ଇଂଲଣ୍ଡର ବାଂଲା ବିଜୟ

କାର୍ଡିଫ: ଆୟୋଜକ ଇଂଲଣ୍ଡ ବିଜୟ ଧାରାକୁ ଫେରିଛି। ପାକିସ୍ତାନଠାରୁ ଅପ୍ରତ୍ୟାଶିତ ପରାଜୟ ପରେ ସଫଳ ଲେଉଟାଣୀ କରି ବାଂଲାଦେଶକୁ ୧୦୬ ରନ୍‌ରେ ପରାସ୍ତ କରିଛି। ତା’ ସହ ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଛି। ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଦଳକୁ ହରାଇ ଧମାକାଦାର ଆରମ୍ଭ କରିଥିବା ବାଂଲାଦେଶ ଲଗାତର ଦ୍ବିତୀୟ ପରାଜୟ ବରଣ କରିଛି। ଇଂଲଣ୍ଡଠାରୁ ହାରିବା ପୂର୍ବରୁ ଏହି ଏସୀୟ ଦଳକୁ ନ୍ୟୁଜିଲାଣ୍ଡ ଧରାଶାୟୀ କରିଥିଲା। ଇଂଲଣ୍ଡ ଶନିବାର ୩୮୭ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଏହାକୁ ପିଛା କରି ବାଂଲାଦେଶ ୨୮୦ ରନ୍‌ରେ ଅଟକି ଯାଇଥିଲା।

।ସକିବଙ୍କ ଶତକ ବେକାର
ବାଂଲାଦେଶ ଆରମ୍ଭରୁ ସଂଘର୍ଷ କରିଥିଲା। କେବଳ ଅଲରାଉଣ୍ଡର ସକିବ-ଅଲ-ହାସନ (୧୨୧ ରନ୍, ୧୧୯ ବଲ୍, ୧୨ ଚୌକା, ୧ ଛକା) ଚିତ୍ତାକର୍ଷକ ଶତକ ଅର୍ଜନ କରିଥିଲେ। ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କିନ୍ତୁ ତାଙ୍କୁ ଆବଶ୍ୟକ ସମର୍ଥନ ଦେଇ ନଥିଲେ। ମୁସଫିକର ରହିମ ଦ୍ବିତୀୟ ସର୍ବାଧିକ ୪୪ ରନ୍ କରିବାକୁ ସକ୍ଷମ ହୋଇଥିଲେ। ବାଂଲାଦେଶର ପ୍ରଥମ ଦୁଇ ମ୍ୟାଚ୍‌ରେ ଅର୍ଧଶତକ ଅର୍ଜନ କରିଥିବା ସକିବ କିନ୍ତୁ ନିଜ ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଶନିବାର ସେ ଅଷ୍ଟମ ଶତକ ହାସଲ କରିଥିଲେ। ବଡ଼ ବିଜୟ ଲକ୍ଷ୍ୟ ଚାପରେ ଅନ୍ୟପଟୁ ନିୟମିତ ୱିକେଟ୍ ହରାଇ ବାଂଲାଦେଶ ୭ ବଲ୍ ପୂର୍ବରୁ ଅଲଆଉଟ୍ ଯାଇଥିଲା। ଫଳରେ ସକିବଙ୍କ ଶତକ ବେକାର ଯାଇଥିଲା। ଇଂଲଣ୍ଡ ଅଲରାଉଣ୍ଡର ବେନ୍ ‌ଷ୍ଟୋକ୍ସ ତାଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ।

।ଇଂଲଣ୍ଡର ସର୍ବବୃହତ୍ ବିଶ୍ବକପ୍ ସ୍କୋର
ବାଂଲାଦେଶ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହେଲେ ଏହି ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଜାସନ ରଏ (୧୫୩)ଙ୍କ ଜମାଣିଆ ଶତକ ସହ ଜନି ବେୟାରଷ୍ଟୋ (୫୧) ଓ ଜୋସ୍ ବଟଲର (୬୪)ଙ୍କ ଅର୍ଧଶତକ ବଳରେ ଇଂଲଣ୍ଡ ନିର୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୮୬ ରନ୍‌ର ବିଶାଳ ସ୍କୋର କରି ନେଇଥିଲା। ରଏ-ବେୟ‌ାରଷ୍ଟୋ ପ୍ରଥମ ୱିକେଟ୍‌ରେ ୧୨୮ ରନ୍ ଯୋଡ଼ିବା ପରେ ପରବର୍ତୀ ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡକୁ ୪୦୦ ରନ୍‌ ପାଖରେ ପହଞ୍ଚାଇ ଦେଇଥିଲେ। ଇଂଲଣ୍ଡର ୩୮୬/୬ ମଧ୍ୟ ବିଶ୍ବକପ୍‌ରେ ଏହି ଦଳର ସର୍ବବୃହତ୍ ଦଳଗତ ସ୍କୋର ଥିଲା। ସେହିଭଳି ଇଂଲଣ୍ଡ ଚଳିତ ବର୍ଷ ଲଗାତାର ସପ୍ତମ ଥର ପାଇଁ ଦିନିକିଆ କ୍ରିକେଟ୍‌ରେ ୩୦୦ କିମ୍ବା ତା’ଠାରୁ ଅଧିକ ରନ୍ କରିବାର ଗୌରବ ଅର୍ଜନ କରିଥିଲା। ଏହା ମଧ୍ୟ ଏକ ବିଶ୍ବ କୀର୍ତ୍ତିମାନ ଥିଲା। ରଏ ବ୍ୟକ୍ତିଗତ ଭାବେ ଶନିବାର ନିଜ ଖେଳ ଜୀବନର ନବମ ଶତକ ହାସଲ କରିଥିଲେ। ତେବେ ବିଶ୍ବକପ୍‌ରେ ଦେଢ଼ ଶହରୁ ଅଧିକ ରନ୍ କରିବାରେ ଆଣ୍ଡ୍ର୍ୟି ଷ୍ଟ୍ରସ୍ (୧୫୮, ୨୦୧୧ ବନାମ ଭାରତ)ଙ୍କ ପରେ ଦ୍ବିତୀୟ ଇଂଲିସ୍ ଖେଳାଳି ହୋଇଥିଲେ। ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ବାଂଲା ବୋଲରଙ୍କୁ ୧୪ ଛକା ମାରିଥିଲେ। ଏକ ବିଶ୍ବକପ୍ ମ୍ୟାଚ୍‌ରେ ଇଂଲଣ୍ଡର ଏହା ସର୍ବାଧିକ ସଂଖ୍ୟକ ଛକା ଥିଲା। ସବୁ ବାଂଲା ବୋଲର ଶନିବାର ୬ରୁ ଅଧିକ ହାରରେ ରନ୍ ବ୍ୟୟ କରିଥିଲେ।

ସମ୍ବନ୍ଧିତ ଖବର