ଇଂଲଣ୍ଡ ପ୍ରଥମ ଥର ୟୁରୋ ଫାଇନାଲ୍ରେ, ୫୫ ବର୍ଷ ପରେ ପ୍ରଥମ ଥର ସେମିଫାଇନାଲ୍ ଜିତିଲା
କେନ୍ଙ୍କ ଗୋଲ୍ରେ ଡେନ୍ମାର୍କ ପରାସ୍ତ, ୫୫ ବର୍ଷର କୀର୍ତ୍ତିମାନ ଭାଙ୍ଗିଲେ ଇଂଲଣ୍ଡ ଗୋଲ୍ରକ୍ଷକ ପିକଫୋର୍ଡ
ଲଣ୍ଡନ: ଚଳିତ ୟୁରୋ କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ଇଂଲଣ୍ଡ ପ୍ରବେଶ କରିଛି। ବୁଧବାର ୱେମ୍ବଲିରେ ଖେଳାଯାଇଥିବା ସେମିଫାଇନାଲ୍ରେ ଅଧିନାୟକ ହାରି କେନ୍ଙ୍କ ଅତିରିକ୍ତ ସମୟ ଗୋଲ୍ ବଳରେ ଘରୋଇ ଦଳ ୨-୧ରେ ଡେନ୍ମାର୍କକୁ ପରାସ୍ତ କରି ପ୍ରଥମ ଥର ୟୁରୋପୀୟ ଚାମ୍ପିଅନ୍ସିପ୍ର ଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା। ଏପରିକି ୧୯୬୬ ବିଶ୍ବକପ୍ ପରେ କୌଣସି ବୃହତ୍ ପ୍ରତିଯୋଗିତାରେ ଇଂଲଣ୍ଡର ଏହା ପ୍ରଥମ ସେମିଫାଇନାଲ୍ ବିଜୟ। ରବିବାର ଟ୍ରଫି ଲଢ଼େଇରେ ଏହି ଦଳ ଇଟାଲିକୁ ଭେଟିବ।
ମ୍ୟାଚ୍ର ୩୦ତମ ମିନିଟ୍ରେ ମିକେଲ ଡାମ୍ସଗାର୍ଡଙ୍କ ଗୋଲ୍ରେ ୧୯୯୨ ବିଜେତା ଡେନ୍ମାର୍କ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ଏହାର ୯ ମିନିଟ୍ ପରେ ଡେନ୍ମାର୍କର ସିମନ ଜାଏର (୩୯ ମିନିଟ୍)ଙ୍କ ଆତ୍ମଘାତୀ ଗୋଲ୍ରେ ଇଂଲଣ୍ଡ ସ୍ଥିତି ୧-୧ କରିଦେଇଥିଲା। ଦ୍ବିତୀୟାର୍ଦ୍ଧ ଗୋଲ୍ ଶୂନ୍ୟରେ ଶେଷ ହେବାରୁ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା। ତେଣୁ ଫଳାଫଳ ଲାଗି ଅତିରିକ୍ତ ସମୟର ସହଯୋଗ ନିଆଯାଇଥିଲା। ଏଥିରେ ମଧ୍ୟ ଘରୋଇ ଦଳ ଡେନ୍ମାର୍କର ରକ୍ଷଣଭାଗକୁ ଭେଦ କରିବାରେ ବିଫଳ ହୋଇଥିଲା। ହେଲେ ୧୦୩ତମ ମିନିଟ୍ରେ ଇଂଲଣ୍ଡକୁ ମିଳିଥିବା ପେନାଲ୍ଟିକୁ ଅଧିନାୟକ ହାରି କେନ (୧୦୪ ମନିଟ୍) ଗୋଲ୍ରେ ପରିଣତ କରି ଦଳକୁ ସ୍ମରଣୀୟ ବିଜୟ ଭେଟି ଦେଇଥିଲେ। ୫୫ ବର୍ଷ ପରେ ପ୍ରଥମ ଥର ସେମିଫାଇନାଲ୍ ଖେଳୁଥିବା ଘରୋଇ ଦଳର ଏହି ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ପ୍ରାୟ ୬୦,୦୦୦ ଦର୍ଶକ ଉପସ୍ଥିତ ଥିଲେ।
