ନଟିଂହାମ୍: ଇଂଲଣ୍ଡ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ୍ ଦଳ ବିଜୟଶୂନ୍ୟ ଭାବେ ଅଭିଯାନ ଶେଷ କରିଛି। ବିଶ୍ବକପ୍ ପୂର୍ବରୁ ଅଧିକ ଅଭ୍ୟାସ ଲାଗି ଏହି ଗସ୍ତ କରିଥିବା ପାକିସ୍ତାନକୁ ବଡ଼ ଝଟ୍କା ଲାଗିଛି। ଏକମାତ୍ର ଟ୍ବେଣ୍ଟିକୁ ଇଂଲଣ୍ଡ ଜିତିଥିଲା ବେଳେ ୫ ଟିକିଆ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ୪-୦ରେ ପୋଛି ନେଇଛି। ଇଂଲଣ୍ଡ ରବିବାର ପଞ୍ଚମ ମ୍ୟାଚ୍କୁ ୫୪ ରନ୍ରେ ଜିତିନେଇଥିଲା।
ରବିବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଜୋ ରୁଟ୍ (୮୪, ୭୩ ବଲ୍, ୯ ଚୌକା) ଏବଂ ଅଧିନାୟକ ଇଅନ୍ ମୋର୍ଗାନ୍ (୭୬, ୬୪ ବଲ୍, ୪ ଚୌକା, ୫ ଛକା) ଅର୍ଧଶତକ ବଳରେ ୯ ୱିକେଟ୍ ହରାଇ ୩୫୧ ରନ୍ କରିଥିଲା। ଶେଷ ସମୟରେ ଟମ୍ କରନ୍ (୨୯*, ୧୫ ବଲ୍, ୨ ଚୌକା, ୨ ଛକା)ଙ୍କ ଧୁଆଁଧାର ପାଳି ଯୋଗୁଁ ଇଂଲଣ୍ଡ ୩୫୦ ରନ୍ ପାରି କରିବାକୁ ସଫଳ ହୋଇଥିଲା। ସାହିନ ସାହ ଆଫ୍ରିଦି ୪ ଏବଂ ଇମାଦ ୱାସିମ ୩ ୱିକେଟ୍ ନେଇଥିଲେ।
ଜବାବରେ ପାକିସ୍ତାନ ୩ ଓଭରରେ ମଧ୍ୟରେ ୬ ରନ୍ରେ ୩ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ତେବେ ବାବର ଆଜମ୍ (୮୦, ୮୩ ବଲ୍, ୯ ଚୌକା, ୧ ଛକା) ଏବଂ ଅଧିନାୟକ ସର୍ଫରାଜ ଅହମ୍ମଦ (୯୭, ୮୦ ବଲ୍, ୭ ଚୌକା, ୩ ଛକା) ଚତୁର୍ଥ ୱିକେଟ୍ ଭାଗୀଦାରିରେ ୧୪୬ ରନ୍ ଯୋଡ଼ି ଲଢ଼ିଥିଲେ। ଆଜମ୍ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିବା ପରେ ସୋଏବ ମଲ୍ଲିକ (୪)ଙ୍କୁ ଆଦିଲ ରସିଦ୍ ଅଉଟ୍ କରି ଦେଇଥିଲେ। ଏହାପରେ ଲଗାତାର ୱିକେଟ୍ ହରାଇ ପାକିସ୍ତାନ ୪୬.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୯୭ ରନ୍ରେ ଅଟକି ଯାଇଥିଲା। କ୍ରିସ୍ ୱକ୍ସ (୧୦-୨-୫୪-୫) ବୋଲିଂ ସଫଳତା ପାଇବା ସହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ୫୦ ଓଭରରେ ୩୫୧/୯ (ଜୋ ରୁଟ୍-୮୪, ଇଅନ୍ ମୋର୍ଗାନ୍-୭୬*, ଟମ୍ କରନ୍-୨୯*, ସାହିନ ସାହ ଆଫ୍ରିଦି ୪/୮୨, ଇମାଦ ୱାସିମ ୩/୫୩)। ପାକିସ୍ତାନ ୪୬.୫ ଓଭରରେ ୨୯୭ (ବାବର ଆଜମ୍ ୮୦, ସର୍ଫରାଜ ଅହମ୍ମଦ ୯୭, କ୍ରିସ୍ ୱକ୍ସ ୫/୫୪, ଆଦିଲ ରସିଦ ୨/୫୪)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-5-13.jpg)