଜେତା ନେଦରଲାଣ୍ଡ୍ସ ସହ ମୁକାବିଲା କରିବ। ତେବେ ଏହି ଗ୍ରୁପ୍ରୁ ଇରାନ ଏବଂ ୱେଲ୍ସ ନିଜ ନିଜର ଶେଷ ମ୍ୟାଚ୍ ପରାଜୟ ସହ ବିଶ୍ବକପ୍ରୁ ବିଦାୟ ନେଇଛନ୍ତି।
ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ଦୁଇ ମ୍ୟାଚ୍କୁ ଯଥାକ୍ରମେ ଆମେରିକା ସହ ଗୋଲ୍ଶୂନ୍ୟ ଡ୍ର’ ଏବଂ ଇରାନକୁ ୬-୨ ଗୋଲ୍ରେ ପରାସ୍ତ କରିଥିବା ଇଂଲଣ୍ଡ ଶେଷ ମ୍ୟାଚ୍ରେ ୱେଲ୍ସକୁ ୩-୦ରେ ପରାସ୍ତ କରିଥିଲା। ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ରହିବା ପରେ ଦ୍ବିତୀୟାର୍ଦ୍ଧରେ ହିଁ ଇଂଲଣ୍ଡ ଗର୍ଜିଥିଲା। ମାତ୍ର ୨ ମିନିଟ୍ ବ୍ୟବଧାନରେ ୨ଟି ଗୋଲ୍ କରି ୱେଲ୍ସକୁ ପ୍ରବଳ ଚାପରେ ପକାଇ ଦେଇଥିଲା। ପ୍ରଥମେ ୫୦ତମ ମିନିଟ୍ରେ ମାର୍କସ ରାସ୍ଫୋର୍ଡ ଏବଂ ୫୨ତମ ମିନିଟ୍ରେ ଫିଲ୍ ଫୋଡେନ୍ ଗୋଟିଏ ଲେଖାଏଁ ଗୋଲ୍ କରି ଇଂଲଣ୍ଡକୁ ଆଗୁଆ ରଖିଥିଲେ। ରାସ୍ଫୋର୍ଡ ଫ୍ରି କିକ୍ରୁ ଏହି ଗୋଲ୍ କରିଥିଲେ। ଏହା ମଧ୍ୟ ଚଳିତ ବିଶ୍ବକପ୍ରେ ପ୍ରଥମ ସିଧାସଳଖ ଫ୍ରି କିକ୍ ଗୋଲ୍ ଥିଲା। ପୁଣି ୬୮ତମ ମିନିଟ୍ରେ ରାସ୍ଫୋର୍ଡ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ କରି ଇଂଲଣ୍ଡକୁ ୩-୦ରେ ଏକପାଖିଆ ବିଜୟ ଭେଟି ଦେଇଥିଲେ। ୱେଲ୍ସ ପ୍ରବଳ ପ୍ରୟାସ କରିବା ସତ୍ତ୍ବେ ଗୋଟିଏ ବି ଗୋଲ୍ ଶୁଝି ପାରିନଥିଲା। ଶେଷ ସୁଦ୍ଧା ଆଉ କୌଣସି ଗୋଲ୍ ନହେବାରୁ ଇଂଲଣ୍ଡ ୩-୦ର ବିଜୟ ସହ ମୋଟ ୭ ପଏଣ୍ଟ ପାଇ ଗ୍ରୁପ୍ ବିଜେତା ହୋଇଥିଲା।
ପୁଲିସିକ୍ଙ୍କ ଗୋଲ୍ରେ ଇରାନ ବିଦା
ଇଂଲଣ୍ଡ ସହ ଗୋଲ୍ଶୂନ୍ୟ ଏବଂ ୱେଲ୍ସ ସହ ୧-୧ ଗୋଲ୍ରେ ମ୍ୟାଚ୍ ଅମୀମାଂସିତ ରଖିଥିବା ଆମେରିକା ତୃତୀୟ ମ୍ୟାଚ୍ରେ ଇରାନକୁ ୨-୦ରେ ପରାସ୍ତ କରିଥିଲା। ପ୍ରଥମାର୍ଦ୍ଧରେ କ୍ରିଷ୍ଟିଆନ୍ ପୁଲିସିକ୍ ହିଁ ଆମେରିକାକୁ ଅଗ୍ରଣୀ ଦେଇଥିଲେ। ୩୮ତମ ମିନିଟ୍ରେ ସେ ପ୍ରଥମ ଗୋଲ୍ କରିଥିଲେ। ଇରାନ୍ ମଧ୍ୟ କଡ଼ା ଜବାବ ଦେଇ ଆମେରିକାକୁ ଆଉ କୌଣସି ଗୋଲ୍ ଦେବାର ସୁଯୋଗ ଦେଇନଥିଲା। ବରଂ ଷ୍ଟପେଜ୍ ଟାଇମ୍ର ଶେଷ କ୍ଷଣରେ ଗୋଟିଏ ସୁଯୋଗ ପାଇଥିଲା। ହେଲେ ଭାର୍ ଯୋଗେ ରେଫରି ଏହାକୁ ନାକଚ କରିଦେବାରୁ ସେହି ୦-୧ ଗୋଲ୍ରେ ହାରି ବିଶ୍ବକପ୍ରୁ ବିଦାୟ ନେଇଥିଲା। ଅନ୍ୟପକ୍ଷରେ ୨ଟି ଅମୀମାଂସିତ ପରେ ପ୍ରଥମ ବିଜୟ ସହ ତାଲିକାର ଦ୍ବିତୀୟ ସ୍ଥାନରେ ରହି ଆମେରିକା ନକ୍ଆଉଟ୍ ପର୍ଯାୟକୁ ଯୋଗ୍ୟତା ଅର୍ଜନ କରିନେଇଥିଲା।