ଇଂଲଣ୍ଡର ଗୋଲ୍ରକ୍ଷକ ଜୋର୍ଡାନ ପିକ୍ଫୋର୍ଡ ଚଳିତ ୟୁରୋ କପ୍ରେ ୫୫ ବର୍ଷର କୀର୍ତ୍ତିମାନ ଭାଙ୍ଗିଛନ୍ତି। ଡେନ୍ମାର୍କ ବିପକ୍ଷ ସେମିଫାଇନାଲ୍ ପୂର୍ବରୁ ସେ ୭୨୦ ମିନିଟ୍ ଧରି ପ୍ରତିପକ୍ଷକୁ କୌଣସି ଗୋଲ୍ କରିବାର ସୁଯୋଗ ଦେଇନଥିଲେ। ଯାହା ଦେଶର ସର୍ବାଧିକ ସମୟ ଗୋଲ୍ ବରଣ ନକରିବାର କୀର୍ତ୍ତିମାନ। ତାଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ଗୋର୍ଡନ ବ୍ୟାଙ୍କ୍ସଙ୍କ ନାମରେ ଥିଲା। ବ୍ୟାଙ୍କସ ୧୯୬୬ ବିଶ୍ବକପ୍ରେ ଏହି କୀର୍ତ୍ତିମାନ ରଚିଥିଲେ। ତେବେ ବୁଧବାର ରାତି ସେମିଫାଇନାଲ୍ ମ୍ୟାଚ୍ର ୩୦ତମ ମିନିଟ୍ରେ ମିକେଲ ଡାମ୍ସଗାର୍ଡ ଫ୍ରି-କିକ୍ରେ ଗୋଲ୍ ଦେଇ ପିକ୍ଫୋର୍ଡଙ୍କ ଗୋଲ୍ ବରଣ ନକରିବାର ଧାରାକୁ ରୋକିଥିଲେ। ଏହା ମଧ୍ୟ ଚଳିତ ୟୁରୋରେ ଇଂଲଣ୍ଡର ପ୍ରଥମ ଗୋଲ୍ ବରଣ ଥିଲା। ପୁଣି ମାର୍ଚ ପରଠୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଗୋଲ୍ ଥିଲା। ଏଭଳି ପ୍ରଦର୍ପିପ୍ରଯୋଗୁଁ କ୍ଫୋର୍ଡ ଚଳିତ ୟୁରୋ ‘‘ଗୋଲେଡନ୍ ଗ୍ଲୋଭ୍’’ ଦୌଡ଼ରେ ଆଗରେ ରହିଛନ୍ତି। ସେ ୫ ମ୍ୟାଚ୍ରେ କୌଣସି ଗୋଲ୍ ବରଣ ନ କରି ଏହି ପୁରସ୍କାର ପାଇବା ପ୍ରାୟ ନିଶ୍ଚିତ କରିଛନ୍ତି। ତାଙ୍କ ପଛକୁ ଇଟାଲିର ଜିଆନ୍ଲୁଇଗି ଡେନାରୁମା (୩ ମ୍ୟାଚ୍) ରହିଛନ୍ତି।
ଇତିହାସ ରଚିଥିବା ଇଂଲଣ୍ଡ ଖେଳାଳି
ବୁଧବାର ଡେନ୍ମାର୍କ ବିପକ୍ଷ ୟୁରୋ ମ୍ୟାଚ୍ ଖେଳି ବୁକାୟା ସାକା (ସେଣ୍ଟର) ଏକ ବଡ଼ ପ୍ରତିଯୋଗିତାରେ ସେମିଫାଇନାଲ୍ ଖେଳିବାରେ ସର୍ବକନିଷ୍ଠ ଇଂଲଣ୍ଡ ଖେଳାଳି ହୋଇଥିଲେ। ଏହି ମ୍ୟାଚ୍ ବେଳକୁ ସାକାଙ୍କୁ ୧୯ ବର୍ଷ ୩୦୫ ଦିନ ହୋଇଥିଲା।
ଏଥିସହ ଜୁଲାଇ ୭ ତାରିଖ ରାତି ସାକା, ମାସନ ମାଉଣ୍ଟ, ବେନ୍ ଚିଲୱେଲ ଓ ରିସି ଜେମ୍ସ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହୋଇଥିଲା। ଡେନ୍ମାର୍କକୁ ହରାଇ ବିଦାୟ ରାସ୍ତା ଦେଖାଇଥିବା ଇଂଲଣ୍ଡର ଏହି ଐତିହାସିକ ବିଜୟରେ ଅବଦାନ ରଖିଥିଲେ। ଏଥିସହ ପ୍ରଥମ ଚେଲ୍ସି ଖେଳାଳି ଭାବେ ମାଉଣ୍ଟ, ଚିଲୱେଲ ଓ ଜେମ୍ସ ତ୍ରିମୂର୍ତ୍ତି ଇଂଲଣ୍ଡକୁ ୟୁରୋ ଫାଇନାଲ୍ ପହଞ୍ଚାଇବାର ଯୋଗଦାନ ରଖିଥିଲେ।