ଲିଡ୍ସ: ଲିଡ୍ସ ଟେଷ୍ଟ୍ର ଦ୍ବିତୀୟ ଦିବସ ଖେଳ ବେଶ୍ ନାଟକୀୟ ରହିଛି। ପ୍ରଥମ ଘଣ୍ଟାଏରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଓ ୱିକେଟ୍ ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ପରାକ୍ରମୀ କ୍ରିକେଟ୍ ଖେଳିଛନ୍ତି। ହେଲେ ମଧ୍ୟାହ୍ନ ଭୋଜନ ପରେ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ ସ୍ଥିତି ଆପାତତଃ ବରାବର କରି ନେଇଛି। ଭାରତକୁ ୪୭୧ ରନ୍ରେ ଅଲ୍ଆଉଟ୍ କରିବା ସହ ୨୦୯/୩ କରି ଦ୍ବିତୀୟ ଦିନର ସମ୍ମାନ ନିଜ ଖାତାରେ ଲିପିବଦ୍ଧ କରିଛି। ବୁମରାଙ୍କ ୩ ୱିକେଟ୍ ଛଡ଼ା ଅନ୍ୟ କୌଣସି ଭାରତୀୟ େବାଲର୍ ପ୍ରଭାବ ଛାଡ଼ିପାରି ନାହାନ୍ତି।
୧୨୭ ରନ୍ରେ ଅପରାଜିତ ଥିବା ଯୁବ ଅଧିନାୟକ ଗିଲ୍ ଏବଂ ୬୫ ରନ୍ରେ ଖେଳୁଥିବା ପନ୍ତ ଶନିବାର ସକାଳୁ ଇଂଲଣ୍ଡ ବୋଲରଙ୍କୁ ନୟାନ୍ତ କରିଥିଲେ। ବିଶେଷ କରି ପନ୍ତ ଅନେକ ଅଣପାରମ୍ପରିକ ତଥା ଦର୍ଶନୀୟ ସଟ୍ ଖେଳି ୧୪୬ ବଲ୍ରୁ ଇଂଲଣ୍ଡ ମାଟିରେ ତୃତୀୟ ଏବଂ ମୋଟ ଉପରେ ସପ୍ତମ ଶତକ ହାସଲ କରିଥିଲେ। ସୋଏବ ବସିରଙ୍କୁ ଗୋଟିଏ ହାତରେ ଛକା ମାରି ତିନି ଅଙ୍କ ଛୁଇଁବା ତାଙ୍କ ପାଳିର ଅନ୍ୟତମ ମୁଖ୍ୟାଂଶ ଥିଲା। ଗିଲ୍ ବି ଦେଢ଼ ଶହ ରନ୍ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଥିଲେ। ତେବେ ଏହି ମାଇଲ୍ଖୁଣ୍ଟଠାରୁ ୩ ରନ୍ ଦୂରରେ ଥାଇ ବସିରଙ୍କ ଶିକାର ହୋଇଥିଲେ। ତଥାପି ନିଜ ଶ୍ରେଷ୍ଠ ଟେଷ୍ଟ୍ ପାଳି ଖେଳିଥିଲେ। ଅଲଗା ହେବା ପୂର୍ବରୁ ପନ୍ତଙ୍କ ସହ ମିଶି ଚତୁର୍ଥ ୱିକେଟ୍ରେ ୨୦୯ ରନ୍ ଯୋଡ଼ି ନେଇଥିଲେ ଗିଲ୍। ଦଳୀୟ ସ୍କୋର୍ ୪୩୦ ରନ୍ ଥିଲା ବେଳେ ଗିଲ୍ ଆଉଟ୍ ହେବା କିନ୍ତୁ ଭାରତୀୟ ପାଳିର ବିପର୍ଯ୍ୟୟକୁ ଟାଣି ଆଣିଥିଲା। ହଠାତ୍ ଗିଲ୍ ବାହିନୀ ଏକାଗ୍ରତା ହରାଇ ଗୋଟିଏ ପରେ ଗୋଟିଏ ୱିକେଟ୍ ଫିଙ୍ଗି ଚାଲିଥିଲା। ୮ବର୍ଷ ପରେ ଫେରିଥିବା କରୁଣ ନାୟର ଖାତା ଖୋଲି ପାରି ନଥିଲେ। ପନ୍ତ ମଧ୍ୟ ଘରୋଇ ଇଂଲଣ୍ଡର ନବାଗତ ବୋଲର ଜୋସ୍ ଟଙ୍ଗଙ୍କୁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ।
