‘ଅପରାଜେୟ’ ଧାରା ଭାଙ୍ଗିଲା : ଇଂଲଣ୍ଡଠୁ ୩୧ ରନ୍‌ରେ ହାରିଲା ଭାରତ

ରୋହିତଙ୍କ ଲଢ଼ୁଆ ଶତକ ବେକାର, ବେୟାରଷ୍ଟୋ ମ୍ୟାନ୍‌-ଅଫ୍-ଦି-ମ୍ୟାଚ୍‌, ଇଂଲଣ୍ଡର ସେମି ଆଶା ଉଜ୍ଜୀବିତ, ପାକିସ୍ତାନ, ବାଂଲାଦେଶ ନିରାଶ

ବର୍ମିଂହାମ : ବହୁ ପ୍ରତୀକ୍ଷିତ ବର୍ମିଂହାମ ଲଢ଼େଇରେ ବାଜି ମାରି ନେଇଛି ଇଂଲଣ୍ଡ। ରବିବାର ବିଶ୍ବକପ୍‌ର ଏହି ଗୁରୁତ୍ବପୂର୍ଣ୍ଣ ଲିଗ୍ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ୩୧ ରନ୍‌ରେ ହରାଇ ଦେଇଛି। ତା’ ସହ ନିଜ ସେମିଫାନାଲ୍ ଆଶା ଉଜ୍ଜୀବିତ ରଖିଛି। ସେପଟେ ଭାରତର ବିଜୟ ଧାରା ଅଟକି ଯାଇଛି। ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ(୧୦୨) ସତ୍ତ୍ବେ ଚଳିତ ବିଶ୍ବକପ୍‌ରେ ଭାରତ ପ୍ରଥମ ପରାଜୟ ବରଣ କରିଛି। ୩୩୮ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ପୂରା ପାଳି ଖେଳିଲେ ମଧ୍ୟ ୫ ୱିକେଟ୍‌ ହରାଇ ୩୦୬ ରନ୍‌ରେ ସୀମିତ ରହିଛି।

ଆୟୋଜକ ଇଂଲଣ୍ଡ ଆଜି ଜନି ବେୟାରଷ୍ଟୋଙ୍କ ବିସ୍ଫୋରକ ଶତକ(୧୧୧) ବଳରେ ୩୩୮ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଦେଇଥିଲା। ଆରମ୍ଭରୁ ଧିମା ବ୍ୟାଟିଂ କରିଥିବା ଭାରତ ପାଇଁ ରୋହିତଙ୍କ ସହ ଅଧିନାୟକ ବିରାଟ କୋହଲି (୬୬) ଓ ହାର୍ଦିକ ପାଣ୍ଡ୍ୟା (୪୫) ଲଢ଼ିଥିଲେ। ହେଲେ ଏହା ପର୍ଯ୍ୟାପ୍ତ ହୋଇ ନଥିଲା। ଇଂଲଣ୍ଡ ଅଷ୍ଟମ ମ୍ୟାଚ୍‌ରୁ ପଞ୍ଚମ ବିଜୟ ହାସଲ କରି ୧୦ ପଏଣ୍ଟ ସହ ପଞ୍ଚମରୁ ଚତୁର୍ଥକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଭାରତ ପରାଜୟ ସତ୍ତ୍ବେ ୧୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ବିଜୟ ପରେ କିନ୍ତୁ ବିଶ୍ବକପ୍ ସେମିଫାଇନାଲ୍ ସମୀକରଣ ବଦଳି ଯାଇଛି। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଭାରତ ସହ ଇଂଲଣ୍ଡ ଦୌଡ଼ରେ ରହିଥିବା ବେଳେ ପାକିସ୍ତାନ ଓ ବାଂଲାଦେଶର ସେମିଫାଇନାଲ୍ ଖେଳିବା ଆଶଙ୍କା ଭିତରକୁ ଚାଲିଯାଇଛି।

