ମହିଳା ବିଶ୍ବକପ୍ ଫାଇନାଲ୍‌ରେ ଇଂଲଣ୍ଡ-ଅଷ୍ଟ୍ରେଲିଆ

କ୍ରିଷ୍ଟଚର୍ଚ୍ଚ: ଚଳିତ ମହିଳା କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଅଷ୍ଟ୍ରେଲିଆ ବୁଧବାର ସେମିଫାଇନାଲ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଫାଇନାଲ୍ ଟିକେଟ ହାସଲ କରିନେଇଥିଲା ବେଳେ ଗତଥର ବିଜେତା ଇଂଲଣ୍ଡ ଗୁରୁବାର ଦକ୍ଷିଣ ଆଫ୍ରିକାକୁ ୧୩୭ ରନ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରି ଲଗାତାର ଦ୍ବିତୀୟଥର ପାଇଁ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ଇଂଲଣ୍ଡ ଏହାକୁ ମିଶାଇ ଷଷ୍ଠ ଥର ପାଇଁ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛି।
ଗୁରୁବାରର ଏହି ଏକତରଫା ସେମିଫାଇନାଲ୍ ମୁକାବିଲାରେ ଡାନି ୱାତଙ୍କ ପ୍ରଥମ ବିଶ୍ବକପ୍ ଶତକ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୯୩ ରନ୍ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ସୋଫିଆ ଡଙ୍କଲୀ ୬୦ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ଉଭୟ ୱାତ ଏବଂ ଡଙ୍କଲିଙ୍କ ମଧ୍ୟରେ ହୋଇଥିବା ୧୧୬ ରନ୍‌ର ପଞ୍ଚମ ୱିକେଟ୍ ଭାଗୀଦାରି ବଳରେ ଇଂଲଣ୍ଡ ୩୦୦ ରନ୍‌ର ନିକଟତର ହୋଇପାରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୮ ରନ୍‌ରେ ତାର ଦୁଇ ଓପନରଙ୍କୁ ହରାଇ ପ୍ରଥମ ୫ ଓଭର ଭିତରେ ହିଁ ଏକପ୍ରକାର ମ୍ୟାଚ୍ ହାରିଯାଇଥିଲା। ଏହା ପରେ ଇଂଲଣ୍ଡ ବୋଲରମାନେ ଲଗାତାର ଦକ୍ଷିଣ ଆଫ୍ରିକୀୟ ବ୍ୟାଟର୍‌ଙ୍କ ଉପରେ ଅସହ୍ୟ ଚାପ ସୃଷ୍ଟି କରିଥିଲେ। ବିଶେଷକରି ସୋଫି ଏକଲେଷ୍ଟୋନଙ୍କ ଶାଣୀତ ବୋଲିଂ ଆଗରେ ଅଧିକାଂଶ ଦକ୍ଷିଣ ଆଫ୍ରିକା ଖେଳାଳି ଆତ୍ମସମର୍ପଣ କରିଥିଲେ। ସେ ୩୬ ରନ୍‌ରେ ୬ ୱିକେଟ୍ ନେବା ପରେ ଦକ୍ଷିଣ ଆଫ୍ରିକା ୩୮ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୫୬ ରନ୍ କରିପାରିଥିଲା। ଏହା ମଧ୍ୟ ଏକଲେଷ୍ଟୋନଙ୍କ ଜୀବନର ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ଥିଲା। ତେବେ ୱାତ୍ ତାଙ୍କ ୧୨୯ ରନ୍‌ର ବିଜୟୀ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର