ଗୁଆହାଟୀ: ଚଳିତ ଆଇସିସି ଦିନିକିଆ ମହିଳା ବିଶ୍ବକପ୍ରେ ଏକ ବଡ଼ ବିପର୍ଯ୍ୟୟରୁ ବର୍ତ୍ତିଯାଇଛି ଇଂଲଣ୍ଡ। ବାଂଲାଦେଶ ବିପକ୍ଷ ଏହି ଲିଗ୍ ମ୍ୟାଚ୍କୁ ଇଂଲଣ୍ଡ ଶେଷରେ ୪ ୱିକେଟ୍ରେ ରୋମାଞ୍ଚକ ଭାବେ ଜିତି ପଏଣ୍ଟ୍ ଟେବୁଲ୍ ଶୀର୍ଷକୁ ଉନ୍ନୀତ ହୋଇଛି। ବାଂଲାଦେଶ ରଖିଥିବା ୧୭୯ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବାରୁ ୧୦୩/୬ରେ ସଂଘର୍ଷ କରିଥିଲା। ଶେଷକୁ ଅତୁଟ ସପ୍ତମ ୱିକେଟ୍ ପାଇଁ ଅଭିଜ୍ଞା ହିଦର୍ ନାଇଟ୍ (୧୧୧ ବଲ୍ରୁ ୭୯* ରନ୍, ୮ ଚୌକା, ୧ ଛକା) ଏବଂ ଚାର୍ଲୋଟ୍ ଡିନ୍ (୫୬ ବଲ୍ରୁ ୨୭* ରନ୍, ୨ ଚୌକା) ୧୬.୪ ଓଭରରେ ୭୯* ରନ୍ ଯୋଡ଼ି ବାଂଲାଦେଶ ହାତରୁ ବିଜୟ ଛଡ଼ାଇ ନେଇଥିଲେ। ପୂର୍ବରୁ ଅଧିନାୟିକା ନାଟ୍ ଶ୍ଚିଭର ବ୍ରଣ୍ଟ୍ (୩୨ ରନ୍) ମଧ୍ୟ ଏକ ଭଲ ପାଳି ଖେଳିଥିଲେ। ଇଂଲଣ୍ଡ ୪୬.୧ ଓଭରରେ ୬ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରି ନେଇଥିଲା। ବାଂଲାଦେଶ ପାଇଁ ଫହିମା ଖାତୁନ୍ (୧୦-୨-୧୬-୩)ଙ୍କ ବଢ଼ିଆ ବୋଲିଂ କିନ୍ତୁ ଶେଷରେ ସାନ୍ତ୍ବନାରେ ସୀମିତ ରହିଥିଲା। ମାରୁଫା ଅଖ୍ତର୍ (୨/୨୮) ଓ ସଂଜୀଦା ଅଖ୍ତର୍ ମେଘଲା (୧/୨୪) ମଧ୍ୟ ଏହି ଲୋ ସ୍କୋରିଂ ମ୍ୟାଚ୍ରେ ରୋମାଞ୍ଚ ଭରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୪୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୮ ରନ୍ କରିଥିଲା। ପ୍ରଥମ ପାୱାର ପ୍ଲେ ଭିତରେ ୨ ୱିକେଟ୍ ହରାଇଥିବା ବାଂଲାଦେଶ ପାଇଁ ମଧ୍ୟକ୍ରମରେ ଶୋଭନା ମୋସ୍ତାରୀ (୧୦୮ ବଲ୍ରୁ ୬୦ ରନ୍) ଏବଂ ଡେଥ୍ ଓଭରରେ ରାବେୟା ଖାନ୍ (୨୬ ବଲ୍ରୁ ୪୩* ରନ୍) କରିବାରୁ ଦଳର ସମ୍ମାନ ରହିଥିଲା। କିନ୍ତୁ ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନଥିଲା। ଇଂଲଣ୍ଡ ପାଇଁ ସୋଫି ଏସେଲଷ୍ଟୋନ୍ (୧୦-୩-୨୪-୩), ଚାର୍ଲି ଡିନ୍ (୧୦-୨-୨୮-୨), ଆଲିସ୍ କାପ୍ସେ (୮-୧-୩୧-୨), ଲିନ୍ସେ ସ୍ମିଥ୍ (୯.୪-୧-୩୩-୨) ଓ ଲୌରେନ୍ ବେଲ୍ (୭-୧-୨୮-୧) ୱିକେଟ୍ ବାଣ୍ଟି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/08/dagdadgazccvcv-2025-10-08-01-31-13.jpg)