ଇଂଲଣ୍ଡ ବିପରୀତ ଭାରତ ଅତ୍ୟନ୍ତ ଖରାପ ଆରମ୍ଭ କରିଥିଲା। ପ୍ରଥମ ଓଭର ମେଡେନ୍ ଦେଇଥିବା ଲୋକେଶ ରାହୁଲ ୯ ବଲ୍‌ ଖେଳି ଖାତା ଖୋଲିବା ପୂର୍ବରୁ କ୍ରିସ୍ ଓକ୍ସଙ୍କ ବଲ୍‌ରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ଭାରତ ୮ ରନ୍‌ରେ ତାଙ୍କୁ ହରାଇଥିଲା। ବଡ଼ ବିଜୟ ଲକ୍ଷ୍ୟ ପାଇଁ ଏମିତି ଚାପ ସୃଷ୍ଟି ‌ହୋଇଥିଲା ବେଳେ ଓକ୍ସଙ୍କ ପ୍ରଥମ ତିନି ଓଭରକୁ‌ ଭାରତ ମେଡେନ୍ ଯିବାକୁ ଦେଇଥିଲା। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଖେଳାଳି ବ୍ୟାଟିଂ କରୁଥିଲେ ମଧ୍ୟ ଟିମ୍ ଇଣ୍ଡିଆ ୧୦ ଓଭରରେ ଗୋଟିଏ ୱିକେଟ୍ ବିନିମୟରେ ୨୮ ରନ୍ କରିଥିଲା। ଯାହା ଚଳିତ ବିଶ୍ବକପ୍‌ର ସର୍ବନିମ୍ନ ପ୍ରଥମ ପାୱାର ପ୍ଲେ ସ୍କୋର ଥିଲା। ରୋହିତ ଏକ ଜୀବନ ଦାନ ପାଇବା ପରେ ରନ୍ ଅପେକ୍ଷା ୱିକେଟ୍ ବଞ୍ଚାଇବା ଉପରେ ଅଧିକ ଧ୍ୟାନ ଦେଇଥିଲେ। ଅଧିନାୟକ କୋହଲି ମଧ୍ୟ ପାଳି ସଜାଡ଼ିବା କାମ କରିଥିଲେ। କୋହଲି ପ୍ରଥମେ ୫୯ ବଲରୁ ୬ ଚୌକା ସହାୟତାରେ ଲଗାତାର ପଞ୍ଚମ ଅର୍ଧଶତକ ଅର୍ଜନ କରିଥିଲେ। ଏହା ପରେ ରୋହିତ ୬୫ ବଲ୍‌ରୁ ୯ ଚୌକା ବଳରେ ୪୩ତମ ଅର୍ଧଶତକ ପୂରଣ କରିଥିଲେ। ଭାରତ ୨୨ ଓଭରରେ ତିନି ଅଙ୍କ ଛୁଇଁଥିଲା। ଉଭୟ ଦ୍ବିତୀୟ ୱିକେଟ୍‌ରେ ୧୩୬ ରନ୍ ଯୋଡ଼ିଥିଲେ। କୋହଲି ବିପଜ୍ଜନକ ହୋଇ ଆସୁଥିଲା ବେଳେ ଲିୟମ ପ୍ଲଙ୍କେଟ ତାଙ୍କୁ ଆଉଟ୍ କରି ଭାରତକୁ ବିରାଟ ଝଟକା ଦେଇଥିଲେ। ବିଶ୍ବକପରେ ପଞ୍ଚମ ଥର ପାଇଁ ସେ ଅର୍ଧଶତକକୁ ଶତକରେ ରୂପାନ୍ତର କରି ପାରି ନଥିଲେ।

ବିଶ୍ବକପ୍ ପଦାର୍ପଣ କରିଥିବା ଋଷବ ପନ୍ତ ଚତୁର୍ଥ ସ୍ଥାନରେ ଆସି କେତେକ ଦର୍ଶନୀୟ ସଟ୍ ଖେଳିଥିଲେ। ରୋହିତ ଓ ସେ ତୃତୀୟ ୱିକେଟରେ ୫୨ ରନ୍ ସଂଗ୍ରହ କରିଥିଲେ। ତେବେ ୩୭ତମ ଓଭରରେ ଫେରିଥିବା ଓକ୍ସ ନିଜ ଦ୍ବିତୀୟ ସ୍ପେଲର ପ୍ରଥମ ଓଭରରେ ରୋହିତଙ୍କୁ ଆଉଟ୍ କରି ଭାରତକୁ ଦ୍ବିତୀୟ ବଡ଼ ଝଟ୍‌କା ଦେଇଥିଲେ। ଏହା ପୂର୍ବରୁ ରୋହିତ ଚଳିତ ବିଶ୍ବକପର ତୃତୀୟ ଏବଂ ଖେଳ ଜୀବନର ୨୫ତମ ଶତକ ହାସଲ କରି ‌ନେଇଥିଲେ। ଭାରତ ସେହି ଓଭରରେ ଅବଶ୍ୟ ୨୦୦ ରନ୍ ପୂରଣ କରି ନେଇଥିଲା। ପନ୍ତ ଆତ୍ମବିଶ୍ବାସର ସହ ଖେଳୁଥିବା ବେଳେ ପ୍ଲଙ୍କେଟଙ୍କ ବଲ୍‌ରେ ଓକ୍ସଙ୍କ ହାତରେ ସୀମା ରେଖା ନିକଟରେ ଧରାପଡ଼ିଥିଲେ। ବଢ଼ି ଚାଲିଥିବା ରନ୍ ହାର ଚାପରେ ବଡ଼ ସଟ୍ ଖେଳିବାକୁ ବାଧ୍ୟ ହୋଇ ସେ ନିଜ ୱିକେଟ୍ ହରାଇଥିଲେ। ସେହିଭଳି ଦ୍ରୁତ ବ୍ୟାଟିଂ କରୁଥିବା ହାର୍ଦିକ ପାଣ୍ଡ୍ୟା (୪୫) ମଧ୍ୟ ରନ୍ ହାର ବଢ଼ାଇବା ଲୋଭରେ ନିଜ ୱିକେଟ୍ ହରାଇଥିଲେ। ପାଣ୍ଡ୍ୟା- ମହେନ୍ଦ୍ର ସିଂହ ଧୋନି (୪୨*)ପଞ୍ଚମ ୱିକେଟ୍‌ରେ ୪୧ ରନ୍ ଯୋଡ଼ିଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ହୋଇ ନ ଥିଲା। ଶେଷ ଆଡ଼କୁ ଧୋନି ଦ୍ରୁତ ବ୍ୟାଟିଂ କରିଥିଲେ। ତେବେ କେଦାର ଯାଦବ (୧୨) ପୁଣି ଥରେ ମନ୍ଥର ବ୍ୟାଟିଂ କରି ପ୍ରଶଂସକଙ୍କୁ ନିରାଶ କରିଥିଲେ। ଶେଷରେ ଚଳିତ ବିଶ୍ବକପ୍‌ରେ ୫ଟି ବିଜୟ ପରେ ଭାରତର ଅପରାଜେୟ ଧାରା ଭାଙ୍ଗିଥିଲା।

ସମ୍ବନ୍ଧିତ ଖବର