ସେମିଫାଇନାଲ୍ ଲକ୍ଷ୍ୟରେ ଇଂଲଣ୍ଡ, ସମ୍ମାନ ରକ୍ଷା ଆଶାରେ ବାଂଲାଦେଶ

ବିଶ୍ବକପ୍‌ରୁ ସକିବ୍‌ ବାଦ୍‌

ସାରଜା : ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୋମବାର ମୁକାବିଲା (ରାତି ମ୍ୟାଚ୍‌ରେ) ଚମତ୍କାର ଫର୍ମରେ ଥିବା ଇଂଲଣ୍ଡ ଉତ୍ସାହୀ ଏସୀୟ ଶକ୍ତି ଶ୍ରୀଲଙ୍କାକୁ ଭେଟିବ। ଗ୍ରୁପ୍-୧ର ଏହି ମ୍ୟାଚ୍ ଜିତିଲେ ଇଂଲଣ୍ଡର ସେମିଫାଇନାଲ୍ ପ୍ରବେଶ ପୂରା ପକ୍କା ହୋଇଯିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ପରାସ୍ତ ହେଲେ ତାର ବିଦାୟ ନିଶ୍ଚିତ ହୋଇଯିବ। ଗ୍ରୁପ୍-୧ରୁ ଇଂଲଣ୍ଡ ସଂପ୍ରତି ତା’ର ତିନିଟି ଯାକ ମ୍ୟାଚ୍ ଜିତି ପ୍ରଥମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ୩ ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ପାଇଛି। ସେହିଦୃଷ୍ଟିରୁ ନିଜ ବିଶ୍ବକପ୍ ଅଭିଯାନକୁ ଜୀବନ୍ତ ରଖିବାକୁ ହେଲେ ଶ୍ରୀଲଙ୍କା ପାଇଁ ସୋମବାର ମ୍ୟାଚ୍ ‘କର ବା ମର’ ସଦୃଶ ହୋଇଛି। ଏହା‌ ପୂର୍ବରୁ ଖେଳାଯିବାକୁ ଥିବା ସୋମବାରର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ୩ ମ୍ୟାଚ୍‌ରୁ ୩ ପରାଜୟ ସହ ବାଂଲାଦେଶ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ି ସାରିଛି। ଏଣୁ ଏହି ଦଳ କେବଳ ସମ୍ମାନ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ୩ ମ୍ୟାଚ୍‌ରୁ ୨ ବିଜୟ ହାସଲ କରିଥିବା ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ୍ ଢେର ମହତ୍ବ ରଖିବ। ଅଷ୍ଟ୍ରେଲିଆ ସହ ସମାନ ୪ ପଏଣ୍ଟରେ ଥିବାରୁ ଆସନ୍ତାକାଲି ମ୍ୟାଚ୍ ଜିତିଲେ ଦକ୍ଷିଣ ଆଫ୍ରିକାର ସେମିଫାଇନାଲ୍ ପ୍ରବେଶ ପଥ ତୁଳନାତ୍ମକ ଭାବେ ସୁଗମ ହୋଇଯିବ।

