ପ୍ରଥମ ଟି-୨୦ରେ ଭାରତକୁ ୮ ଓ୍ବିକେଟରେ ହରାଇଲା ଇଂଲଣ୍ଡ

ଅହମଦାବାଦ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଇଂଲଣ୍ଡ ଦଳ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି ।

ଭାରତର ୧୨୫ ରନ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ଦଳ ୧୫. ୩ ଓଭରରେ ମାତ୍ର ୨ଟି ଓ୍ବିକେଟ ହରାଇ ୧୩୦ ରନ କରି ବିଜୟୀ ହୋଇଛି । ଇଂଲଣ୍ଡର ଦୁଇ ଓପନର ଜାସନ ରଏ ଓ ଜୋସ ବଟଲର ପ୍ରଥମ ଓ୍ବିକେଟ ଯୋଡ଼ିରେ ୭୯ରନ କରି ଦଳର ବିଜୟ ପାଇଁ ଏକ ଦୃଢ ମୂଳଦୂଆ ପକାଇଥିଲେ । ରଏ ୪୯ ଓ ବଟଲର ୨୮ ରନ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପରେ ଆସିଥିବା ଡେଓ୍ବିଡ୍ ମଲାନ ଓ ଜନି ବେୟାରଷ୍ଟୋ ଯଥାକ୍ରମେ ୨୪ ଓ ୨୬ ରନ କରି ଦଳପାଇଁ ବିଜୟ ଆଣିଦେଇଥିଲେ ।

ଟସ ଜିଣି ଇଂଲଣ୍ଡ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଭାରତୀୟ ଦଳ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି, ଶିଖର ଧଓ୍ବନ ଓ କେଏଲ ରାହୁଲ ଶସ୍ତାରେ ପାଭିଲିୟନ ଫେରିଥିଲେ । ତେବେ ଋଷଭ ପନ୍ତ୍ ଓ ଶ୍ରେୟସ ଆୟାର ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଆୟର ୬୭ ରନ, ପନ୍ତ ୨୧ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ରନ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୨୪ ରନ କରିଥିଲା ।

 

ସମ୍ବନ୍ଧିତ ଖବର