ଦ୍ବିତୀୟ ବିଜୟ ସହ ଇଂଲଣ୍ଡ ସେମିଫାଇନାଲ୍‌ ନିକଟତର, ୮ ୱିକେଟ୍‌ରେ ହାରିଲା ବାଂଲାଦେଶ

ଆବୁଧାବି: ଚଳିତ ‌ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ ଦ୍ବିତୀୟ ବିଜୟ ହାସଲ କରିଛି। ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍‌-୧ରେ ସ୍ଥାନ ପାଇଥିବା ଏହି ଦଳ ନିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ଏହାପରେ ବୁଧବାର ଦ୍ବିତୀୟ ମ୍ୟାଚ୍‌ରେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ କରି ୮ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରିଦେଇଛି। ଲଗାତାର ଦୁଇଟି ବିଜୟ ସହ ଇଂଲଣ୍ଡ ମଧ୍ୟ ସେମିଫାଇନାଲ୍‌ ନିକଟତର ହୋଇଛି। ଗ୍ରୁପ୍‌ରେ ୫ ମ୍ୟାଚ୍‌ ଖେଳିବାକୁ ଥିଲା ବେଳେ ଆଉ ଗୋଟିଏ ମ୍ୟାଚ୍‌ ଜିତିନେଲେ ଇଂଲଣ୍ଡର ସେମିଫାଇନାଲ୍‌ ସ୍ଥାନ ପକ୍କା ହୋଇଯିବ।

ବୁଧବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ବାଂଲାଦେଶ ୧୨୪/୯ କରିଥିଲା। ମୁସଫିକର ରହିମ (୨୯ ରନ୍‌) ଦଳର ସର୍ବୋଚ୍ଚ ସ୍କୋରର୍‌ ଥିଲେ। ଇଂଲଣ୍ଡର ତାଇେମଲ ମିଲ୍ସ ୩ ୱିକେଟ୍‌ ‌ନେଇଥିଲେ। ଜବାବରେ ଇଂଲଣ୍ଡ ୧୪.୧ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥି‌ଲା। ଜାସନ ରୟ (୬୧) ଓ ଜୋସ ବଟଲର (୧୮) ଆଉଟ୍‌ ହୋଇଥିଲା ବେଳେ ଦାୱିଦ ମଲାନ (୨୮*) ଓ ଜନି ବେୟାରଷ୍ଟୋ (୮*) ଅପରାଜିତ ରହି ଦଳକୁ ବିଜୟ ପ୍ରଦାନ କରିଥିଲେ। ଏଥିସହ ଇଂଲଣ୍ଡ ୨ରୁ ୨ ମ୍ୟାଚ୍‌ ଜିତି ୪ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଥିଲା ବେଳେ ବାଂଲାଦେଶ ୨ରୁ ୨ ହାରି ପଞ୍ଚମରେ ରହିଛି। ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ପାଇଁ ଜାସନ ରୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ‌ହୋଇଥିଲେ।

ସମ୍ବନ୍ଧିତ ଖବର