ଲର୍ଡସ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କଲା ଇଂଲଣ୍ଡ: ରୁଟ୍‌ଙ୍କ ଶତକ ଓ ୧୦,୦୦୦ ରନ୍‌

ଲଣ୍ଡନ: ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଇଂଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ୍‌ ଚତୁର୍ଥ ଦିନ ଘଣ୍ଟାକ ମଧ୍ୟରେ ଶେଷ ହୋଇଗଲା। ଏଥିରେ ଘରୋଇ ଇଂଲଣ୍ଡ ୫ ୱିକେଟ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ୧-୦ର ଅଗ୍ରଣୀ ହାସଲ କରିନେଲା। ଅପରାଜିତ ଶତକ ହାସଲ କରି ବିଜୟର କର୍ଣ୍ଣଧାର ସାଜିଥିବା ପୂର୍ବତନ ଅଧିନାୟକ ଜୋ ରୁଟ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଏହି ଶତକୀୟ ପାଳି ଅବସରରେ ରୁଟ୍‌ ମଧ୍ୟ ଟେଷ୍ଟ୍‌ କ୍ରିକେଟ୍‌ରେ ୧୦,୦୦୦ ରନ୍‌ ପୂରଣ କରିଛନ୍ତି। ଏକ୍ଷେତ୍ରରେ ସେ ମୋଟ ୧୪ତମ ଏବଂ ଆଲିଷ୍ଟର କୁକ୍‌ଙ୍କ ପରେ ଦ୍ବିତୀୟ ଇଂଲିସ୍ ବ୍ୟାଟର୍‌ ହୋଇଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ପାଇଁ ନୂଆ ଅଧିନାୟକ ବେନ୍‌ ଷ୍ଟୋକ୍ସ ଏବଂ ନୂଆ ପ୍ରଶିକ୍ଷକ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକ୍‌ଲମ୍‌ଙ୍କ ଯୁଗର ସଫଳ ଆରମ୍ଭ ହୋଇଛି।

ପ୍ରଥମ ଦୁଇ ଦିନ ଭଳି ତୃତୀୟ ଦିନ ଆରମ୍ଭରୁ ମଧ୍ୟ ବୋଲରଙ୍କ କମାଲ ଦେଖିବାକୁ ମିଳିଥିଲା। ଫଳରେ ତିନି ଦିନ ମଧ୍ୟରେ ୭୭୪ ରନ୍‌ରେ ଉଭୟ ଦଳର ୩୫ ୱିକେଟ୍‌ ପତନ ଘଟିଥିଲା। ବିଶେଷକରି ପ୍ରଥମ ଦିନ ୧୭, ଦ୍ବିତୀୟ ଦିନ ୭ ଏବଂ ତୃତୀୟ ଦିନ ୧୧ ୱିକେଟ୍‌ ଝଡ଼ିଯାଇଥିଲା। ତେଣୁ ଏହି ଟେଷ୍ଟ୍‌ ରୋମାଞ୍ଚକର ମୋଡ଼ରେ ପହଞ୍ଚି ଯାଇଥିଲା। ଏପରିକି ତୃତୀୟ ଦିବସ ଶେଷ ବେଳକୁ ୨୧୬/୫ କରିଥିବା‌ ଇଂଲଣ୍ଡକୁ ବିଜୟ ପାଇଁ ଆହୁରି ୬୧ ରନ୍‌ ଆବଶ୍ୟକ ଥିଲା। ତେବେ ରୁଟ୍‌ଙ୍କ ସହ ଅଧିନାୟକ ବେନ୍‌ ଷ୍ଟୋକ୍ସ (୫୪) ପଞ୍ଚମ ୱିକେଟ୍‌ରେ ୯୦ ରନ୍ ଯୋଡ଼ି ଇଂଲଣ୍ଡକୁ ବିଜୟ ସମ୍ଭାବନା ଦେଇଥିଲେ। ଅବଶିଷ୍ଟ କାର୍ଯ୍ୟକୁ ଚତୁର୍ଥ ଦିବସର ପ୍ରଥମ ଘଣ୍ଟା ଖେଳରେ ହିଁ ରୁଟ୍‌ ଓ ୱିକେଟ୍‌ରକ୍ଷକ ବେନ୍‌ ଫୋକେସ ଶେଷ କରିଦେଇଥିଲେ। ରୁଟ୍‌ ଦୃଢ଼ ଏକାଗ୍ରତାର ପରିଚୟ ଦେଇ ୧୧୫ ରନ୍‌ରେ ଅପରାଜିତ ରହିଥିଲେ। ଏହା ରୁଟ୍‌ଙ୍କର ୨୬ତମ ଟେଷ୍ଟ୍‌ ଶତକ ଥିଲା। ସେ ୧୭୦ ବଲ୍‌ ଖେଳି ୧୨ ଚୌକା ସହାୟତାରେ ୧୧୫ ରନ୍‌ କରିଥିଲା ବେଳେ ତାଙ୍କୁ ମହୁମୂଲ୍ୟ ସହଯୋଗ ଦେଇଥିବା ଫୋକେସ ୯୨ ବଲ୍‌ରୁ ୩ ଚୌକା ସହାୟତାରେ ଅପରାଜିତ ୩୨ ରନ୍‌ କରିଥିଲେ। ଫଳରେ ଚତୁର୍ଥ ଦିବସରେ ୨୧୬/୫ରୁ ଖେଳିଥିବା ଇଂଲଣ୍ଡ ଆଉ ୧୩.୫ ଓଭରରେ କୌଣସି ୱିକେଟ୍‌ ପଡ଼ିବାକୁ ନଦେଇ ୬୩ ରନ୍ ଯୋଡ଼ି ନେଇଥିଲା‌। ଦଳ ୭୮.୫ ଓଭରରେ ୫ ୱିକେଟ୍‌ ବିନିମୟରେ ୨୭୯ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। କାଇଲ ଜାମିସନ୍‌ ୪ ଏବଂ ଟ୍ରେଣ୍ଟ୍‌ ବୋଲ୍‌ଟ ଗୋଟିଏ ୱିକେଟ୍‌ ପାଇଥିଲେ। ଉଭୟ ଦଳ ମଧ୍ୟରେ ଦ୍ବିତୀୟ ଟେଷ୍ଟ୍‌ ଶୁକ୍ରବାରଠାରୁ ନଟିଂହାମ୍‌ର ଟ୍ରେଣ୍ଟ୍‌ ବ୍ରିଜ୍‌ରେ ଆରମ୍ଭ ହେବ।

ସମ୍ବନ୍ଧିତ ଖବର