ରାଜକୋଟ: ମହମ୍ମଦ ସାମିଙ୍କ ପ୍ରତ୍ୟାବର୍ତ୍ତନ, ଭାରତର କ୍ରମାଗତ ତୃତୀୟ ଟସ୍ ବିଜୟ, ବରୁଣ ଚକ୍ରବର୍ତ୍ତୀଙ୍କ ୫ ୱିକେଟ୍‌ ସଫଳତା ଭିତରେ ଭାରତର ବିଜୟ ରଥ ଅଟକିଯାଇଛି। ମଙ୍ଗଳବାର ଭାରତକୁ ଇଂଲଣ୍ଡ ୨୬ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ୫ ମ୍ୟାଚ୍‌ ଶୃଙ୍ଖଳାରେ ଇଂଲଣ୍ଡ ଉଜ୍ଜୀବିତ ରହିଛି। ଭାରତ ଏବେ ୨-୧ରେ ଆଗୁଆ ରହିଥିବାବେଳେ ଶୁକ୍ରବାର ଚତୁର୍ଥ ମ୍ୟାଚ୍‌ ପୁଣେରେ ଖେଳାଯିବ। 

Advertisment

ସୂର୍ଯ୍ୟକୁମାର ୟାଦବ କ୍ରମାଗତ ଟସ୍ ଜିତିବା ପରେ ପ୍ରାୟ ୧୪ ମାସ ପରେ ମହମ୍ମଦ ସାମି ଅନ୍ତର୍ଜାତୀୟ କ୍ରିକେଟ୍‌କୁ‌ ଫେରିବା ନିଶ୍ଚିତ ହୋଇଥିଲେ। ଅର୍ଶଦୀପ ସିଂହଙ୍କୁ ବିଶ୍ରାମ ଦେଇ ସାମିଙ୍କୁ ସାମିଲ କରାଯାଇଥିଲା। ୨୦୨୩ ନଭେମ୍ବର ୧୯ରେ ଦିନିକିଆ ବିଶ୍ବକପ୍ ଫାଇନାଲ୍ ଖେଳିବା ପରେ ସାମି ଅନ୍ତର୍ଜାତୀୟ କ୍ରିକେଟ୍‌କୁ‌ ଫେରିଥି‌ଲେ। ଏପରିକି ପ୍ରାୟ ଅଢ଼େଇ ବର୍ଷ ପରେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିବାର ସୁଯୋଗ ପାଇଥିଲେ ସାମି। ଏହି ଭେଟେରାନ୍ ବେଙ୍ଗଲ୍‌ ବୋଲରଙ୍କ ପ୍ରତ୍ୟାବର୍ତ୍ତନ ବି ୱିକେଟ୍‌ଶୂନ୍ୟ (୩-୦-୨୫-୦) ବିତିଛି। ହାର୍ଦିକ ପାଣ୍ଡ୍ୟା ତାଙ୍କ ପ୍ରଥମ ଓଭରରେ ଫିଲ୍ ସଲ୍ଟଙ୍କୁ ଆଉଟ୍ କରିଥିଲେ। ଫର୍ମକୁ ନେଇ ସଂଘର୍ଷ କରୁଥିବା ବେନ୍ ଡକେଟ୍‌ (୨୮ ବଲ୍‌ରୁ ୫୧ ରନ୍‌) ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍‌ (୨୪ ବଲ୍‌ରୁ ୪୩ ରନ୍) ପ୍ରତିଆକ୍ରମଣ ଭରା ପାଳି ଖେଳିବାରୁ ଇଂଲଣ୍ଡ ୧୭୧ ରନ୍‌ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। ଇଂଲଣ୍ଡ ଦଶମ ଓଭର ବେଳକୁ ୮୭ ରନ୍ ସଂଗ୍ରହ କରି ନେଇଥିଲେ ମଧ୍ୟ ବରୁଣ ଚକ୍ରବର୍ତ୍ତୀଙ୍କ ଚକ୍ରବ୍ୟୂହ ଭ୍ରମଣକାରୀ ଦଳକୁ ହଠାତ୍‌ ୧୨୭/୮ରେ ସଂଘର୍ଷ କରାଇଥିଲା। ବରୁଣ ଦୁଇ ଥର ଗୋଟିଏ ଓଭରରେ ୨ଟି ଲେଖାଏଁ ୱିକେଟ୍ ବାହାର କରିଥିଲେ।‌ ଜୋସ ବଟଲର୍‌ (୨୨ ବଲ୍‌ରୁ ୨୪ ରନ୍)ଙ୍କ ପରେ ବରୁଣ ଜାମି ସ୍ମିଥ୍, ଜାମି ଓଭର୍ଟନ୍‌,‌ ବ୍ରାଏଡନ୍ କାର୍ସ, ଜୋଫ୍ରା ଆର୍ଚରଙ୍କ ୱିକେଟ୍‌ ନେଇ ୪-୦-୨୪-୫ ବୋଲିଂ ଚିତ୍ର ପାଇଥିଲେ। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫/୧୭ ଚିତ୍ର ପାଇଥିବା ବରୁଣ ନିଜ ଦ୍ବିତୀୟ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ସଫଳତା ପାଇଥିଲେ। ବରୁଣଙ୍କ ଉଭୟ ୫ ୱିକେଟ୍‌ ସଫଳତା କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଭାରତର ବିଜୟରେ ଲାଗି ପାରିନାହିଁ।

