ଭାରତକୁ ହରାଇ ଟି-୨୦ ବିଶ୍ବକପ ଫାଇନାଲରେ ଇଂଲଣ୍ଡ

ଆଡିଲେଡ୍ : ଭାରତ ବିଶ୍ବ ଚାମ୍ପିଅନ ଆଶା ଧୂଳିସାତ ହୋଇଯାଇଛି । ଗୁରୁବାର ଖେଳାଯାଇଥିବା ୨ୟ ସେମିଫାଇନାଲ ମ୍ୟାଚରେ ଭାରତକୁ ୧୦ ଓ୍ବିକେଟରେ ଶୋଚନୀୟଭାବେ ହରାଇ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଇଂଲଣ୍ଡ ଆସନ୍ତା ରବିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଭେଟିବ ।

ଇଂଲଣ୍ଡର ବିଜୟ ପାଇଁ ଭାରତ ୧୬୯ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଇଂଲଣ୍ଡର ଦୁଇ ଓପନର ଆଲେକ୍ସ ହେଲ୍ସ ଓ ଜସ ବଟଲର ହିଁ ଖେଳ ସମାପ୍ତ କରିଦେଇଥିଲେ । ଭାରତର କୌଣସି ବୋଲର ତାଙ୍କ ଉପରେ ପ୍ରଭାବ ବିସ୍ତାର କରିପାରିନଥିଲେ । ବଟଲର ୮୦ ଓ ହେଲ୍ସ ୮୬ ରନ କରି ଅପରାଜିତ ରହିଥିଲେ । ମ୍ୟାଚର ଉଭୟ ବ୍ୟାଟିଂ ଓ ବୋଲିଂରେ ଇଂଲଣ୍ଡ ଦଳ ଭାରତ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା । ଏପରିକି ଆହୁରି ୨୪ଟି ବଲ ବାକିଥାଇ ଇଂଲଣ୍ଡ ନିଜର ଲକ୍ଷ୍ୟ ହାସଲ କରିନେଇଥିଲା ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ଆରମ୍ଭରୁ କେଏଲ ରାହୁଲଙ୍କ ଓ୍ବିକେଟ ହରାଇଥିଲେ ବି ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ  । ରୋହିତ ୨୭ ରନ କରି ଆଉଟ ହୋଇଥିବାବେଳେ କୋହଲି ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ପୂରଣ କରିଥିଲେ । ରୋହିତଙ୍କ ପରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୧୪ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୩ଟି ବଲରୁ ୬୩ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ । ତେବେ ସେ ଶେଷ ବଲରେ ଦୁର୍ଭାଗ୍ୟଜନକ ଭାବେ ହିଟ୍ ଓ୍ବିକେଟ ହୋଇଥିଲେ । ଭାରତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୮ ରନ କରିଥିଲା ।

ସମ୍ବନ୍ଧିତ ଖବର