ମେଘାଚ୍ଛନ୍ନ ଆକାଶ ଓ କୋହଲା ପାଗ ପାଇଁ ପିଚ୍ ଇଂଲଣ୍ଡ ବୋଲରଙ୍କୁ ହଠାତ୍ ସୁହାଇବାରୁ ଭାରତ ତା’ର ଶେଷ ୭ ୱିକେଟ୍ ମାତ୍ର ୪୧ ରନ୍ରେ ହରାଇଥିଲା। ଫଳରେ ୫୦୦ ରନ୍ ଟପିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ୫ଜଣ ଶୀର୍ଷକ୍ରମ ବ୍ୟାଟର୍ଙ୍କ ମଧ୍ୟରୁ ୩ଜଣ ଶତକ ହାସଲ କରିବା ସତ୍ତ୍ବେ ୪୭୧ ରନ୍ରେ ଅଟକି ଇଂଲଣ୍ଡକୁ ଫେରିବାର ସୁଯୋଗ ଦେଇଥିଲା ଟିମ୍ ଇଣ୍ଡିଆ। ଏଭଳି ସ୍ଥିତିରେ ମଧ୍ୟ ଏହା ଭାରତର ସର୍ବନିମ୍ନ ଦଳଗତ ସ୍କୋର୍ ହୋଇଥିଲା। ଭାରତ ପାଳି ଶେଷ ହେବା ପରେ ବର୍ଷା ପାଇଁ ଖେଳ ପାଖାପାଖି ୪୫ ମିନିଟ୍ ବନ୍ଦ ରହିଥିଲା। ଆରମ୍ଭ ହେବା ପରେ ଯଶପ୍ରୀତ୍ ବୁମ୍ରା ପ୍ରଥମ ଓଭରରେ ଜ୍ୟାକ୍ କ୍ରଲିଙ୍କୁ ଆଉଟ୍ କରି ଗିଲ୍ ବାହିନୀକୁ ବଡ଼ ସଫଳତା ଉପହାର ଦେଇଥିଲେ। ତଥାପି ଇଂଲଣ୍ଡ ତାର ‘ବାଜ୍ବଲ୍’ ରଣନୀତି ଅନୁଯାୟୀ ଆକ୍ରମଣ ଜାରି ରଖିଥିଲା। ସପ୍ତମ ଓଭରରେ ବେନ୍ ଡକେଟଙ୍କ ଏକ ସହଜ କ୍ୟାଚ୍ ହାତଛଡ଼ା ହେବା ଭାରତର ଅଡ଼ୁଆକୁ ବଢ଼ାଇଥିଲା। ଏହାର ସୁଯୋଗ ନେଇ ଡକେଟ୍ ଏବଂ ଓଲି ପୋପ୍ ଇଂଲଣ୍ଡ ପାଳିକୁ କିଛିଟା ସଜାଡ଼ି ଦେଇଥିଲେ। ଫେରନ୍ତା ସ୍ପେଲ୍ରେ ଡକେଟ୍ଙ୍କୁ ବୋଲ୍ଡ କରି ବୁମ୍ରା ଏଥିରେ ବ୍ରେକ୍ ଲଗାଇଥିଲେ। ଦ୍ବିତୀୟ ଦିନ ସୁଦ୍ଧା ଓଲି ପୋପ୍ଙ୍କ ଶତକ (୧୦୦) ରନ୍ ବଳରେ ଇଂଲଣ୍ଡ ୩ ୱିକେଟ୍ ବିନିମୟରେ ୨୦୯ ରନ୍ କରି ୨୬୨ ରନ୍ ପଛରେ ଥିଲା।
ସଂକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି: ୧୧୩ ଓଭରରେ ୪୭୧/୧୦ (ଶୁବମନ ଗିଲ୍-୧୪୭, ଋଷଭ ପନ୍ତ-୧୩୪, ଯଶସ୍ବୀ ଜୟସ୍ବାଲ-୧୦୧, ବେନ୍ ଷ୍ଟୋକ୍ସ ୪/୬୬, ଜୋସ୍ ଟଙ୍ଗ୍ ୪/୮୬)। ଇଂଲଣ୍ଡ ପ୍ରଥମ ପାଳି ୪୯ ଓଭରରେ ୨୦୯/୩ (ବେନ୍ ଡକେଟ୍-୬୨, ଓଲି ପୋପ୍-୧୦୦*, ଜୋ ରୁଟ୍-୨୮, ଯଶପ୍ରୀତ୍ ବୁମ୍ରା ୩/୪୮)।
ଧୋନିଙ୍କୁ ଟପିଲେ ପନ୍ତ
ଲିଡ୍ସ ଟେଷ୍ଟ୍ରେ ୧୩୪ ରନ୍ର ପାଳି ଖେଳିବା ପରେ ଋଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ତଥା ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ମାଇଲଖୁଣ୍ଟ୍କୁ ଟପିଛନ୍ତି। ଭାରତୀୟ ୱିକେଟ୍ ରକ୍ଷକ ବ୍ୟାଟର୍ ଭାବେ ସର୍ବାଧିକ ୭ ଶତକ ଅର୍ଜନ କରିବାର ରେକର୍ଡ କରିଛନ୍ତି। ଧୋନି ନିଜ ଖେଳ ଜୀବନରେ ୬ ଟେଷ୍ଟ୍ ଶତକ ହାସଲ କରିଛନ୍ତି। ତିନି ଅଙ୍କ ଛୁଇଁବାରେ ପନ୍ତ ଏବେ ତାଙ୍କଠାରୁ ଗୋଟିଏ ଶତକ ଆଗରେ ରହିଛନ୍ତି। ଧୋନିଙ୍କୁ ଟପିବା ସହ ପନ୍ତ ଏବେ ଇଂଲଣ୍ଡର ପୂର୍ବତନ ୱିକେଟ୍ ରକ୍ଷକ ମ୍ୟାଟ୍ ପ୍ରାୟର, ଶ୍ରୀଲଙ୍କାର କୁମାର ସାଙ୍ଗାକାରା, ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ ଏବଂ ନ୍ୟୁଜିଲାଣ୍ଡର ବିଜେ ୱାଟଲିଙ୍ଗଙ୍କ ସହ ସମକକ୍ଷ ହୋଇଛନ୍ତି। ସେହିଭଳି ଭ୍ରମଣକାରୀ ୱିକେଟ୍ ରକ୍ଷକ ଭାବେ ଇଂଲଣ୍ଡରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ମଧ୍ୟ ପନ୍ତ ନିଜ ନାଁରେ କରି ନେଇଛନ୍ତି। ଇଂଲଣ୍ଡରେ ପନ୍ତ ତିନିଟି ଶତକ ହାସଲ କରିଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଦୁଇଟି ଶତକ ହାସଲ କରିଛନ୍ତି। ଗୋଟିଏ ହାତରେ ଛକା ମାରି ଶତକ ପୂରଣ କରିବା ପରେ ପନ୍ତଙ୍କୁ ହେଡିଂଲେ ଦର୍ଶକ ମଧ୍ୟ ଠିଆ ହୋଇ ଅଭିବାଦନ ଜଣାଇଥିଲେ। ଏହା ପରେ ପନ୍ତ ଉଡ଼ନ୍ତା ଶୂନ ମାରି ନିଜ ଖୁସି ଜାହିର କରିଥିଲେ।
ଷ୍ଟୁପିଡ୍ରୁ ସୁପର୍
ଅଷ୍ଟ୍ରେଲିଆ ଗସ୍ତରେ ଖେଳିଥିବା ଦାୟିତ୍ବହୀନ ସଟ୍ ପାଇଁ ପନ୍ତଙ୍କୁ କିବଂଦନ୍ତି କ୍ରିକେଟର୍ ସୁନୀଲ ଗାଭାସ୍କର୍ ଷ୍ଟୁପିଡ୍ ସମ୍ବୋଧାନ କରିଥିଲେ। ପନ୍ତଙ୍କୁ ଗାଭାସ୍କରଙ୍କ ଏହି ଷ୍ଟୁପିଡ୍.., ଷ୍ଟୁପିଡ୍.., ଷ୍ଟୁପିଡ୍.. ଗାଳି ଏତେ ମାତ୍ରାରେ ଭାଇରାଲ୍ ହୋଇଥିଲା ଯେ ଏହାକୁ ନେଇ ଏକ ବିଜ୍ଞାପନ ମଧ୍ୟ ସୁଟିଂ ହୋଇଥିଲା। ପୁଣି ଏହି ବିଜ୍ଞାପନରେ ଉଭୟ ପନ୍ତ ଓ ଗାଭାସ୍କର ଅଭିନୟ କରିଥିଲେ। ହେଡିଂଲେରେ କିନ୍ତୁ ଗାଭାସ୍କରଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ଶନିବାର ପନ୍ତ ଏଠାରେ ପରାକ୍ରମୀ ପାଳି ଖେଳିବା ପରେ ଗାଭାସ୍କର ତାଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। ପନ୍ତ ଛକା ମାରି ଶତକ ଛୁଇଁବା ପରେ ଭାଷ୍ୟକାର ବକ୍ସରେ ବସି ଉଲ୍ଲସିତ ଗାଭାସ୍କର୍ ତୁରନ୍ତ ସୁପର୍.., ସୁପର୍.., ସୁପର୍.. କହି ପନ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ତାଙ୍କର ଏହି ପ୍ରଶଂସା ମଧ୍ୟ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଛି।