ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାର ଭାରତର ଘରୋଇ ଲେଗ୍ ମଙ୍ଗଳବାର ଶେଷ ହେବ। ସୋମବାରଠୁ ଆରମ୍ଭ ହେବାକୁ ଥିବା ଏହି ଲେଗ୍ର ଶେଷ ମୁକାବିଲାରେ ପୁରୁଷ ଦଳ ଇଂଲଣ୍ଡକୁ ଏବଂ ମହିଳା ଦଳ ଗତ ସଂସ୍କରଣ ବିଜେତା ନେଦରଲାଣ୍ଡ୍ସକୁ ଭେଟିବ। ମହିଳାଙ୍କ ମ୍ୟାଚ୍ ଅପରାହ୍ଣ ୫.୧୫ ଏବଂ ପୁରୁଷଙ୍କ ରାତି ୭.୩୦ରେ ଆରମ୍ଭ ହେବ। ଏହି ଦୁଇ ମ୍ୟାଚ୍ ପୂର୍ବରୁ ଅପରାହ୍ଣ ୩ଟାରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମହିଳାଙ୍କ ମଧ୍ୟରେ ମୁକାବିଲା ହେବ।
ଗ୍ରେଗ୍ ଫୁଲ୍ଟନ୍ଙ୍କ ପ୍ରଶିକ୍ଷିତ ଭାରତୀୟ ପୁରୁଷ ଦଳ ସଂପ୍ରତି ୬ ମ୍ୟାଚ୍ ଖେଳି ୪ ବିଜୟ ଓ ୨ ପରାଜୟରୁ ୧୨ ପଏଣ୍ଟ୍ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଏହି ଦଳ ପ୍ରଥମ ଦୁଇ ଲଢ଼େଇରେ ସ୍ପେନ୍ ଓ ଜର୍ମାନୀ ବିପକ୍ଷରେ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ପାଇ ପଏଣ୍ଟ ବାଣ୍ଟିଥିଲା। ହେଲେ ଗତ ଲଢ଼େଇରେ ଆୟର୍ଲାଣ୍ଡକୁ ୨ ଥର ଯାକ ହରାଇ ପୂରା ପଏଣ୍ଟ କରାୟତ୍ତ କରିବା ସହ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଥିଲା। ଏହି ବିଜୟ ସୋମବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଘରୋଇ ଦଳର ମନୋବଳକୁ ଦୃଢ଼ କରିଛି। ଆଗାମୀ ଦୁଇ ଦିନରେ ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ୨ଟି ଯାକ ମ୍ୟାଚ୍ରେ ହରାଇ ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଶୀର୍ଷର ନିକଟବର୍ତ୍ତୀ ହେବାର ଲକ୍ଷ୍ୟ ରଖିଛି।
ଭାରତୀୟ ମହିଳା ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ହରାଇ ଅଭିଯାନ ଆରମ୍ଭ କରିଥିଲା। ପାଲଟା ମ୍ୟାଚ୍ରେ ଇଂଲଣ୍ଡଠୁ ସୁଟ୍ଆଉଟ୍ରେ ହାରି ଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ଅମୀମାଂସିତ ରଖିଥିବାରୁ ଗୋଟିଏ ପଏଣ୍ଟ କରାୟତ୍ତ କରିଥିଲା। ହେଲେ ଏହା ପର ସ୍ପେନ୍ ବିପକ୍ଷ ଲଢ଼େଇରେ ୨ଟି ଯାକ ମ୍ୟାଚ୍ ହାରି ଯାଇଥିଲା। ଜର୍ମାନୀ ବିପକ୍ଷ ଲଢ଼େଇରେ ଗୋଟିଏ ହାରି ଥିଲା ବେଳେ ଗୋଟିଏ ଜିତି ପଏଣ୍ଟ ଭାଗ କରିଥିଲା। ଫଳରେ ଦଳ ୬ ମ୍ୟାଚ୍ରୁ ୨ ବିଜୟ ଓ ୧ ସୁଟ୍ଆଉଟ୍ ପରାଜୟ ଏବଂ ୨ ପରାଜୟରୁ ୭ ପଏଣ୍ଟ ପାଇ ଟେବୁଲ ସପ୍ତମ ସ୍ଥାନରେ ରହିଛି। ଜର୍ମାନୀଠୁ ପ୍ରଥମ ମ୍ୟାଚ୍ରେ ୦-୪ରେ ହାରିବା ପରେ ପାଲଟା ମ୍ୟାଚ୍କୁ ୧-୦ ଗୋଲ୍ରେ ଜିତି ପ୍ରତିଶୋଧ ନେଇଥିଲା। ଏହି ବିଜୟ ସଲିମା ଟେଟେଙ୍କ ଦଳର ମନୋବଳକୁ ଦୃଢ଼ କରିଛି। ସୋମବାର ଘରୋଇ ଦର୍ଶକଙ୍କ ସମ୍ମୁଖରେ ପଏଣ୍ଟ୍ ଟେବୁଲର ଦ୍ବିତୀୟ ସ୍ଥାନରେ ଥିବା ନେଦରଲାଣ୍ଡ୍ସକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି ଭାରତ।