ବେନ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ, ଭାରତକୁ ୬ ଓ୍ବିକେଟରେ ହରାଇଲା ଇଂଲଣ୍ଡ

ପୁଣେ: ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଦିନିକିଆରେ ଇଂଲଣ୍ଡ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରିଛି ।

ଭାରତ ଦ୍ବାରା ଧାର୍ଯ୍ୟ ୩୩୭ ରନର ବିଶାଳ ଲକ୍ଷ୍ୟକୁ ଇଂଲଣ୍ଡ ଦଳ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୩.୩ ଓଭରରେ ବିଜୟୀ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ୧୨୪ ରନ କରିଥିବାବେଳେ ଜାସନ ରଏ ୫୫ ରନ କରିଥିଲେ । ତେବେ ଆଜି ମ୍ୟାଚର ମୁଖ୍ୟ ଆକର୍ଷଣ ଥିବା ବେନ ଷ୍ଟୋକ୍ସଙ୍କ ଧୂଆଁଧାର ୯୯ ରନ । ମାତ୍ର ୫୨ଟି ବଲ ଖେଳି  ସେ ୪ ଚୌକା ଓ ୧୦ଟି ବିଶାଳ ଛକା ମାଧ୍ୟମରେ ଏହି ସ୍କୋର କରିଥିଲେ ।

ଆଜି ଇଂଲଣ୍ଡ ଅଧିନାୟକ  ଇଅନ ମୋର୍ଗାନ ଟସ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଗତ ମ୍ୟାଚରେ ୯୮ ରନ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ମାତ୍ର ୪ ରନ କରି ଆଉଟ ହେବା ପରେ ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ବ୍ୟାଟିଂ କରି ଦଳୀୟ  ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ୨୫ ରନ କରିଥିବାବେଳେ ବିରାଟ ୬୬ ରନ କରିଥିଲେ । ତେବେ କେଏଲ ରାହୁଲଙ୍କ ଲଢୁଆ ଶତକ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏକ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ରାହୁଲ ୧୦୮ ରନ କରିଥିବାବେଳେ ପନ୍ତ ୭୭ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୩୫ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୩୩୬ ରନ କରିଥିଲା ।

 

ସମ୍ବନ୍ଧିତ ଖବର