ଜବାବରେ ଭାରତ ପାୱାର ପ୍ଲେ ଭିତରେ ୩ ୱିକେଟ୍ ହରାଇବା ସହ ଚାପରେ ପଡ଼ିଥିଲା। କିନ୍ତୁ ସଂଜୁ, ସୂର୍ଯ୍ୟ, ଅଭିଷେକ ଦାୟିତ୍ବହୀନ ସଟ୍‌ ଖେଳି ଆଉଟ୍ ହେବା ଭାରତକୁ ସୁଯୋଗ ଦେଇନଥିଲା। ଗତ ମ୍ୟାଚ୍‌ ହିରୋ ତିକଳ ବର୍ମାଙ୍କୁ ଆଦିଲ୍ ରସିଦ୍‌ ଏକ ଜବରଦସ୍ତ ଟର୍ଣ୍ଣରେ ବୋଲ୍ଡ କରିଦେବା ପରେ ଭାରତ ହାତରୁ ମ୍ୟାଚ୍‌ ଖସିବା ଆରମ୍ଭ ହୋଇଥିଲା। ହାର୍ଦିକ ପାଣ୍ଡ୍ୟା (୩୫ ବଲ୍‌ରୁ ୪୦ ରନ୍) ମନ୍ଥର ଖେଳିଥିଲେ ମଧ୍ୟ ଫିନିସ୍ କରିପାରି ନଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ୨୦ ଓଭରରେ ୧୭୧/୯ (ବେନ୍ ଡକେଟ୍‌-୫୧, ଲିଆମ୍ ଲିଭିଙ୍ଗ‌୍‌ଷ୍ଟୋନ୍‌-୪୩, ବରୁଣ ଚକ୍ରବର୍ତ୍ତୀ-୫/୨୪, ହାର୍ଦିକ ପାଣ୍ଡ୍ୟା-୨/୩୩, ଅକ୍ଷର ପଟେଲ୍‌-୧/୧୯, ରବି ବିଷ୍ଣୋଇ-୧/୪୬)। ଭାରତ ୨୦ ଓଭରରେ ୧୪୫/୯ (ହାର୍ଦିକ ପାଣ୍ଡ୍ୟା-୪୦, ଅଭି‌ଷେକ ଶର୍ମା-୨୪, ତିଳକ ବର୍ମା-୧୮, ସୂର୍ଯ୍ୟକୁମାର ୟାଦବ-୧୪, ଜାମି ଓଭରର୍ଟନ୍‌-୩/୨୩, ବ୍ରାଏଡନ୍ କାର୍ସ-୨/୨୯, ଜୋଫ୍ରା ଆର୍ଚର୍‌-୨/୩୩)।