ଲିଡ୍ସ : ହେଡିଙ୍ଗଲେ ଟେଷ୍ଟରେ ଇଂଲଣ୍ଡ ଭାରତକୁ ୫ ଓ୍ବିକେଟରେ ହରାଇ ଦେଇଛି । ଏହା ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ଇଂଲଣ୍ଡ । ଏହି ମ୍ୟାଚରେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୭୧ ରନର ଲକ୍ଷ୍ୟ ରଖିଥିଲା ଭାରତ । ଏହି ଲକ୍ଷ୍ୟକୁ ଇଂଲଣ୍ଡ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା। ଇଂଲଣ୍ଡ ପକ୍ଷରୁ ବେନ ଡକେଟ୍ ୧୪୯ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ସେହିପରି ଜ୍ୟାକ୍ କ୍ରାଉଲି ୬୮ ରନ, ଜୋ ରୁଟ ୫୩ ରନ ଓ ଜେମି ସ୍ମିଥ ୪୩ ରନ କରିଥିଲେ । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୪୭୧ ରନ କରିଥିବାବେଳେ ଇଂଲଣ୍ଡ ୪୬୫ ରନ କରିଥିଲା । ଦ୍ବିତୀୟ ଇନିଂସରେ ଭାରତ ୩୬୪ ରନ କରିଥିଲା । ଏହି ଇନିଂସରେ ଭାରତ ପକ୍ଷରୁ କେଏଲ ରାହୁଲ ଓ ଋଷଭ ପନ୍ତ ଶତକ ଅର୍ଜନ କରିଥିଲେ । କିନ୍ତୁ ପ୍ରଥମ ଇନିଂସ ପରି ଏହି ଇନିଂସରେ ବି ଭାରତର ଟେଲଏଣ୍ଡର୍ସ ମାନେ ବିଫଳ ହୋଇଥିଲେ । ଭାରତ ୩୬୪ରନରେ ଅଲଆଉଟ ହେବା ପରେ ଇଂଲଣ୍ଡ ଆଗରେ ୩୭୧ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।