ଦକ୍ଷିଣ ଆଫ୍ରିକା-ବାଂଲାଦେଶ ମ୍ୟାଚ୍ କଥା ବିଚାରକୁ ନେଲେ ସ୍ପଷ୍ଟ ହେବ ଯେ କାଗଜ କଲମରେ ଦକ୍ଷିଣ ଆଫ୍ରିକା ଅଧିକ ଶକ୍ତିଶାଳୀ। ଏହି ଦଳ ପାଖରେ କାଗିସୋ ରବାଦା, ଅନ୍‌ରିକ ନର୍ଖିୟା, ତାବ୍ରାଇଜ ସାମସି ଓ କେଶବ ମହାରାଜଙ୍କ ଭଳି ବୋଲର ଅଛନ୍ତି। ବାଂଲାଦେଶ ପାଖରେ ତସ୍କିନ ଅହମ୍ମଦ, ମୁସ୍ତାଫିଜୁର ରହମାନ ଓ ମେହଦି ହାସନଙ୍କ ଭଳି ବୋଲର ଅଛନ୍ତି। ହେଲେ ଆହତ ଯୋଗୁଁ ଅଲରାଉଣ୍ଡର ସକିବ-ଅଲ୍-ହାସନ ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିବା ବାଂଲାଦେଶ ପାଇଁ ବଡ଼ ଝଟ୍‌କା ହୋଇଛି। ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ତାଙ୍କ ବାମ ଗୋଡ଼ ମାଂସପେଶୀ ଟାଣି ହୋଇଥିଲା। ଆଘାତ ସମସ୍ୟା ଗୁରୁତର ଥିବାରୁ ସେ ଅବଶିଷ୍ଟ ମ୍ୟାଚ୍‌ ଖେଳିବେନି ବୋଲି ବାଂଲାଦେଶ କ୍ରିକେଟ୍‌ ବୋର୍ଡ ଓ ଆଇସିସି ଦ୍ବାରା ରବିବାର ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଜିତିବା ମ୍ୟାଚ୍‌କୁ ହାରିବା ପରେ ବାଂଲାଦେଶର ଆତ୍ମବିଶ୍ବାସ ଏକପ୍ରକାର ଦୋହଲି ଯାଇଛି। ଦୃଢ଼ ସ୍ଥିତିରେ ଥାଇ ମଧ୍ୟ ଦଳ ୧୪୩ ରନ୍‌ର ଛୋ‌ଟିଆ ବିଜୟ ଲକ୍ଷ୍ୟକୁ ହାସଲ କରିପାରିନଥିଲା। ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ପୂର୍ବ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ର ରୋମାଞ୍ଚକର ବିଜୟ ହାସଲ କରିଛି। କ୍ବିଣ୍ଟନ୍ ଡି’କକ୍‌ଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ବି ଦୂର ହୋଇଛି। ସେହି ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା ପଲା ସୋମବାର ଭାରୀ ରହିବାର ସମ୍ଭାବନା ଅଧିକ।

ଇଂଲଣ୍ଡ-ଶ୍ରୀଲଙ୍କା ମ୍ୟାଚ୍‌କୁ ଜିତିବା ଲାଗି ଇଂଲଣ୍ଡ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ଶ୍ରୀଲଙ୍କାର ଅସ୍ଥିର ପ୍ରଦର୍ଶନ ପାଇଁ ମଧ୍ୟ ଇଂଲଣ୍ଡ ଫାଇଦାରେ ରହିବ। ଜୋସ୍ ବଟଲର ଚମତ୍କାର ଫର୍ମରେ ଅଛନ୍ତି। ଦାୱିଦ ମଲାନ ବଡ଼ ସଟ୍ ଖେଳୁଛନ୍ତି। କ୍ରିସ୍ ଜୋର୍ଡାନ୍, ଆଦିଲ ରସିଦ ବହୁତ ଭଲ ବୋଲିଂ କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା ଇଂଲଣ୍ଡ ପାଖରେ ବିକଳ୍ପର ଅଭାବ ନାହିଁ। ଅନ୍ୟପକ୍ଷରେ ଯୁବ ଅଧିନାୟକ ଦାସୁନ ସଣକାଙ୍କ ନେତୃତ୍ବରେ ଶ୍ରୀଲଙ୍କା କିଛି ମ୍ୟାଚ୍‌ରେ ଭଲ କରିଥିଲେ ମଧ୍ୟ ଅନ୍ୟଗୁଡ଼ିକରେ ବିଫଳ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଗତ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ୱାନିନ୍ଦୁ ହସରଙ୍ଗା ଇଂଲଣ୍ଡ ପାଇଁ ଚିନ୍ତାର କାରଣ ହୋଇ ପାରନ୍ତି।

ସମ୍ବନ୍ଧିତ ଖବର